ବରଗଡ:ପଦ୍ମପୁର ଉପନିର୍ବାଚନ(Padampur Bypoll) ପ୍ରଚାର ବେଳେ ଖବର ସଂଗ୍ରହ କରୁଥିବା ସାମ୍ବାଦିକଙ୍କ ଉପରେ ଆକ୍ରମଣ କରିବା ନେଇ ବିଜେପି ପ୍ରାର୍ଥୀ ପ୍ରଦୀପ ପୁରୋହିତଙ୍କ ବିରୁଦ୍ଧରେ ଥାନାରେ ଅଭିଯୋଗ ହୋଇଛି । ଏନେଇ ଏକ ବୈଦ୍ୟୁତିକ ଗଣମାଧ୍ୟମର ସାମ୍ବାଦିକ ପଦ୍ମପୁର ଥାନାରେ ପୁରୋହିତଙ୍କ ନାଁରେ ଏତଲା ଦେଇଛନ୍ତି । ତାଙ୍କର ଅଭିଯୋଗ ଯେ, ‘‘ଗତକାଲି ସନ୍ଧ୍ୟାରେ ପ୍ରଚାର ଶେଷ ହୋଇଥିବା ବେଳେ ବିଜେପି ପ୍ରାର୍ଥୀ ଆଦର୍ଶ ଆଚରଣ ବିଧି ଉଲ୍ଲଙ୍ଘନ କରି ପ୍ରଚାର କରୁଥିଲେ । ଏନେଇ ସାମ୍ବାଦିକ ପ୍ରଶ୍ନ କରିବାରୁ ପୁରୋହିତଙ୍କ ଇସାରାରେ ତାଙ୍କ ଉପରେ ଦଳବଦ୍ଧ ଆକ୍ରମଣ କରାଯାଇଥିଲା ।’’
ଅଭିଯୋଗ ମୁତାବକ, ବିଜେପି ପ୍ରାର୍ଥୀ ପ୍ରଦୀପ ପୁରୋହିତ ସନ୍ଧ୍ୟା ସମୟରେ ବରିହାପାଲି ଠାରେ ପ୍ରଚାର କରୁଥିବା ବେଳେ ସାମ୍ବାଦିକ ରାଜକିଶୋର ବେହେରା ଓ ତାଙ୍କ କ୍ୟାମେରାମ୍ୟାନ ପହଞ୍ଚି ତାଙ୍କୁ ଆଚରଣ ବିଧି ଉଲ୍ଲଙ୍ଘନ ନେଇ ପ୍ରଶ୍ନ କରିଥିଲେ । ଏହାକୁ ନେଇ ସେଠାରେ ଥିବା ପ୍ରଦୀପ ପୁରୋହିତଙ୍କ ସମର୍ଥକଙ୍କ ମଧ୍ୟରେ ଉତ୍ତେଜନା ଦେଖାଦେଇଥିଲା । ପୁରୋହିତଙ୍କ ଇସାରରେ ସାମ୍ବାଦିକଙ୍କ ଉପରେ ଆକ୍ରମଣ କରାଯିବା ସହିତ ତାଙ୍କର କ୍ୟାମେରା ଭାଙ୍ଗି ଦେଇଥିବା ଥାନାରେ ଅଭିଯୋଗ ହୋଇଛି ।