ବରଗଡ: ପଶ୍ଚିମ ଓଡିଶାର ସଂଗ୍ରାମୀ ପୀଠ ଭାବେ ବେଶ ଜଣାଶୁଣା ବରଗଡ ଜିଲ୍ଲା ର ପାଣିମୋରା ଗାଁ । ଜିଲ୍ଲା ସଦର ମହକୁମା ଠାରୁ ପଶ୍ଚିମକୁ ୨୬ କି.ମି ଗଲେ ପଡେ ସୋହେଲା ବ୍ଲକ । ସେଠାରୁ ପ୍ରାୟ ୮କି.ମି. ଉତ୍ତରରେ ରହିଛି ପାଣିମୋରା ଗାଁ । ଗାନ୍ଧୀଙ୍କ ଅହିଂସା ନୀତିରେ ଅନୁପ୍ରାଣୀତ ହୋଇ ବ୍ରିଟିସ ହଟାଓ ଆନ୍ଦୋଳନରେ ସାମିଲ ହୋଇଥିଲେ ଏହି ଗାଁର 32 ସଂଗ୍ରାମୀ । କାରାବରଣ ବି ଭୋଗିଥିଲେ । ଏଥି ଯୋଗୁଁ ତ ଏହି ଗ୍ରାମକୁ ସଂଗ୍ରମୀ ପୀଠ ବୋଲି କୁହାଯାଇଥାଏ । ହେଲେ ଏହି ଐତିହାସିକ ସ୍ମୃତିପୀଠ ଆଜି ଅବହେଳିତ । ପ୍ରଶାସନର ନଜର ଆଢୁଆଳରେ ଥିବା ଏହି ଗାଁକୁ ଯେମିତି ଭୁଲିଯାଇଛନ୍ତି ସରକାର ।
ପଶ୍ଚିମ ଓଡ଼ିଶାର ପାଣିମୋରା ହେଉଛି ଏକମାତ୍ର ଗାଁ ଯେଉଁଠି ଗୋଟିଏ ଗାଁ ର ସର୍ବାଧିକ ୩୨ ଜଣ ସଂଗ୍ରାମୀ ଇଂରେଜଙ୍କ ବିରୋଧରେ ସ୍ବର ଉତ୍ତୋଳନ କରି ଜେଲ କାରାଦଣ୍ଡ ଭୋଗିଥିଲେ | ସେଥିପାଇଁ ଦେଶ ସ୍ବାଧିନ ପରଠାରୁ ଚର୍ଚ୍ଚାରେ ରହିଛି ଏହି ସଂଗ୍ରାମୀଙ୍କ ଗାଁ ପାଣିମୋରା | ପ୍ରତି ବର୍ଷ ସ୍ବାଧିନତା ଦିବସରେ ସଂଗ୍ରମୀଙ୍କୁ ସମ୍ମାନିତ କରିଥାନ୍ତି ପାଣିମୋରା ଗ୍ରାମବାସୀ | ୩୨ ଜଣ ସ୍ୱାଧୀନତା ସଂଗ୍ରାମୀଙ୍କ ମଧ୍ୟରୁ ଦୁଇଜଣ ଜୀବିତ ରହିଥିଲେ । କିନ୍ତୁ ଚଳିତ ଅଗଷ୍ଟ ୧୦ରେ ୯୫ ବର୍ଷୀୟ ସଂଗ୍ରାମୀ ଦୟାନିଧି ନାୟକ ଆଖିବୁଜି ଦେଇଥିଲେ । ତେବେ ବର୍ତ୍ତମାନ ବଞ୍ଚିରହିଛନ୍ତି ଆଉ କେବଳ ଜଣେ ମାତ୍ର ବୀର ସଂଗ୍ରାମୀ | ୧୯୧୯ ମସିହାରେ ଜନ୍ମଗ୍ରହଣ କରିଥିବା ଜିତେନ୍ଦ୍ର ପଧାନ ୧୦୦ ବର୍ଷ ବୟସରେ ପଦାର୍ପଣ କରି ଆଜି ମଧ୍ୟ ସ୍ବାଧିନ ଦେଶକୁ ନିଜ ଚକ୍ଷୁରେ ଦେଖିଆସୁଛନ୍ତି |
