ବରଗଡ: ସେନା କ୍ୟାମ୍ପରେ ଫୁଟିଲା ଗୁଳି । ଡ୍ୟୁଟିରେ ଥିବା ସମୟରେ ଜୀବନ ହାରିଲେ ସିଆରପିଏଫ ଯବାନ । ଏଭଳି ଘଟଣା ଘଟିଛି ପଦ୍ମପୁର ଉପଖଣ୍ଡ ଜଗଦଲପୁର ଥାନା ଅଞ୍ଚଳର ସିଆରପିଏଫ କ୍ୟାମ୍ପରେ । ମୃତ ସିଆରପିଏଫ ଯବାନ ହେଉଛନ୍ତି ପ୍ରସନ୍ନଜିତ ପାଲ । ସେ ପଶ୍ଚିମବଙ୍ଗର ସ୍ଥାୟୀ ବାସିନ୍ଦା ହୋଇଥିବା ସୂଚନା ମିଳିଛି । ସେ ନିଜ ବନ୍ଧୁକରେ ନିଜେ ଗୁଳିକରି ଜୀବନ ହାରିଥିବା କୁହାଯାଉଛି । ତେବେ ସେ କେଉଁ କାରଣରୁ ମୃତ୍ୟୁର ରାସ୍ତାକୁ ଆପଣାଇଲେ ତାହା ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ହୋଇପାରିନି ।
ଗତକାଲି (ସୋମବାର) ପ୍ରସନ୍ନଜିତ ପାଲ ରାତି 10 ଟାରୁ 12 ଟା ପର୍ଯ୍ୟନ୍ତ ସୁରକ୍ଷା ଟାଓ୍ବାର ଉପରେ ଡ୍ୟୁଟି ରହିଥିଲା । ରାତି ପାଖାପାଖି ପ୍ରାୟ 11 ଟା 30 ମିନିଟ ସମୟରେ ହଠାତ ଗୁଳି ଫୁଟିବାର ଶବ୍ଦ ଶୁଣିବାକୁ ମିଳିଥିଲା l ଏହା ଶୁଣିବା ପରେ ସାଥି ଯବାନ ମାନେ ଘଟଣାସ୍ଥଳରେ ପହଞ୍ଚି ଯବାନ ପ୍ରସନ୍ନଜିତ ପାଲଙ୍କୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ତଳେ ପଡିଥିବା ଦେଖିବାକୁ ପାଇଥିଲେ । ଏଥିସହ ତାଙ୍କ ହାତରେ ବନ୍ଧୁକ ଥିବା ଦେଖିବାକୁ ମିଳିଥିଲା l ଏହାପରେ ସଙ୍ଗେ ସଙ୍ଗେ ତାଙ୍କୁ ପଦ୍ମପୁର ଡାକ୍ତରଖାନାକୁ ନିଆଯାଇଥିଲା, ହେଲେ ସେଠାରେ ତାଙ୍କର ମୃତ୍ୟୁ ହୋଇଥିବା ଡ଼ାକ୍ତର ଘୋଷଣା କରିଥିଲେ l ଘଟଣାର ସ୍ଥିତି ଅନୁଧ୍ୟାନ ପରେ ସେ ନିଜେ ନିଜକୁ ଗୁଳିକରିଥିବା ଜଣାପଡ଼ିଛି l