କାଳବୈଶାଖୀ ପ୍ରଭାବରେ ବରଗଡ଼ରେ ଫସଲ ନଷ୍ଟ ବରଗଡ଼: କାଳବୈଶାଖୀ ପ୍ରଭାବରେ ଫସଲ ନଷ୍ଟ ହୋଇଥିବାରୁ କ୍ଷତିପୂରଣ ଦାବିରେ ଜିଲ୍ଲପାଳ କାର୍ଯ୍ୟାଳୟ ଘେରିଲେ ଚାଷୀ । ବରଗଡ଼ ବ୍ଲକ ଅନ୍ତର୍ଗତ ନୁନିଆଁ ଜାମପାଲି, ଖରମୁଣ୍ଡା ଓ ବନ୍ଦା ପଞ୍ଚାୟତର ଶତାଧିକ କ୍ଷତିଗ୍ରସ୍ତ ଚାଷୀ ଜିଲାପାଳ କାର୍ଯ୍ୟାଳୟ ଆସି କ୍ଷତିପୂରଣ ପାଇଁ ଦାବି ଜଣାଇଥିଲେ । ଜିଲ୍ଲାପାଳଙ୍କ ଅନୁପସ୍ଥିତରେ ସହକାରୀ ଜିଲ୍ଲାପାଳ ନିରୁପମା ବୁଡେକ ଏବଂ ମୁଖ୍ୟ ଜିଲ୍ଲା କୃଷି ଅଧିକାରୀ ଅଶୋକ କୁମାର ଅମାତଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ ।
ଏହା ମଧ୍ୟ ପଢ଼ନ୍ତୁ:କାଳବୈଶାଖୀର ତାଣ୍ଡବ, ବଜ୍ରପାତରେ ଜଳିଗଲା 6 ବଖରା ଘର
ଗତ ୨୨ ତାରିଖ ସନ୍ଧ୍ୟାରେ ବରଗଡ଼ ଜିଲ୍ଲାରେ କାଳବୈଶାଖୀର କରାଳ ରୂପ ଦେଖିବାକୁ ମିଳିଥିଲା । ଝଡବର୍ଷା ସାଙ୍ଗକୁ କୁଆପଥର ବୃଷ୍ଟିପାତ ହୋଇଥିଲା । କୁଆପଥର ବର୍ଷା ଯୋଗୁଁ ଚାଷୀଙ୍କ ସୁନାର ଧାନ ଫସଲ ଉଜୁଡି ଯାଇଛି । ଜିଲ୍ଲାର ଅତାବିରା, ବରଗଡ଼, ବରପାଲି, ବିଜେପୁର ବ୍ଲକର ବିଭିନ୍ନ ଗ୍ରାମରେ ଏହାର ପ୍ରଭାବ ଅଧିକ ରହିଥିଲା । ଫଳରେ ସମ୍ପୃକ୍ତ ଅଞ୍ଚଳରେ ଧାନ ଫସଲ ପ୍ରଭାବିତ ହୋଇଛି ।
ଏହା ମଧ୍ୟ ପଢ଼ନ୍ତୁ:ଭାତହାଣ୍ଡିରେ କାଳବୈଶାଖୀର ତାଣ୍ଡବ, ବଜ୍ରପାତରେ ଜଣଙ୍କ ମୃତ୍ୟୁ 4 ଗୁରୁତର
କେଣ୍ଡାରୁ ଧାନ ଝଡି ପଡି ନଷ୍ଟ ହୋଇଯାଇ ଥିବା ବେଳେ ପନିପରିବା ଫସଲ ମଧ୍ୟ ପ୍ରଭାବିତ ହୋଇଛି । ଯାହାକି ଚାଷୀଙ୍କ ଆର୍ଥିକ ମେରୁଦଣ୍ଡକୁ ଦୋହଲାଇ ଦେଇଛି । ଚଳିତ ବର୍ଷର କୁଆପଥର ମାଡ ଓ ଅଦିନିଆ ବର୍ଷା କିନ୍ତୁ ଧାନ ଫସଲ କରିଥିବା ଚାଷୀ ଅପେକ୍ଷା ଅନେକ ପନିପରିବା ଚାଷୀଙ୍କୁ ଅଧିକ କ୍ଷତି ଗ୍ରସ୍ତ କରି ପକାଇଛି । ଜିଲ୍ଲା ପ୍ରଶାସନ ପକ୍ଷରୁ କ୍ଷୟକ୍ଷତି ଆକଳନ କରି କ୍ଷତିଗ୍ରସ୍ତ ଚାଷୀମାନଙ୍କୁ କ୍ଷତିପୂରଣ ପ୍ରଦାନ କରିବାକୁ ଚାଷୀମାନେ ଦାବି କରିଛନ୍ତି ।
ଏହା ମଧ୍ୟ ପଢ଼ନ୍ତୁ:ଦାଉ ସାଧିଲା କାଳବୈଶାଖୀ, ନିଜ ତରଭୁଜ ଫସଲକୁ ଟ୍ରାକ୍ଟର ଚଢାଇ ହଳ କରିଦେଲେ ଚାଷୀ
ଏନେଇ ଚାଷୀ କହିଛନ୍ତି ଯେ, "କାଳବୈଶାଖୀ ଜନିତ ବର୍ଷା ଯୋଗୁଁ ଚାଷ କ୍ଷେତ୍ରରେ ବ୍ୟାପକ କ୍ଷତି ସହିବାକୁ ପଡ଼ିଛି । ଏକର ଏକର ଜମିରେ ଲାଗିଥିବା ଫସଲ ନଷ୍ଟ ହୋଇଯାଇଛି । ତେଣୁ ଜିଲ୍ଲା ପ୍ରଶାସନ ଏଥିପ୍ରତି ତୁରନ୍ତ ଦୃଷ୍ଟି ଦେଇ ଚାଷୀଙ୍କୁ କ୍ଷତିପୂରଣ ପ୍ରଦାନ କରନ୍ତୁ ।" ଯଦି କ୍ଷତିଗ୍ରସ୍ତ ଚାଷୀମାନଙ୍କୁ କ୍ଷତିପୂରଣ ପ୍ରଦାନ କରା ନଯାଏ, ତେବେ ଚାଷୀମାନେ ଆନ୍ଦୋଳନକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି । ଅନ୍ୟପଟେ ଜିଲ୍ଲା ପ୍ରଶାସନ ପକ୍ଷରୁ କ୍ଷତିପୂରଣ ପାଇଁ ଆକଳନ କରାଯିବ ଏବଂ ନିଶ୍ଚିତ କ୍ଷତିପୂରଣ ପ୍ରଦାନ କରାଯିବ ବୋଲି ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ପ୍ରତିଶ୍ରୁତି ଦେଇଛନ୍ତି ।
ଇଟିଭି ଭାରତ, ବରଗଡ଼