ବରଗଡ଼: ଜିଲ୍ଲାରେ କ୍ୟାନ୍ସର ରୋଗୀଙ୍କ ସଂଖ୍ୟା ଦିନକୁ ଦିନ ବଢିବାରେ ଲାଗିଛି । ଏଭଳି ସ୍ଥିତିରେ ଛୋଟ ଛୋଟ ପିଲାଙ୍କଠାରେ ହୃଦୟ ରୋଗ ବଢି ଚାଲିଥିବା ଜିଲ୍ଲା ପାଇଁ ଏକ ଚିନ୍ତାର ବିଷୟ ପାଲଟିଛି । ସରକାରଙ୍କ ଜାତୀୟ ସ୍ବାସ୍ଥ୍ୟ ମିଶନର ବାଲ ସ୍ବାସ୍ଥ୍ୟ କାର୍ଯ୍ୟକ୍ରମରେ ବରଗଡ଼ର ମୋବାଇଲ ଟିମ ଜିଲ୍ଲାର ବିଭିନ୍ନ ବ୍ଲକରୁ 3 ବର୍ଷରୁ 12 ବର୍ଷ ମଧ୍ୟରେ ବହୁ ଶିଶୁମାନଙ୍କର ହୃଦୟ ରୋଗ ରହିଥିବା ଏକ ସ୍କ୍ରିନିଙ୍ଗ ଟେଷ୍ଟ ଜରିଆରେ ସନ୍ଦେହ କରିଥିଲେ ।
ତେବେ ହୃଦୟ ରୋଗ ସନ୍ଦେହ କରାଯାଉଥିବା ସମସ୍ତ ଶିଶୁମାନେ ଗରିବ ପରିବାରର ହୋଇଥିବାବେଳେ ଖର୍ଚ୍ଚ ବହୁଳ ଏହି ରୋଗର ଚିକିତ୍ସା କରିବା ପାଇଁ କୌଣସି ପରିବାର ଆର୍ଥିକ ଦୃଷ୍ଟିରୁ ସକ୍ଷମ ନଥିବା ଜଣାପଡିଛି । ତେଣୁ ସେମାନଙ୍କୁ ସରକାରଙ୍କ ପକ୍ଷରୁ ଚିକିତ୍ସା ଓ ଯାତାୟତର ସମସ୍ତ ଖର୍ଚ୍ଚ ଆର୍ବିଏସ୍କେ ବହନ କରିଛି ।
ବର୍ତ୍ତମାନ ସୁଦ୍ଧା ଜିଲ୍ଲାର 43 ଜଣ ଶିଶୁଙ୍କ ହୃଦୟ ରୋଗ ଚିହ୍ନଟ କରାଯିବା ପରେ ସେମାନଙ୍କୁ ଭୁବନେଶ୍ବରସ୍ଥିତ ଶ୍ରୀ ସାଇ ଜନନୀ କ୍ୟାମ୍ପସକୁ ପଠାଯାଇଛି । ସମସ୍ତ ଶିଶୁଙ୍କ ଦୁଇଜଣ ଅଭିଭାବକଙ୍କ ସହିତ ଆର୍ବିଏସ୍କେର ଅମୀୟ ସାହୁ, ଚୂଡାମଣି ଦେବତା, ଡ଼ଃ ଯଯାତି ରାଉତ, ବସନ୍ତ ସାମଲ ପ୍ରମୁଖ ଦୁଇଟି ବସ ମାଧ୍ୟମରେ ଭୁବନେଶ୍ବରକୁ ଯାଇଛନ୍ତି ।