ବରଗଡ: କୃଷି ପ୍ରଧାନ ବରଗଡ ଜିଲ୍ଲାରେ ନକଲୀ ସାର କାରଖାନା। ବେଆଇନ ନକଲି ସାର କାରଖାନା ଉପରେ ଚଢାଉ କରି ପୋଲିସ 9 ଜଣଙ୍କୁ ଗିରଫ କରିବା ସହିତ ବହୁ ମାତ୍ରାରେ ଗଚ୍ଛିତ ଥିବା ନକଲି ସାର ଓ ଅନ୍ୟାନ୍ୟ ସରଞ୍ଜାମ ଜବତ କରିଛି । ବରଗଡ ଜିଲ୍ଲା ଚାଷୀ ପ୍ରଧାନ ଜିଲ୍ଲା ହୋଇଥିବା ବେଳେ ଜିଲ୍ଲାରେ ବ୍ୟାପକ ମାତ୍ରାରେ ସାର ବ୍ୟବସାୟ ହୋଇଥାଏ । ଏହାର ଫାଇଦା ଉଠାଇ କିଛି ଦୁର୍ବୃତ୍ତ ବେଆଇନ ସାର କାରଖାନା ନିର୍ମାଣ କରିଥିଲେ । ନକଲି ସାରା ପ୍ରସ୍ତୁତ କରି ବଜାରକୁ ଯୋଗାଣ କରୁଥିଲେ । ବଜାରରେ ନକଲି ସାର ମିଳୁଥିବା ଅଭିଯୋଗ ହେବାପରେ ପୋଲିସ ଏହାର ତଦନ୍ତ କରିଥିଲା । ପଦ୍ମପୁର ଉପଖଣ୍ଡ ଅଞ୍ଚଳରେ ଥିବା ଗାଇସିଲେଟ ବ୍ଲକର ଯାମମାଳ ଗ୍ରାମରେ ଏହି ନକଲି ସାରା କାରଖାନାକୁ ଠାବ କରି ସମସ୍ତ ଅଭିଯୁକ୍ତମାନଙ୍କୁ ଗିରଫ କରିଥିଲା ପୋଲିସ ।
ପ୍ରଥମେ ଏହି ନକଲି ସାର କାରଖାନା ସମ୍ପର୍କରେ ପୋଲିସ ସୂଚନା ପାଇ ବରଗଡ ଏସପି ପ୍ରହଲ୍ଲାଦ ମୀନାଙ୍କ ନିର୍ଦ୍ଦେଶ କ୍ରମେ କାରଖାନା ଉପରେ ଚଢ଼ାଉ କରିଥିଲା ପୋଲିସ । ମୁଖ୍ୟ ଅଭିଯୁକ୍ତ ହୃଷିକେଶ ସାହୁର ତତ୍ବାବଧାନରେ ନକଳି ସାର ପ୍ରତି ପ୍ୟାକେଟକୁ 1200 ଟଙ୍କାରେ ବିକ୍ରି କରାଯାଉଥିଲା । ତେବେ ଘେସଁ ସ୍ଥିତ ଶଙ୍କର ଟ୍ରେଡ଼ର୍ସ ସାର ଦୋକାନକୁ 140 ପ୍ୟାକେଟ ନକଲି ସାର ଯାଇଥିବା ତଦନ୍ତରେ ଜଣା ପଡ଼ିବା ପରେ ଉକ୍ତ ଦୋକାନକୁ ସିଲ୍ କରାଯାଇଥିବା ପଦ୍ମପୁର ଏସଡିପିଓ ବିଭୁତି ଭୂଷଣ ଭୋଇ ସୂଚନା ଦେଇଛନ୍ତି ।