ବରଗଡ: ସଦର ବ୍ଲକ ବେହେରା ଗ୍ରାମରେ ତିନୋଟି ପରିବାର ପଲିଥିନ ତଳେ କିପରି ଦୟନୀୟ ଅବସ୍ଥାରେ ଜୀବନ କାଟୁଛନ୍ତି ତାହା ଇଟିଭି ଭାରତରେ ଖବର ପ୍ରସାରଣ ହୋଇଥିଲା । ତେବେ ଇଟିଭି ଭାରତର ପ୍ରଭାବ ରେ ବହୁ ସମାଜସେବୀ ଏହି ଅସହାୟ ପରିବାର ନିକଟକୁ ସାହାଯ୍ୟ ଓ ସହଯୋଗ ପାଇଁ ଆଗେଇ ଆସିଛନ୍ତି । ଫଟା ପଲିଥିନ ତଳେ ଖରା, ବର୍ଷା ଓ ଶୀତର ଯନ୍ତ୍ରଣା ସହ୍ୟ କରି ନିଜ କୁଡିଆରେ ଭାରି ଦୁଃଖରେ ଦିନକାଟୁଥିବା ଗରିବ ପରିବାରଙ୍କୁ ଲକଡାଉନ ସମୟରେ ମଧ୍ୟ ସରକାର ସାହାଯ୍ୟର ହାତ ବଢାଇଲେ ନାହିଁ । କିନ୍ତୁ ଖବର ପାଇବା ମାତ୍ରେ ଏହି ପରିବାରକୁ ସାହାଯ୍ୟର ହାତ ବଢାଇଛନ୍ତି ନିଷ୍ଠା ପରିବାର ।
ନାଁ ଚାରି କାନ୍ଥ ଅଛି, ନାଁ ଅଛି ଛାତ । ଦିନରେ ସୂର୍ଯ୍ୟ କିରଣ ଏବଂ ରାତିରେ ଦେଖାଯାଉଛି ତାରା, ଫଟା ଦଦରା ପଲିଥିନ ଢଙ୍କା କୁଡିଆରେ କଟୁଛି ଦିନ । ଏ ଅଫିସରୁ ସେ ଅଫିସ ଦୌଡ଼ି ଦୌଡ଼ି ନୟାନ୍ତ ହୋଇଗଲେ ବି ସରକାରୀ ଅଫିସରୁ ମିଳେ ପ୍ରତିଶ୍ରୁତିର କାଗଜ ଖଣ୍ଡିଏ । ସରପଞ୍ଚକୁ କହିଲେ ଲିଷ୍ଟ ରେ ନାଁ ନାହିଁ , ଘର ଯୋଗାଇବେ କେମିତି ଶୁଣିଶୁଣି ଦିନ ବିତିଯାଏ । ଛାତିକୁ ପଥର କରି ପୁରୁଣା ଶାଢ଼ୀ ଓ କନା ଘେରା ଜାଗାରେ ରାନ୍ଧିବା, ଖାଇବା, କପଡ଼ା ବୁଣିବା ,ଶୋଇବା,ଛୁଆଙ୍କ ପାଠ ପଢ଼ା ସବୁ ଚାଲିଥାଏ । ଶେଷରେ ନିଜ ଭାଗ୍ୟକୁ ଦୋଷ ଦେଇ ଭଗବାନ ଭରସାରେ ନିଜକୁ ଛାଡିଦେଇଥିଲେ । ଇଟିଭି ଭାରତରେ ଏହି ଦୁଃଖୀ ପରିବାରର ଖବର ପ୍ରାସରଣ ପରେ ସମାଜସେବୀ ସଂଗଠନ ନିଷ୍ଠା ପରିବାର ବେହେରା ଗ୍ରାମକୁ ପହଞ୍ଚି ସମସ୍ତ ପରିବାରକୁ ଖାଦ୍ୟ ସାମଗ୍ରୀ ଯୋଗେଇବା ସହିତ ଫଟା ଛାତକୁ ସଜାଡିବା ପାଇଁ ପଲିଥିନ ପ୍ରଦାନ କରିଥିଲେ |