ବରଗଡ:ଜିଲ୍ଲାରେ ଧାନର ସମସ୍ୟାକୁ ନେଇ ଆଜି ଜଣେ ଚାଷୀ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି | ବରଗଡ ଜିଲ୍ଲା ବରପାଲି ବ୍ଲକ ଅନ୍ତର୍ଗତ ବାରଗୁଡା ଗ୍ରାମର ଚାଷୀ ଭଗବାନ ପ୍ରଧାନ କୀଟନାଶକ ଖାଇ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି |
51 ବର୍ଷର ଚାଷୀ ଭଗବାନ ପ୍ରଧାନ 14 ଏକର ଜମିରେ ଧାନ ଚାଷ କରିଥିବା ବେଳେ 10 ଏକର ଜମିରେ ଭାଗଚାଷୀ ହିସାବରେ ଚାଷ କରିଥିଲେ ଏବଂ ନିଜର 4 ଏକର ଜମିରେ ନିଜେ ଧାନ ଚାଷ କରିଥିଲେ | ଅଦିନିଆ ବର୍ଷ କାରଣରୁ 14 ଏକର ଜମିରୁ 6 ଏକର ଜମିର ଧାନ ସମ୍ପୂର୍ଣ ନଷ୍ଟ ହୋଇଯାଇଥିଲା | ତେବେ ବହୁ କଷ୍ଟରେ କରିଥିବା ଫସଲ ନଷ୍ଟ ହେବା ଦେଖି ଭଗବାନ ସହ୍ୟ କରିପାରିନଥିଲେ ଏବଂ ମାନସିକ ଭାରସାମ୍ୟ ହରାଇ ସେ ଦୁଇ ଦିନ ତଳେ ଲଟାମରା କୀଟନାଶକ ଖାଇଦେଇଥିଲେ | ପରିବାର ଲୋକେ ତାଙ୍କୁ ପ୍ରଥମେ ବରପାଲି ଡାକ୍ତରଖାନାରେ ଭର୍ତ୍ତି କରିଥିଲେ ଏବଂ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ପରେ ବୁର୍ଲା ଡାକ୍ତର ଖାନା ରେ ଭର୍ତ୍ତି କରାଯାଇଥିଲା | ଆଜି କିନ୍ତୁ ତାଙ୍କର ମୃତ୍ୟୁ ହୋଇଯାଇଛି |