ବରଗଡ଼: "ମୁଁ ଗୁଡ୍ଡୁ ମୁସଲିମ ନୁହେଁ । ମୋ ନାମ ହେଉଛି ଶେଖ ହମିଦ ମହମ୍ମଦ । ହେଲେ ଜାତୀୟ ଗଣମାଧ୍ୟମରେ କାହିଁକି ମତେ ଗୁଡ୍ଡୁ ମୁସଲିମ ବୋଲି କୁହାଯାଉଛି ଏବଂ ମୋର ଭିଡିଓକୁ ଭାଇରାଲ କରାଯାଉଛି ?" ଏପରି ପ୍ରଶ୍ନ ଉଠାଇଛନ୍ତି ବରଗଡ ଜିଲ୍ଲା ସୋହେଲାର ଜଣେ ମୁସଲିମ ବ୍ୟବସାୟୀ । ସେ ରମଜାନ ସମୟରେ ସୋହେଲାର ମସଜିଦକୁ ଆସିଥିଲେ ନମାଜ ପାଠ ପାଇଁ । ଜାତୀୟ ଗଣମାଧ୍ୟମରେ ଏକ ଭିଡିଓ ଭାଇରାଲ ହୋଇଥିଲା ଏବଂ ଏହା ବରଗଡ଼ ଜିଲ୍ଲାରେ ଗୁଡ୍ଡୁ ମୁସଲିମର ବୋଲି କୁହାଯାଉଥିଲା । ତେବେ ଜାତୀୟ ଗଣମାଧ୍ୟମରେ ଏହି ଖବର ପ୍ରସାରିତ ହେବାପରେ ସୋହେଲାର ଜଣେ ବ୍ୟକ୍ତି ଗତକାଲି(ମଙ୍ଗଳବାର) ଗଣମାଧ୍ୟମ ସାମନାକୁ ଆସିଛନ୍ତି । ଭାଇରାଲ ହେଉଥିବା ଭିଡିଓଟି ମୋର ଏବଂ ମୁଁ ଗୁଡ୍ଡୁ ମୁସଲିମ ନୁହେଁ ବୋଲି ସେ କହିଛନ୍ତି ।
ସୂଚନା ଅନୁଯାୟୀ ଉତ୍ତର ପ୍ରଦେଶରେ ଉମେଶ ପାଲ ହତ୍ୟାକାଣ୍ଡ ଘଟଣାରେ ସମ୍ପୃକ୍ତ ଥିବା ଗୁଡ୍ଡୁ ମୁସଲିମ ନାମକ ଆସାମୀ ଫେରାର ହୋଇଯାଇଥିବା ବେଳେ ବରଗଡ଼ ଜିଲ୍ଲା ସହିତ ଗୁଡ୍ଡୁ ମୁସଲିମର ଲିଙ୍କ ରହିଥିବା ନେଇ ୟୁପି ପୋଲିସ ହାତରେ ସୁରାକ ଲାଗିଥିଲା । ଏପ୍ରିଲ ୧୭ ତାରିଖରେ ବରଗଡ଼ ପହଞ୍ଚିଥିଲେ ୟୁପି ପୋଲିସ ଏବଂ STF ଟିମ । ରାଜା ଖାନ ନାମକ ବରଗଡ଼ ଜିଲ୍ଲାର କୁଖ୍ୟାତ ଅପରାଧୀକୁ ପୋଲିସ ଜେରା କରିବା ସହିତ ରାଜା ଖାନର ବିଭିନ୍ନ ସ୍ଥାନରେ ରହିଥିବା ଘର ଗୁଡ଼ିକରେ ଚଢାଉ କରାଯାଇଥିଲା । ସୋହେଲାର ମସଜିଦକୁ ଗୁଡ୍ଡୁ ଆସିଥିବା ସନ୍ଦେହ କରି ସେଠାରେ ଲାଗିଥିବା ସିସିଟିଭି ଫୁଟେଜ ଗୁଡିକୁ ଜବତ କରି ୟୁପି ପୋଲିସ ନେଇଥିଲା STF ଟିମ ।