ବରଗଡ: ଗନ୍ଧମାର୍ଦ୍ଦନ ପର୍ବତକୁ ଇକୋ ସେନ୍ସିଟିଭ ଜୋନ ( ECZ ) ଘୋଷଣା କରିବା ପାଇଁ ଦାବି କରିଛି ଗନ୍ଧମାର୍ଦ୍ଧନ ସୁରକ୍ଷା ଯୁବ ପରିଷଦ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକ କମ୍ପାନୀ ଜରିଆରେ ଗନ୍ଧମାର୍ଦ୍ଧନ ରେ ପୁନଃ ଖଣି ଖୋଲିବା ପାଇଁ ଷଡଯନ୍ତ୍ର କରୁଥିବାରୁ ଏହାକୁ ଦୃଢ ନିନ୍ଦା କରାଯିବା ସହିତ 5 ଗୋଟି ଦାବି ପୂରଣ କରାଯାଉ ନଚେତ ଆଗାମୀ ଦିନରେ ଗନ୍ଧମାର୍ଦ୍ଧନ ସୁରକ୍ଷା ଯୁବ ପରିଷଦ ଆନ୍ଦୋଳନକୁ ଓହ୍ଲାଇବ ବୋଲି ସ୍ଥିର କରିଛି । ବରଗଡ଼ ଜିଲ୍ଲା ନୃସିଂହନାଥ ସ୍ଥିତ ଗାନ୍ଧୀପୀଠ ଠାରେ ଅନୁଷ୍ଠିତ ଗନ୍ଧମାର୍ଦ୍ଧନ ସୁରକ୍ଷା ଯୁବ ପରିଷଦର 36ତମ ପ୍ରତିଷ୍ଠା ଦିବସରେ ରାଜ୍ୟ ସରକାରଙ୍କ ଠାରେ ଦାବି କରାଯାଇଛି ।
ଗନ୍ଧମାର୍ଦ୍ଧନ ପର୍ବତକୁ ଇକୋ ସେନ୍ସିଟିଭ ଜୋନ ଘୋଷଣା ପାଇଁ ଦାବି ଅତୀତରେ ଗନ୍ଧମାର୍ଦ୍ଧନ ଖଣି ପ୍ରକଳ୍ପକୁ ବ୍ୟାପକ ବିରୋଧ କରାଯାଇ ତୀବ୍ର ଜନ ଅସନ୍ତୋଷ ଏବଂ ଆନ୍ଦୋଳନ ଚାଲିଥିଲା ଏବଂ ଜନମତ କୁ ସମ୍ମାନ ଜଣାଇ ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ବର୍ଗତ ଜାନକୀ ବଲ୍ଲଭ ପଟ୍ଟନାୟକ ଓ ସ୍ବର୍ଗତ ବିଜୁ ପଟ୍ଟନାୟକ ଗନ୍ଧମାର୍ଦ୍ଧନ ପର୍ବତରେ ଖଣି ପ୍ରକଳ୍ପକୁ ବାତିଲ କରିଥିବା ବେଳେ ବତ୍ତର୍ମାନର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗନ୍ଧମାର୍ଦ୍ଧନ ରେ ପୁନଃ ଖଣି ଖୋଲିବା ପାଇଁ ଷଡଯନ୍ତ୍ର କରୁଥିବାରୁ ପୁଣି ଗନ୍ଧମାର୍ଦ୍ଦନ ସୁରକ୍ଷା ଯୁବ ପରିଷଦ ସକ୍ରିୟ ହୋଇପଡିଛି ।
ମୁଖ୍ୟମନ୍ତ୍ରୀଙ୍କ ଏପରି ଯୋଜନାକୁ ଦୃଢ ନିନ୍ଦା କରି ଆଗାମୀ ରଣନୀତି ପାଇଁ ପ୍ରସ୍ତୁତି ଆରମ୍ଭ କରିଦେଇଛି ।
