ବରଗଡ:ରାସ୍ତା କଡରୁ ପ୍ରେମୀ ଯୁଗଳଙ୍କ ମୃତଦେହ ଉଦ୍ଧାର । ବରଗଡ଼ରୁ ଭଟଲି ରାସ୍ତା ଟୁକୁର୍ଲ୍ଲା ଚଣ୍ଡୀ ମନ୍ଦିର ନିକଟରେ ଥିବା କାଜୁ ଜଙ୍ଗଲରୁ ଦୁଇ ଯୁବକ ଏବଂ ଯୁବତୀଙ୍କ ମୃତଦେହ ଉଦ୍ଧାର କଲା ପୋଲିସ । ତେବେ ଏହା ହତ୍ୟା ନା ଆତ୍ମହତ୍ୟା ସେନେଇ ତଦନ୍ତ କରୁଛି ପୋଲିସ । ଦୁଇ ମୃତକ ହେଉଛନ୍ତି ବରଗଡ଼ର ନିରଞ୍ଜନ ଭୁଏ ଓ ମୃତ ଯୁବତୀ ଜଣକ କଳାପାଣି ଗ୍ରାମର ବୋଲି ଜଣାପଡ଼ିଛି l ସ୍ଥାନୀୟ ଲୋକେ ଏହା ଆତ୍ମହତ୍ୟା ଜନିତ ମୃତ୍ୟୁ ହୋଇଥିବା ସନ୍ଦେହ କରୁଛନ୍ତି ।
ମିଳିଥିବା ସୂଚନା ଅନୁଯାୟୀ, ଟୁକୁର୍ଲ୍ଲା ଚଣ୍ଡୀ ମନ୍ଦିର ସମ୍ମୁଖ ରାସ୍ତା କଡରେ ଥିବା କାଜୁ ଜଙ୍ଗଲରେ ଯୁବକ ଯୁବତୀଙ୍କ ମୃତଦେହ ପଡିଥିବା ସ୍ଥାନୀୟ ଲୋକେ ଦେଖିବାକୁ ପାଇଥିଲେ । ଏନେଇ ସ୍ଥାନୀୟ ପୋଲିସକୁ ଘଟଣା ସମ୍ପର୍କରେ ସୂଚନା ଦେଇଥିଲେ । ଘଟଣାସ୍ଥଳରେ ପୋଲିସ ପହଞ୍ଚି ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଥିଲା । ତେବେ ସନ୍ଦେହ ଜନକ ଅବସ୍ଥାରେ ମୃତଦେହ ଉଦ୍ଧାର କରାଯାଇଥିବା ବେଳେ ଘଟଣାସ୍ଥଳରେ ଏକ ବାଇକ ପଡିଥିବା ବେଳେ ଉଭୟଙ୍କ ପରିଚୟ ପାଇଥିଲା ପୋଲିସ । ସେହିପରି ଏକ ବିଷ ବୋତଲ ଘଟଣାସ୍ଥଳରେ ପଡିଥିବାରୁ ଏହା ଆତ୍ମହତ୍ୟା ଜନିତ ମୃତ୍ୟୁ ନା ତାଙ୍କୁ ହତ୍ୟା କରାଯାଇଛି ସେନେଇ କିଛି ସୂଚନା ହସ୍ତଗତ ହୋଇ ନାହିଁ । ମୃତଦେହ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ପ୍ରକୃତ କାରଣ ସାମ୍ନାକୁ ଆସିବ ବୋଲି ପୋଲିସ ସୁତ୍ରରୁ ସୂଚନା ମିଳିଛି ।