ଓଡିଶା

odisha

ETV Bharat / state

ଶ୍ରୀମନ୍ଦିରରେ ପ୍ରଶାସନିକ ଅବ୍ୟବସ୍ଥା, ଅନିୟନ୍ତ୍ରିତ ଭିଡ଼ରେ ଅଣନିଶ୍ବାସୀ ହେଲେ ଭକ୍ତ - ଶ୍ରୀମନ୍ଦିର ଭିତରେ ଭିଡ଼ ନିୟନ୍ତ୍ରଣରେ ଅବ୍ୟବସ୍ଥା ଅଭିଯୋଗ

ଶ୍ରୀମନ୍ଦିର ଭିତରେ ମହାପ୍ରଭୁଙ୍କ ଦର୍ଶନ ବେଳେ ଭିଡ଼ ନିୟନ୍ତ୍ରଣରେ ଅବ୍ୟବସ୍ଥା ନେଇ ଭକ୍ତ ମହଲରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି । ଅଧିକ ପଢ଼ନ୍ତୁ

heavy rush at puri srimandir
ଶ୍ରୀମନ୍ଦିରରେ ପ୍ରବଳ ଭିଡ଼ ନେଇ ଭକ୍ତ ଅସନ୍ତୋଷ

By

Published : Jul 2, 2023, 9:32 PM IST

ଶ୍ରୀମନ୍ଦିରରେ ପ୍ରବଳ ଭିଡ଼ ନେଇ ଭକ୍ତ ଅସନ୍ତୋଷ

ପୁରୀ: ଶ୍ରୀମନ୍ଦିର ଭିତରେ ଶୃଙ୍ଖଳିତ ଦର୍ଶନକୁ ନେଇ ଅବ୍ୟବସ୍ଥା ଚରମ ସୀମାରେ ପହଞ୍ଚିଛି । ମହାପ୍ରଭୁଙ୍କ ଦର୍ଶନ ପାଇଁ ଆସୁଥିବା ଭକ୍ତ ଭିଡ଼ରେ କଲବଲ ହୋଇଛନ୍ତି । ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ବରିଷ୍ଠ ନାଗରିକଙ୍କ ଦର୍ଶନ ନେଇ କୌଣସି ସ୍ଵତନ୍ତ୍ର ବ୍ୟବସ୍ଥା ନଥିବାରୁ ବୟସ୍କ ବ୍ୟକ୍ତିମାନେ ମହାପ୍ରଭୁଙ୍କୁ ଦର୍ଶନ କରିବା ବେଳେ ଘୋର ଅସୁବିଧା ଭୋଗୁଛନ୍ତି । ଭିଡ଼ରେ ଠେଲାପେଲା ହୋଇ ତଳେ ପଡିଯାଉଛନ୍ତି । ଫଳରେ ଦଳା ଚକଟାରେ ଭକ୍ତଙ୍କ ଜୀବନ ଯିବାର ମଧ୍ୟ ଆଶଙ୍କା ରହିଛି । ଯାହାକୁ ନେଇ ଭକ୍ତ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି ।

