ବରଗଡ: ଜିଲ୍ଲାରେ ଗତ 2 ଦିନ ହେଲା ଲଘୁଚାପ ଜନିତ ଲଗାଣ ମୁଷଳଧାରାରେ ବର୍ଷା ଜାରି ରହିଛି । ଏହି କାରଣରୁ ବରଗଡର ବିଭିନ୍ନ ସ୍ଥାନରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ଜିଲ୍ଲାର ହଜାର ହଜାର ହେକ୍ଟର ଚାଷ ଜମି ବର୍ଷା ପାଣିରେ ବୁଡି ନଷ୍ଟ ହୋଇଯାଇଥିବାବେଳେ ସହରମାନଙ୍କରେ କୃତ୍ରିମ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି ।
ବିଭିନ୍ନ ସ୍ଥାନରେ ବହୁ ଗରିବଙ୍କ ଚାଳ ଓ ମାଟି ଘର ଭାଙ୍ଗି ନଷ୍ଟ ହୋଇଯାଇଛି । ନିଜର ବାସ ହରାଇଥିବା ଜିଲ୍ଲାର ବହୁ ପରିବାରଙ୍କୁ ସ୍କୁଲରେ ଆଶ୍ରୟ ଦେବା ସହିତ ଖାଇବାର ବ୍ୟବସ୍ଥା ମଧ୍ୟ ଜିଲ୍ଲାପ୍ରଶାସନ ପକ୍ଷରୁ କରାଯାଇଛି ।
ବରଗଡରେ ପ୍ରବଳ ବର୍ଷା ଜାରି, ବହୁ ଘର ଭାଙ୍ଗିବା ସହ ଅନେକ ଚାଷ ଜମି ନଷ୍ଟ ବରଗଡ ପାଇକମାଳ ବ୍ଲକ ଅଞ୍ଚଳରେ ଜିଲ୍ଲାର ସର୍ବାଧିକ 123 ମିମି ବର୍ଷା ରେକର୍ଡ କରାଯାଇଥିବାବେଳେ, ବରଗଡ ବ୍ଲକରେ 94.2 ମିମି ବର୍ଷା ହୋଇଛି । ତେବେ ଜିଲ୍ଲାର ଉଭୟ ବ୍ଲକରେ ବନ୍ୟା ପରିସ୍ଥିତି ଦେଖିବାକୁ ମିଳିଛି । ଲଗାତାର ବଢିଚାଲିଥିବା ବର୍ଷାର ପ୍ରକୋପ କାରଣରୁ ଗ୍ରାମାଞ୍ଚଳ ଏବଂ ସହରାଞ୍ଚଳମାନଙ୍କରେ ସମାନ ସ୍ଥିତି ଦେଖିବାକୁ ମିଳିଛି ।
ନଦୀ ଗୁଡିକର ବଢି ପାଣି ଗାଁ ଗୁଡିକରେ ପ୍ରବେଶ କରିଛି । ଯାହା ଫଳରେ ଗାଁ ଗୁଡିକର ଅବସ୍ଥା ଶୋଚନୀୟ ହୋଇପଡିଥିବାବେଳେ, ରାସ୍ତା ଘାଟ ମଧ୍ୟ ଜଳରେ ପରିପୂର୍ଣ୍ଣ ହୋଇଛି । ବହୁ ଗୁଡିଏ ଗ୍ରାମ ଜଳମଗ୍ନ ହୋଇ ବାହ୍ୟ ଜଗତରୁ ବିଛିନ୍ନ ହୋଇପଡ଼ିଛି । ସେହିପରି ବରପାଲି ବ୍ଲକ କୁମ୍ଭାରୀ ଓ ରେମତାକୁ ସଂଯୋଗ କରୁଥିବା ବୁରୋଗାଡ଼ ନଦୀର ପାଣି ବୃଦ୍ଧି ପାଇ ପୋଲ ଉପର ଦେଇ ଯାଉଛି । ଫଳରେ କୁମ୍ଭାରୀ ତଥା ଆଖପାଖ ଅଞ୍ଚଳର ବାହ୍ୟ ଜଗତରୁ ବିଛିନ୍ନ ହୋଇପଡିଛି ।
ବ୍ରିଜ ଉପର ଦେଇ ପାଣି ଆସୁଥିବାରୁ ଲୋକଙ୍କ ଯାତାୟାତ ମଧ୍ୟ ଠପ ହୋଇପଡିଛି । ସେହିପରି ବରଗଡ ସହର ଭିତରେ ମଧ୍ୟ କୃତ୍ରିମ ବନ୍ୟା ସୃଷ୍ଟି ହୋଇ ଘର ମାନଙ୍କରେ ଅଣ୍ଟାଏ ଲେଖାଏଁ ପାଣି ପଶି ଯିବାରୁ ବହୁ ହଇରାଣ ହେଉଛନ୍ତି ଲୋକେ । ଚଳିତ ବର୍ଷ ବରଗଡ ଜିଲ୍ଲାରେ ପ୍ରଥମ ଥର ପାଇଁ ଏପରି ମୁଷଳ ଧାରାରେ ଲଗାତାର ବର୍ଷା ହୋଇଥିବା ଦେଖିବାକୁ ମିଳିଛି ।
ବରଗଡରୁ ରାଜେଶ ସରାପ, ଇଟିଭି ଭାରତ