ଭାରତରୁ ବ୍ରିଟିସଙ୍କୁ ତଡିବା ପାଇଁ ଜାତିର ପିତା ମହାତ୍ମା ଗାନ୍ଧୀ ଯେଉଁ ସ୍ବରାଜ ଆନ୍ଦୋଳନ ଆରମ୍ଭ କରିଥିଲେ ସେଥିରେ ଅନୁପ୍ରାଣିତ ହୋଇ ପାଣିମୋରା ଗାଁର ବହୁ ବ୍ୟକ୍ତି ନିଜ ଜୀବନକୁ ବଳିଦାନ ଦେଇଛନ୍ତି । ସେମାନଙ୍କ ମଧ୍ୟରୁ ପ୍ରାୟ ୩୨ ଜଣ ଏହି ସ୍ୱାଧିନତା ସଂଗ୍ରାମରେ କାରାବରଣ କରିଥିଲେ । ସଂଗ୍ରାମୀ ଚମୁରୁ ପରଡିଆ, ଫୁଲସରା ପଧାନ, ଦୟାନିଧି ନାୟକ, ଡମ୍ବରୁଧର ଦେଓା୍ୱନ, ମିନକେତନ ସରାଫ,ଚୈତନ୍ୟ ସାହୁ, ଚନ୍ଦ୍ରଭାନୁ ପରଡିଆ, ପ୍ରଭାକର ସାହୁ, ପ୍ରଭାକର ପଧାନ, ଜିତେନ୍ଦ୍ରୀୟ ପଧାନ, ମଦନ ଭୋଇ ପ୍ରମୁଖ ଆନ୍ଦୋଳନରେ ମୁଖ୍ୟଙ୍କ ନେତୃତ୍ୱ ତୁଲାଇଥିଲେ । ଏମାନଙ୍କ ମଧ୍ୟରୁ ଦୟାନିଧି ନାୟକ ୬ ମାସ ପାଇଁ କାରାବରଣ କରିଥିବା ବେଳେ ଜିତେନ୍ଦ୍ରୀୟ ପଧାନ ୧ ବର୍ଷ କାରାବରଣ କରିଥଲେ । ୬ ମାସ କାରାବରଣ କରିଥିବା ଦୟାନିଧି ନାଏକ ୭୩ ତମ ସ୍ଵାଧୀନତା ଦିବସ ନିଜ ଆଖିରେ ଦେଖି ପାରିନଥିବା ବେଳେ ବର୍ତ୍ତମାନ ଜୀବିତ ଥିବା ଜଣେ ମାତ୍ର ସଂଗ୍ରାମୀ ଜିତେନ୍ଦ୍ର ପ୍ରଧାନଙ୍କର ଦେଶପ୍ରେମ ଭାବ ଏବେ ବି ତାଙ୍କଠାରେ ଭରପୁର ରହିଛି ।
ମହାତ୍ମା ଗାନ୍ଧୀଙ୍କ ୧୯୪୨ ଭାରତଛାଡ ଆନ୍ଦୋଳନ ସ୍ମୃତିକୁ ସତେଜ ରଖିଛନ୍ତି ପାଣିମୋରା ଗ୍ରାମବାସୀ । ୧୯୪୨ ମସିହାରେ ଗାଁର ୪୨ ଜଣ ସ୍ବାଧିନତା ସଂଗ୍ରାମର ବହ୍ନିରେ ଲମ୍ଫ ମାରିଥିବା ବେଳେ ଅଳ୍ପ ବୟସ ଯୋଗୁଁ ୧୦ ଜଣଙ୍କୁ ଫେରାଇ ଦିଆଯାଇଥିଲା । ସେହି ଦିନଠୁ ଗାଁର ପ୍ରତ୍ୟେକଙ୍କ ଭିତରେ ଦେଖିବାକୁ ମିଳେ ଦେଶପ୍ରେମଭାବ । ଗ୍ରାମର ଛୋଟ ଛୁଆ ଠାରୁ ଆରମ୍ଭ କରି ବୃଦ୍ଧ ପର୍ଯ୍ୟନ୍ତ ସମସ୍ତେ ଏକତାର ଅତୁଟ ବନ୍ଧନରେ ବାନ୍ଧିହୋଇ ରହିଛନ୍ତି । ୧୯୪୭ରୁ ପ୍ରତିଦିନ ଗାଁ ମନ୍ଦିରରେ ନିରବଚ୍ଛିନ୍ନ ଭାବରେ ସକାଳ ପ୍ରାର୍ଥନା ଅନୁଷ୍ଠିତ ହୋଇଥାଏ । ଯେଉଁଥିରେ ବନ୍ଦେ ମା ତରମ ଗାନ ହୋଇଥାଏ ।