ଗନ୍ଧମାର୍ଦ୍ଧନ ସୁରକ୍ଷା ଯୁବ ପରିଷଦର କାର୍ଯ୍ୟକର୍ତ୍ତା ୫ଟି ପ୍ରମୁଖ ଦାବିକୁ ସର୍ବ ସମ୍ମତି କ୍ରମେ ସଭାରେ ଅନୁମୋଦିତ କରିଛନ୍ତି। ସଂପୂର୍ଣ୍ଣ ଗନ୍ଧମାର୍ଦ୍ଧନ ପାହାଡକୁ ଇକୋ ସେନ୍ସିଟିଭ ଜୋନ ଘୋଷଣା କରିବା ପାଇଁ ରାଜ୍ୟ ସରକାର କେନ୍ଦ୍ରକୁ ପ୍ରସ୍ତାବ ଦେବା, ନୃସିଂହନାଥ ଓ ହରିଶଙ୍କର ପର୍ଯ୍ୟଟନ ସ୍ଥଳିକୁ ଜାତୀୟ ପର୍ଯ୍ୟଟନ ସ୍ଥଳିର ମାନ୍ୟତା ଦେବା, ଗନ୍ଧମାର୍ଦ୍ଧନ ପର୍ବତରେ ଉପଲବ୍ଧ 22 ଶହ ଦୁର୍ଲଭ ବନୌଷଧିକୁ ଆଧାର କରି ଔଷଧ ନିର୍ମାଣ ର ପ୍ରକଳ୍ପ ସ୍ଥାପନ କରିବା,ଐତିହାସିକଙ୍କ ମତ ଅନୁଯାୟୀ ଗୌତମ ବୃଦ୍ଧଙ୍କ ପଟ୍ଟଶିଷ୍ୟ ନାଗାର୍ଜୁନଙ୍କ ଦ୍ବାରା ଗନ୍ଧମାର୍ଦ୍ଧନରେ ପ୍ରତିଷ୍ଠିତ ହୋଇଥିବା " ବୌଦ୍ଧ ବିଶ୍ବ ବିଦ୍ୟାଳୟ " ପରିସରକୁ ଚିହ୍ନଟ କରି ତାକୁ ଐତିହାସିକ ପୀଠ ର ମାନ୍ୟତା ଦେବା , " ପଣ୍ତିଆନି ଘର " ଯେଉଁ ଠାରୁ ୨ ଶହ ବର୍ଷ ଧରି ନୃସିଂହନାଥ ମନ୍ଦିର ପରି ଚାଳିତ ହେଉଥିଲା ତାହା ଏବେ ଧ୍ବଂସ ମୁଖରେ,ଏହାର ସୁରକ୍ଷା କରାଯିବା । ଏହି ଦାବି ଗୁଡିକ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଠାରେ ଉପସ୍ଥାପନ କରିବା ପାଇଁ ସ୍ଥିର କରାଯାଇଛି |
ପୂର୍ବତନ ବିଧାୟକ ପ୍ରଦୀପ ପୁରୋହିତ ପ୍ରତିଷ୍ଠା ଦିବସର ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବା ବେଳେ ଗନ୍ଧମାର୍ଦ୍ଧନ ଆନ୍ଦୋଳନକାରୀ ରଘୁବୀର ସିଂ ବରିହା,ଦୁର୍ଯ୍ୟୋଧନ ପୁଟା,ଧିରେନ ମହାନ୍ତି, ସୌକିଲାଲ ସାହୁ, ରାଜେନ୍ଦ୍ର ସେଠ,ରାହାସ ବିହାରୀ ସାହୁ, ଡମ୍ବରୁ ଧର ରଣା,ସୁବୋଧ ପଣ୍ତା, ଲୋଚନ ପ୍ରଧାନ,ଗଣେଶ ମହଲା,କୈଲାସ ଦିଶ୍ରୀ,ବଳରାମ ସାହୁ, ରାଜେନ୍ଦ୍ର ବରିହା,ସୁଶାନ୍ତ ପଣ୍ତା, କର୍ତ୍ତନ ଦାଉ,ଦୟାନନ୍ଦ ମାଝୀ ଆଦି ଆଲୋଚନାରେ ସକ୍ରିୟ ଅଂଶଗ୍ରହଣ କରିଥିଲେ ।
ଖପ୍ରାଖୋଳ, ନୂଆପଡା, ବଲାଙ୍ଗୀର, ପାଟଣାଗଡ, ପଦ୍ମପୁର ଅଞ୍ଚଳର ଯୁବ ପରିଷଦ ସକ୍ରିୟ ସଦସ୍ୟ ମାନେ ଏହି ପ୍ରତିଷ୍ଠା ଦିବସରେ ସାମିଲ ହୋଇଥିଲେ ।
ବରଗଡରୁ ରାଜେଶ ସରାପ, ଇଟିଭି ଭାରତ