ବରଗଡ଼: ଦାଦନ ଖଟିବାକୁ ଯାଇଥିବା ଶ୍ରମିକଙ୍କୁ ହତ୍ୟା କରାଯାଇଥିବା ଘଟଣା । ନ୍ୟାୟ ଦାବି ନେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଦ୍ବାରସ୍ତ ହେଲେ ପରିବାର ଲୋକେ ଓ ଗ୍ରାମବାସୀ । ପୋଲିସ ନିକଟରେ ଏକାଧିକ ଥର ଅଭିଯୋଗ କରିବା ପରେ ମଧ୍ୟ ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନଥିବା ଅଭିଯୋଗ ଆଣିଛନ୍ତି ମୃତ ଶ୍ରମିକଙ୍କ ପତ୍ନୀ ।
ସୂଚନା ଅନୁଯାୟୀ, ବରଗଡ଼ ଜିଲ୍ଲା ଭେଡେନ ବ୍ଲକର ହିରୋମୁଣ୍ଡା ଗ୍ରାମର ବାସିନ୍ଦା କ୍ଷୀର ସିନ୍ଧୁ ମହାନନ୍ଦ ଗତ ମାର୍ଚ୍ଚ ମାସ 28 ତାରିଖରେ ଦାଦନ ଖଟିବାକୁ ବାହାର ରାଜ୍ଯକୁ ଯାଇଥିଲେ । ଟ୍ରେନ୍ରେ ଯାତ୍ରା କରୁଥିବା ସମୟରେ ସେଠାରେ ପ୍ରବାସୀମାନେ ତାଙ୍କୁ ହତ୍ୟା କରିଦେଇଥିବା କ୍ଷୀରସିନ୍ଧୁ ମହାନନ୍ଦଙ୍କ ସ୍ତ୍ରୀ ଅଭିଯୋଗ କରିଥିଲେ ।
ଶ୍ରମିକଙ୍କ ସ୍ତ୍ରୀଙ୍କ ଅଭିଯୋଗ କରିଛନ୍ତି, "ସ୍ବାମୀଙ୍କ ମୃତ୍ୟୁକୁ ନେଇ ବାରମ୍ବାର ଥାନାର ଦ୍ବାରସ୍ତ ହେଇ ନିରାଶ ହୋଇଛି । ମୌଖିକ ତଥା ଲିଖିତ ଆକାରରେ ଅନେକ ଥର ଥାନାରେ ଅଭିଯୋଗ କରିଛି । ମାତ୍ର ପୋଲିସ ବିଭାଗ ପକ୍ଷରୁ ଏଯାଏଁ କୌଣସି ତଦନ୍ତ କରାଯାଇ ନାହିଁ । ଫଳରେ ସ୍ୱାମୀଙ୍କ ମୃତ୍ୟୁ ପ୍ରମାଣପତ୍ର ମଧ୍ୟ ସେ ପାଇପାରୁନାହାନ୍ତି । ଯାହା ଫଳରେ ସେ କୌଣସି ସରକାରୀ ଯୋଜନାର ଅନ୍ତର୍ଭୁକ୍ତ ହୋଇପାରୁନାହାନ୍ତି । ସ୍ବାମୀଙ୍କୁ ହରାଇଲା ପରେ ପରିବାରର ବୋଝ ମୋ ଉପରେ ଥିବା ବେଳେ ସରକାର କି ଜିଲ୍ଲା ପ୍ରଶାସନ ପକ୍ଷରୁ କିଛି ସାହାଯ୍ୟ ସହଯୋଗ ପାଇନାହିଁ ।"