ବରଗଡ଼: ସରକାରୀ ଜମି ଜବରଦଖଲ ନେଇ ଆକ୍ସନ ମୋଡ଼ରେ ଜିଲ୍ଲା ପ୍ରଶାସନ । ଦୀର୍ଘ 50 ବର୍ଷରୁ ହୋଇଥିବା ଜବରଦଖଲର ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ ହୋଇଛି । ବରଗଡ଼ ଲେଙ୍ଗୁମିଶ୍ର ଛକ ଠାରେ 5 ଗୋଟି JCB ସହିତ 1 ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇ ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ କରାଯାଇଥିଲା । ଜବରଦଖଲ ହଟାଯିବା ନେଇ ଜିଲ୍ଲା ପ୍ରଶାସନ ପୂର୍ବରୁ 48 ଘଣ୍ଟାର ସମୟ ଦେଇଥିବା ବେଳେ ସମୟ ସୀମା ସମାପ୍ତ ହେବାପରେ ଉଚ୍ଛେଦ କାର୍ଯ୍ୟ ଆରମ୍ଭ ହୋଇଯାଇଛି । ଜବରଦଖଲ ଉଚ୍ଛେଦ ବେଳେ ଘଟଣାସ୍ଥଳରେ କିଛି ସମୟଧରି ଉତ୍ତେଜନା ଦେଖା ଦେଇଥିଲା ।
ଦୀର୍ଘ 50 ବର୍ଷ ପୂର୍ବରୁ ବରଗଡ଼ ସହର ଦେଇ ଯାଇଥିଲା 6 ନମ୍ବର ଜାତୀୟ ରାଜପଥ । ଜୀରା ବ୍ରିଜ ଉପରେ ଇଂରେଜ ଶାଶନ ସମୟର ଲୁହାର ବ୍ରିଜ ଅତି ଦୁର୍ବଳ ହୋଇପଡିଥିବାରୁ ଏହି ରାସ୍ତା ଦେଇ ବଡ଼ବଡ଼ ଯାନବାହାନ ଚଳାଚଳ ନକରି ନୂତନ ଭାବେ ନିର୍ମିତ ବାଇପାସ ରୋଡକୁ ବ୍ୟବହାର କରଯାଇଥିଲା । ତେବେ ବରଗଡ଼ ଟାଉନ ଭିତରୁ ଯାଇଥିବା ସେହି ପୁରାତନ 6 ନମ୍ବର ଜାତୀୟ ରାଜପଥର ଓସାର 120 ଫୁଟ ରହିଥିଲା । ମାତ୍ର ଧୀରେଧୀରେ ରାସ୍ତାର ଉଭୟ ପାର୍ଶକୁ ବେଆଇନ ଭାବେ ଜବରଦଖଲ କରି ଲୋକେ ବଡ଼ବଡ଼ ଅଟ୍ଟାଳିକା ନିର୍ମାଣ କରିଦେଇଥିଲେ । ବର୍ତ୍ତମାନ ସେହି ରାସ୍ତା 120 ଫୁଟରୁ ମାତ୍ର 30 ଫୁଟ ରହିଛି । ଯାହାଫଳରେ ଏହି ରାସ୍ତାରେ ପ୍ରତିଦିନ ବ୍ୟାପକ ଟ୍ରାଫିକ ସମସ୍ୟା ଉପୁଜୁଛି । ତେଣୁ ବରଗଡ଼ବାସୀ ଦୀର୍ଘ ଦିନରୁ ଏଠାରେ ରହିଥିବା ବେଆଇନ ଜବରଦଖଲକୁ ଉଚ୍ଛେଦ କରିବା ପାଇଁ ଦାବି କରିଆସୁଥିଲେ ସୁଦ୍ଧା କୌଣସି ସୁଫଳ ମିଳିପାରୁନଥିଲା ।