ଭାରତର ପ୍ରମୁଖ ତୀର୍ଥ ସ୍ଥଳୀ ହେଉଛି ଜଗନ୍ନାଥ ମନ୍ଦିର । ସାରା ବିଶ୍ଵରୁ କୋଟି କୋଟି ଜଗନ୍ନାଥ ପ୍ରେମୀ ମହାପ୍ରଭୁଙ୍କୁ ଦର୍ଶନ ଲାଗି ଶ୍ରୀମନ୍ଦିର ଆସୁଛନ୍ତି । ହେଲେ ଭକ୍ତ କିଭଳି ଭଲରେ ଶୃଙ୍ଖଳାର ସହ ମହାପ୍ରଭୁଙ୍କ ଦର୍ଶନ ପାଇବେ, ଭିତରେ କିପରି ଗହଳି ନିୟନ୍ତ୍ରଣ କରିହେବ ସେଦିଗରେ ଶ୍ରୀ ମନ୍ଦିର ପ୍ରଶାସନ କୌଣସି ପଦକ୍ଷେପ ନେଉ ନ ଥିବା ଭକ୍ତ ଅଭିଯୋଗ କରିଛନ୍ତି । ଶ୍ରୀମନ୍ଦିର ଭିତରେ ମହାପ୍ରଭୁଙ୍କୁ ଦର୍ଶନ ପାଇଁ ଯିବା ବେଳେ ଭକ୍ତ ମାନଙ୍କୁ ସଠିକ ଭାବେ ଯିବା ନେଇ ବ୍ୟବସ୍ଥା ନାହିଁ । ଫଳରେ ପ୍ରବଳ ଠେଲା ପେଲା ହେଉଛି । କୌଣସି ଅଘଟଣ ହେବା ଭୟରେ ଭକ୍ତମାନେ ନିଜ ପରିବାରର ବୟସ୍କ ଲୋକଙ୍କୁ ଦର୍ଶନ ପାଇଁ ନେବାକୁ ଭୟ କରୁଛନ୍ତି । ସେହିପରି ଆନନ୍ଦ ବଜାର ଗହଳିକୁ ନିୟନ୍ତ୍ରଣ କରାଯାଉନାହିଁ । ଆନନ୍ଦ ବଜାରରେ ତଳ ଚଟାଣ ପାଣି ପଡ଼ି ସନ୍ତସନ୍ତିଆ ରହିଥିବାରୁ ଅନେକ ସମୟରେ ଭକ୍ତ ତଳେ ପଡ଼ି ଆହତ ହେଉଛନ୍ତି । ମହାପ୍ରସାଦ କିଣି ଫେରୁଥିବା ବେଳେ ଠେଲାପେଲାରେ ମହାପ୍ରସାଦ ମଧ୍ୟ ତଳେ ପଡିଯାଉଛି । ଏନେଇ ଭକ୍ତ ଅଭିଯୋଗ କରି କହିଛନ୍ତି, "ମହାପ୍ରଭୁ ରତ୍ନବେଦୀକୁ ଫେରିବା ପରେ ନୀଳାଚଳ ଦର୍ଶନ ଦେଇଛନ୍ତି । ମହାପ୍ରଭୁଙ୍କ ଦର୍ଶନ ଲାଗି ପ୍ରବଳ ଭିଡ଼ ହୋଇଛି । ମାତ୍ର ପ୍ରଶାସନ ପକ୍ଷରୁ କୌଣସି ବ୍ୟବସ୍ଥା କରାଯାଇନାହିଁ । ମନ୍ଦିର ଭିତରେ ଦର୍ଶନ ସମୟରେ ଠେଲାପେଲା ପରିସ୍ଥିତି ସୃଷ୍ଟି ହେଉଛି । ଫଳରେ ଦଳ ଚକଟା ହୋଇ କାହାର ଜୀବନ ମଧ୍ୟ ଯିବାର ଆଶଙ୍କା ରହିଛି ।"

ଭାରତର ବିଭିନ୍ନ ପ୍ରସିଦ୍ଧ ମନ୍ଦିରରେ ବୟସ୍କ ବ୍ୟକ୍ତିଙ୍କ ପାଇଁ ସ୍ଵତନ୍ତ୍ର ଦର୍ଶନ ବ୍ୟବସ୍ଥା ଥିବାବେଳେ ଶ୍ରୀମନ୍ଦିରରେ ଏହି ସୁବିଧା ନମିଳିବା ନେଇ ଭକ୍ତ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି । ଶ୍ରୀମନ୍ଦିର ପ୍ରଶାସନ ଭକ୍ତଙ୍କ ସୁବିଧା ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛି । ହେଲେ ଏହି ଟଙ୍କା ବାସ୍ତବିକ କେଉଁଠି ଖର୍ଚ୍ଚ ହେଉଛି ସେନେଇ ପ୍ରଶ୍ନ ଉଠିଛି । ପୂର୍ବରୁ ଶ୍ରୀମନ୍ଦିରର ସ୍ଥାୟୀ ପ୍ରଶାସକ ନଥିବା ହେତୁ ଅନେକ ଅବ୍ୟବସ୍ଥା ହେଉଥିଲା । ତେବେ ଗତ କିଛି ମାସ ହେବ ଶ୍ରୀମନ୍ଦିରର ସ୍ଥାୟୀ ମୁଖ୍ୟ ପ୍ରଶାସକ ନିଯୁକ୍ତି ପରେ ମଧ୍ୟ ଶ୍ରୀମନ୍ଦିରରେ ଶୃଙ୍ଖଳିତ ଦର୍ଶନ ବ୍ୟବସ୍ଥା ହୋଇ ନପାରିବା ନେଇ ପ୍ରଶ୍ନ ଉଠିଛି । ତେଣୁ ସରକାର ଓ ପୁରୀ ଜିଲ୍ଲା ପ୍ରଶାସନ ଏଦିଗରେ ତୁରନ୍ତ ପଦକ୍ଷେପ ନେବାରେ ଆବଶ୍ୟକ ରହିଛି ବୋଲି ଭକ୍ତ ମତ ପ୍ରକାଶ କରିଛନ୍ତି ।

ଇଟିଭି ଭାରତ, ପୁରୀ

ABOUT THE AUTHOR

...view details