ବରଗଡ:ଆଉ ୨ଦିନ ପରେ ବରଗଡ ଜିଲ୍ଲାରେ ହେବାକୁ ଯାଉଛି ଅତାବିରା ଏନଏସି ନିର୍ବାଚନ । ଆଜି ପ୍ରଚାରର ଶେଷ ଦିନ । ତେବେ ହାତରେ କମ ରହିଥିବା ଯୋଗୁଁ ପ୍ରତାରକୁ ଜୋରସୋର କରିଛନ୍ତି ତିନି ପ୍ରମୁଖ ଦଳ । ଗ୍ରୀଷ୍ମର ତାତି ସହ ଅତାବିରା ନିର୍ବାଚନ ତାତି ତାଳ ଦେଇ ବଢିବାରେ ଲାଗିଛି । ତେବେ ଗତକାଲି(ଗୁରୁବାର) ତିନି ଦଳ ନିର୍ବାଚନ ପ୍ରଚାରକୁ ଜୋରଦାର କରିଥିଲେ । ସମସ୍ତ ଦଳ ନିଜ ନିଜର ମୁଦ୍ଦା ନେଇ ଘରକୁ ଘର ଭୋଟ ପାଇଁ ଯାଉଥିବା ବେଳେ ଆସନ୍ତା ୫ତାରିଖରେ ଫଳାଫଳ ହିଁ କହିବ ଜନତା ଜନାର୍ଦ୍ଦନ କେଉଁ ଦଳ ଉପରେ ଆସ୍ଥା ଓ ଭରସା ରଖିଛନ୍ତି ।
ଆଜି ଅତାବିରା NAC ନିର୍ବାଚନର ପ୍ରଚାର ପ୍ରସାରର ଶେଷ ଦିନ । ଅତାବିରାର ୧୨ଗୋଟି ୱାର୍ଡରେ ସମସ୍ତ ଦଳ ପକ୍ଷରୁ ଦିନରାତି ଚାଲିଛି ଜୋରସୋର ପ୍ରଚାର ପ୍ରସାର । ବିଜେପି ଓ କଂଗ୍ରେସ ଦଳ ଅପେକ୍ଷା ପ୍ରଚାର ପ୍ରସାରରେ ବହୁ ଗୁଣ ଆଗରେ ରହିଛି ବିଜେଡି ଦଳ । ବିଜେଡି ସମର୍ଥିତ ପ୍ରାର୍ଥୀମାନଙ୍କ ପାଇଁ ବିଜେଡି ଦଳ ତରଫରୁ ପ୍ରତିଦିନ ହେଭିୱେଟ ନେତାଙ୍କୁ ଆଣି ପ୍ରଚାର କରୁଛି । ଅତାବିରାର ୧୨ଗୋଟି ୱାର୍ଡ ମାନଙ୍କରେ ବିଜେଡି ଦଳ ପକ୍ଷରୁ ନେତା ଓ ମନ୍ତ୍ରୀଙ୍କ ସାଧାରଣ ସଭାରେ ସହିତ ଘରକୁ ଘର ଯାଇ ବିଜେଡି ସମର୍ଥିତ ପ୍ରାର୍ଥୀ ମାନଙ୍କ ପାଇଁ ଭୋଟ ଭିକ୍ଷା ଜାରି ରଖିଛନ୍ତି ।
ଓଡିଶାର ଭାତହାଣ୍ଡି କୁହାଯାଉଥିବା ବରଗଡ ଜିଲ୍ଲାର ଅତାବିରା ଅଞ୍ଚଳରେ ବର୍ତ୍ତମାନ ଚାଷୀମାନେ ନିଜ ନିଜର ଚାଷ କାମରେ ବ୍ୟସ୍ତ ରହିଥିବା ବେଳେ ଚାଷୀଙ୍କୁ ଆକୃଷ୍ଟ କରିବା ସହିତ ସଭା ସମିତି ମାନଙ୍କରେ ଭିଡ ଜମାଇବାକୁ ସମସ୍ତ ଦଳ ପ୍ରୟାସ କରୁଛନ୍ତି । ଚାଷୀମାନେ ସନ୍ଧ୍ୟା ସମୟରେ ନିଜ କାମଧାମ ସାରି ଘରକୁ ଫେରୁଥିବା ବେଳେ ନେତା ଓ ମନ୍ତ୍ରୀମାନେ ମଧ୍ୟ ସନ୍ଧ୍ୟା ସମୟକୁ ପ୍ରଚାର ପ୍ରସାର ପାଇଁ ଅଧିକ ଗୁରୁତ୍ଵ ଦେଉଥିବା ଦେଖିବାକୁ ମିଳିଛି ।