ବରଗଡ: ଦିତ୍ବୀୟ ପର୍ଯ୍ୟାୟ ମତଦାନ ପୂର୍ବ ଦିନ ବରଗଡରେ ନିର୍ବାଚନୀ ହିଂସାକାଣ୍ଡ । ଏହି ଘଟଣାରେ ମନ୍ତ୍ରୀ ସୁଶାନ୍ତ ସିଂଙ୍କ ଭାଇ ସୁବ୍ରତ ସିଂଙ୍କ ନାମରେ ଥାନାରେ ଏତଲା | ବରଗଡରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜେ ପ୍ରାର୍ଥୀ ଭାବେ ନିର୍ବାଚନକୁ ଓହଲ୍ଲାଇଥିବା ବେଳେ ସାରା ରାଜ୍ୟବାସୀଙ୍କ ନଜର ରହିଛି ଏହି ଜିଲ୍ଲା ଉପରେ | ତେବେ ଗୁରୁବାର ଦିତ୍ବୀୟ ପର୍ଯ୍ୟାୟ ନିର୍ବାଚନ । ବିଜେପୁରରେ ନବୀନ ପଟ୍ଟନାୟକଙ୍କ ପ୍ରତିଦ୍ବନ୍ଦ୍ବୀ ବିଜେପି ପ୍ରାର୍ଥୀ ସନଥ ଗଡ଼ତିଆଙ୍କ ଗାଡିକୁ ଟେକା ପଥର ମାରି ଆକ୍ରମଣ କରିବା ଘଟଣା ଘଟିବାର କିଛି ସମୟ ପରେ ଭଟଲି ବିଧାନସଭା ନିର୍ବାଚନ ମଣ୍ଡଳୀରେ ବିଜେପି କର୍ମୀଙ୍କୁ ମାଡ ଅଭିଯୋଗ ଆସିଛି । ଏଥରେ ଭଟଲି ନିର୍ବାଚନମଣ୍ଡଳୀରୁ ବିଜେଡି ବିଧାୟକ ପ୍ରାର୍ଥୀ ଲାଗି ସୁଶାନ୍ତ ସିଂଙ୍କ ଭାଇ ସୁବ୍ରତ ସିଂଙ୍କ ସମ୍ପୃକ୍ତି ଥିବା ବିଜେପି ପକ୍ଷରୁ କୁହାଯାଇଛି ।
ମୁଖ୍ୟମନ୍ତ୍ରୀଙ୍କର ପ୍ରତିଦ୍ବନ୍ଦ୍ବୀ ବିଜେପିର ସନଥ ଗଡ଼ତିଆଙ୍କୁ ଆକ୍ରମଣ ଘଟଣା ସାରା ଆଞ୍ଚଳରେ ଚର୍ଚାର ବିଷୟ ହୋଇଛି । ସେହିଭଳି ଭଟଲି ବିଧାନସଭା ନିର୍ବାଚନ ମଣ୍ଡଳୀରେ ମଧ୍ୟ ନିର୍ବାଚନର ଦିନକ ପୂର୍ବରୁ ଶ୍ରମ ମନ୍ତ୍ରୀ ସୁଶାନ୍ତ ସିଂଙ୍କ ଭାଇ ସୁବ୍ରତ ସିଂ ନିଜର ୨୦- ୨୫ ଜଣ ସମର୍ଥକଙ୍କ ସହ ତରାକନା ଗ୍ରାମରେ ବିଜେପି କର୍ମୀଙ୍କ ଉପରେ ମରଣାନ୍ତକ ଆକ୍ରମଣ କରିଛନ୍ତି । ବିଜେପି ନେତା ତଥା ପୂର୍ବତନ ଭଟଲି ସରପଞ୍ଚ ପ୍ରହଲ୍ଲାଦ ପଧାନ ଏବଂ ଭଟଲି PACS ଅଧ୍ୟକ୍ଷ ଭାଗୀରଥି ପଧାନ ଓ ଅନ୍ୟ ଜଣେ କର୍ମୀ ରାଜେନ୍ଦ୍ର ସନ୍ୟାସୀଙ୍କୁ ତରାକନା ଗ୍ରାମରେ କରାଯାଇଛି ରକ୍ତାକ୍ତ ଆକ୍ରମଣ ।