ବରଗଡ: ଆଜି ଦେଶ ହର୍ଷୋଲ୍ଲାସର ସହିତ 73 ତମ ସ୍ଵାଧୀନତା ଦିବସ ପାଳନ କରୁଛି । ତେବେ ସ୍ଵାଧୀନତା କିପରି ହାସଲ କରାଯାଇଥିଲା ? ଦେଶକୁ ସ୍ଵାଧୀନ କରିବା ପାଇଁ କେତେ ଯେ ପ୍ରାଣବଳୀ ଦେଇଛନ୍ତି, ତାହା ମନେ ପକାଇ ଭାବ ବିଭୋର ହୋଇପଡିଛନ୍ତି ସ୍ଵାଧୀନତା ସଂଗ୍ରାମୀ ଜିତେନ୍ଦ୍ର ପ୍ରଧାନ |
ଭିଡିଓ ସୌଜନ୍ୟ: ସମ୍ବାଦଦାତା, ବରଗଡ ୧୦୦ ବର୍ଷ ବୟସରେ ପଦାର୍ପଣ କରିଥିବା ଜିତେନ୍ଦ୍ର ପ୍ରଧାନଙ୍କ ହୃଦୟରେ ଆଜି ମଧ୍ୟ ରହିଛି ଗଭୀର ଦେଶଭକ୍ତି | ଭାରତ ମାତାକୁ ଇଂରେଜ ମାନଙ୍କର କବଳରୁ ମୁକୁଳାଇବା ପାଇଁ ସ୍ଵାଧୀନତା ସଂଗ୍ରାମରେ ଝାସ ଦେଇ ଜେଲ ଯାଇଥିବା ସମୟର କଥା ଏବେବି ତାଙ୍କ ମନରେ ଝଲସି ଯାଉଛି |
ବରଗଡ ଜିଲ୍ଲା ସୋହେଲା ବ୍ଲକ ଅନ୍ତର୍ଗତ ପାଣିମୋରା ହେଉଛି ପଶ୍ଚିମ ଓଡ଼ିଶାର ଏକମାତ୍ର ଗାଁ, ଯେଉଁଠି ଗୋଟିଏ ଗାଁର ସର୍ବାଧିକ ୩୨ ଜଣ ସଂଗ୍ରାମୀ ଇଂରେଜ ମାନଙ୍କ ବିରୋଧରେ ସ୍ବର ଉତ୍ତୋଳନ କରି ଜେଲ କାରାଦଣ୍ଡ ଭୋଗିଥିଲେ | ମହାତ୍ମା ଗାନ୍ଧୀଙ୍କ ଅହିଂସା ଆନ୍ଦୋଳନ ବେଳେ ଏହି ଗ୍ରାମରୁ ସର୍ବାଧିକ ୩୨ ଜଣ କାରାବରଣ କରିଥିବା ଯୋଗୁଁ ଏହି ଗ୍ରାମକୁ ସଂଗ୍ରାମୀ ପୀଠ ବୋଲି କୁହାଯାଇଥାଏ । ତେବେ ଏହି ଗ୍ରାମର ୩୨ ଜଣ ସଂଗ୍ରାମୀ ମାନଙ୍କ ମଧ୍ୟରୁ ଏବେ ଜଣେ ମାତ୍ର ଜୀବିତ ରହିଛନ୍ତି |
‘ଇଟିଭି ଭାରତ’ ପକ୍ଷରୁ ପାଣିମୋରାର ଏହି ସ୍ଵାଧୀନତା ସଂଗ୍ରାମୀଙ୍କୁ ଭେଟି ସେ ସମୟର ଅନୁଭୂତି ବିଷୟରେ ପଚରାଯିବାରୁ ସଂଗ୍ରାମୀ ଶ୍ରୀ ପ୍ରଧାନ କିଛି ସମୟ କହିବା ପରେ ଭାବ ବିଭୋର ହୋଇପଡିଥିଲେ । ଆଖିରୁ ତାଙ୍କର ଝରିଯାଇଥିଲା ଝର ଝର ଲୁହ | ଦେଶ ପ୍ରତି ରହିଥିବା ତାଙ୍କର ଗଭୀର ଶ୍ରଦ୍ଧା, ଭକ୍ତି ଓ ପ୍ରେମ ଯେମିତି ଏବେବି କାଣିଚିଏ କମିନାହିଁ |
ବରଗଡରୁ ରାଜେଶ ସରାପ, ଇଟିଭି ଭାରତ