ବରଗଡ଼:ଦିନକୁ ଦିନ ବଢ଼ୁଛି ଚାଷୀ ଅସନ୍ତୋଷ । ଓଡିଶାର ଭାତ ହାଣ୍ଡି କୁହାଯାଉଥିବା ବରଗଡ ଜିଲ୍ଲାର ଚାଷୀଙ୍କ ମଧ୍ୟରେ ବଢିବାରେ ଲାଗିଛି କ୍ଷୋଭ । ଚାଷୀଙ୍କ ଖରିଫ ଫସଲ ଧାନ ଅମଳ ହୋଇସାରିଥିବା ବେଳେ ସରକାର ଆଜି ଯାଏ ମଣ୍ଡି ଗୁଡିକୁ ଖୋଲିନାହାନ୍ତି । ଯାହାଫଳରେ ଚାଷୀ ତାର ଅମଳ ଧାନ ବିକ୍ରି କରି ନପାରି ଖୋଲା ଆକାଶ ତଳେ ପକାଇ ରଖିଛି । ଯାହାକୁ ନେଇ ଆଜି ଓଡିଶା ରାଜ୍ୟ କୃଷକ ସଂଗଠନ ବରଗଡ଼ ଜିଲ୍ଲାପାଳଙ୍କ ଦ୍ବାରସ୍ଥ ହୋଇଥିଲା । ତେବ ତୁରନ୍ତ ମଣ୍ଡି ଖୋଲିବା ନେଇ ଅଫିସରେ ଜିଲ୍ଲାପାଳଙ୍କ ଅନୁପସ୍ଥିତିରେ ଅତିରିକ୍ତ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରିଛି ସଂଗଠନ ।
ସୂଚନା ଅନୁଯାୟୀ, ଚଳିତ ଖରିଫ ଫସଲ ପାଇଁ ବରଗଡ଼ ଜିଲ୍ଲା ପ୍ରଶାସନ ଦ୍ବାରା ଧାନ ସଂଗ୍ରହ ପ୍ରକ୍ରିୟା ଆଜି ପର୍ଯ୍ୟନ୍ତ ଆରମ୍ଭ କରାଯାଇନାହିଁ । କିଛି ଦିନ ପୂର୍ବରୁ ଜିଲ୍ଲା ପ୍ରଶାସନ ଓ ଚାଷୀଙ୍କ ମଧ୍ୟରେ ହୋଇଥିବା ଜରୁରୀ ବୈଠକରେ ଚାଷୀମାନେ ଶୀଘ୍ର ଧାନ ମଣ୍ଡି ଖୋଲାଯିବାକୁ ଦାବି କରିଥିଲେ । ମାତ୍ର ଜିଲ୍ଲା ପ୍ରଶାସନ ଏଥିପ୍ରତି ଚିନ୍ତା କରିବ ବୋଲି କହିଥିଲେ ମଧ୍ୟ ତାହା ନକରି ପ୍ରଶାସନ ପକ୍ଷରୁ ଯେଉଁ ଦିନ ମଣ୍ଡି ଖୋଲାଯିବାର ନିଷ୍ପତ୍ତି ନିଆଯାଇଥିଲା ସେହି ଦିନ ପାଇଁ ଅପେକ୍ଷାରେ କରି ବସିଛି । ଅନ୍ୟପଟେ ବରଗଡ଼ ଜିଲ୍ଲା ଅତାବିରା ଅଞ୍ଚଳରେ ଚାଷୀଙ୍କ ଧାନ ଅମଳ ହୋଇସାରିଲାଣି । ଚାଷୀମାନେ ନିଜ କ୍ଷେତ ଖଳାରେ ଭଗବାନଙ୍କ ଭରସାରେ ଧାନ ଖୋଲା ଆକାଶ ତଳେ ପକାଇ ରଖିଛନ୍ତି । ସମସ୍ତ ଚାଷୀ ଧାନ ମଣ୍ଡି କେବେ ଖୋଲିବ ତାହାର ଅପେକ୍ଷାରେ ରହିଛନ୍ତି ।