ବରଗଡ: ଓଡିଶାରେ ଭୟର ବାତାବରଣ ସୃଷ୍ଟି କରିଛି ସାମୁଦ୍ରିକ ଝଡ 'ଫନି' । ଏହି ଝଡ ଆସନ୍ତା 3 ତାରିଖରେ ଓଡିଶାର ଉପକୂଳକୁ ଛୁଇଁବା ମାତ୍ରେ ତାଣ୍ଡବ ରଚିବ ବୋଲି ପୂର୍ବାନୁମାନ କରାଯାଉଛି । ତେବେ ରାଜ୍ୟରେ ବାତ୍ୟାକୁ ନେଇ ଭୟାବହ ପରିସ୍ଥିତି ସୃଷ୍ଟି ହେବାର ସମ୍ଭାବନା ରହିଛି ବୋଲି ରାଜ୍ୟ ସରକାର ସମସ୍ତ ଜିଲ୍ଲାରେ ସଜାଗ ରହିବା ପାଇଁ ନିର୍ଦେଶ ଦେଇଛନ୍ତି ।
'ଫନି' ଝଡର ପ୍ରଭାବରେ ପ୍ରଚୁର ପରିମାଣରେ ଲାଗିରହିବ ବର୍ଷା । ବହୁ ନଦୀକୂଳିଆ ଅଞ୍ଚଳରେ ବାତ୍ୟା ପରିସ୍ଥିତି ହେବାର ସମ୍ଭାବନା ଯୋଗୁଁ ସମସ୍ତ ଜିଲ୍ଲାର ଜିଲ୍ଲାପାଳମାନଙ୍କୁ ଆଗୁଆ ସତର୍କ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି । ସେପଟେ ବାତ୍ୟାକୁ ନେଇ ବରଗଡ ଜିଲ୍ଲାପାଳ ଇନ୍ଦ୍ରମଣି ତ୍ରିପାଠୀଙ୍କ ଅଧ୍ଯକ୍ଷତାରେ ଜିଲ୍ଲା ପ୍ରାକୃତିକ ବିପର୍ଯ୍ୟୟ କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି ।
ଆଗତ୍ୟ ସମ୍ଭାବ୍ୟ ବାତ୍ୟା ଫନିର ସଫଳ ମୁକାବିଲା ନିମନ୍ତେ ସଜାଗ ରହିବା ସହିତ ଯଥୋଚିତ ପଦକ୍ଷେପ ଗ୍ରହଣ କରିବା ପାଇଁ ଜିଲ୍ଲାର ସମସ୍ତ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା । ଏହି ବୈଠକରେ ଜିଲ୍ଲାର ସମସ୍ତ ବିଭାଗ ନିଜ ନିଜର ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା ସମ୍ବନ୍ଧୀୟ ପ୍ରସ୍ତୁତି ବିଷୟରେ ଅବଗତ କରାଇଥିଲେ । ବାତ୍ୟା ପ୍ରଭାବିତ ଅଞ୍ଚଳରେ ଖାଦ୍ୟଶସ୍ୟ ଏବଂ ପଲିଥିନ ମହଜୁଦ ରଖିବା ସହିତ ନିଜ ନିଜ ଜରୁରୀ କାଳୀନ ପରିଚାଳନା କକ୍ଷ ୨୪ ଘଣ୍ଟା କାର୍ଯ୍ୟକ୍ଷମ କରିବା ସହିତ ଜିଲ୍ଲା କାର୍ଯ୍ୟାଳୟକୁ ସମସ୍ତ ଅଞ୍ଚଳର ପରିସ୍ଥିତି ଉପରେ ସୂଚନା ଦେବାକୁ ନିର୍ଦ୍ଦେଶ ଦିଆଯାଇଛି ।