ବରଗଡ: ସିଡ଼ିପିଓଙ୍କ ଦୁର୍ନୀତି ବିରୋଧର ଆନ୍ଦୋଳନକୁ ଓହ୍ଲାଇଛନ୍ତି ବରଗଡ଼ ଜିଲ୍ଲାର ଅଙ୍ଗନବାଡ଼ି ଓ ଆଶାକର୍ମୀ। କର୍ମୀ ଓ ସହାୟିକା ମାନେ ବିଜେପୁର ସିଡିପିଓ ଅଫିସ ଘେରାଓ କରି ସିଡିପିଓଙ୍କୁ ତୁରନ୍ତ ଚାକିରିରୁ ବହିଷ୍କାର ଦାବି କରି ଅଫିସ ଆଗରେ ଧାରଣା ଦେଇଥିଲେ।
ସିଡ଼ିପିଓଙ୍କ ଦୁର୍ନୀତି ପେଡି,ଆନ୍ଦୋଳନରେ ଅଙ୍ଗନବାଡ଼ି କର୍ମୀ ଅଭିଯୋଗକାରୀଙ୍କ କହିବା ଅନୁସାରେ, ଦୀର୍ଘ ଦୁଇ ବର୍ଷ ହେବ ସିଡିପିଓ ଚନ୍ଦ୍ରା ସାହୁ ଆଙ୍ଗନବାଡ଼ି କର୍ମୀ ଓ ସହାୟିକା ମାନଙ୍କଠୁ ବିଭିନ୍ନ କାର୍ଯ୍ୟକ୍ରମ ବାବଦରେ ଟଙ୍କା , ଶାଢ଼ୀ ଓ ସୁନା ଗହଣା ଆଦାୟ କରୁଥିଲେ। ଯେଉଁ କର୍ମୀ ମାନେ ଏହାକୁ ବିରୋଧ କରନ୍ତି ତାଙ୍କୁ ଜିଲ୍ଲାପାଳ ଓ ବରଗଡ ଡ଼ିଏସଡବ୍ଲୁଙ୍କୁ କହି ଚାକିରିରୁ ବହିଷ୍କାର କରିବା ଭଳି ଧମକ ଦେଉଥିବା ଅଭିଯୋଗ ହୋଇଛି ।
ଅଙ୍ଗନବାଡି କର୍ମୀ ମାନଙ୍କ ଠାରୁ ବାରମ୍ବାର ଏପରି ମୋଟା ଅଙ୍କ, ଶାଢ଼ୀ ଓ ସୁନାଗହଣା ଆଦି ଆଦାୟ କରିବା ଘଟଣାରେ ଅଙ୍ଗନବାଡ଼ି କର୍ମୀ ଓ ସହାୟିକା ମାନେ ଅତିଷ୍ଠ ହୋଇପଡିଥିଲେ। ଏନେଇ ଆଜି ବିଜେପୁର ଠାରେ ଏକ ବିରାଟ ରାଲିରେ ବାହାରି ସହର ପରିକ୍ରମା କରି ସିଡିପିଓଙ୍କ ବହିଷ୍କାର ଦାବିରେ ଜିଲ୍ଲାପାଳ ବରଗଡ, ଉପ ଜିଲ୍ଲାପାଳ ପଦ୍ମପୁର ଏବଂ ବିଡ଼ିଓ ବିଜେପୁରକୁ ଲିଖିତ ଭାବରେ ଜଣାଇଛନ୍ତି।
ସିଡିପିଓ ଚନ୍ଦ୍ରା ସାହୁଙ୍କ ବିରୋଧରେ ବିରୋଧ ପ୍ରଦର୍ଶନ ହେଉଥିବା ଜାଣି ଅଫିସକୁ ସିଡ଼ିପିଓ ଚନ୍ଦ୍ରା ସାହୁ ଆସିନଥିଲେ ଏବଂ ରାଜନୈତିକ ଚାପ ପକାଇ ଏହି ଆନ୍ଦୋଳନକୁ ଭଣ୍ଡୁରୁ କରିବା ପାଇଁ ଇଦ୍ୟମ କରିଥିବା ଅଭିଯୋଗ ହୋଇଛି। ତେବେ ଯେତେ ଦିନ ପର୍ଯ୍ୟନ୍ତ ଦାବି ପୂରଣ ନହେବ ସେତେ ଦିନ ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି ଆନ୍ଦୋଳନକାରୀ ଚେତାବାନୀ ଦେଇଛନ୍ତି ।
ବରଗଡରୁ ରାଜେଶ ସରାପ, ଇଟିଭି ଭାରତ