ବରଗଡ଼: ପଦ୍ମପୁର ଉପନିର୍ବାଚନ ପାଇଁ ଚାଲିଛି ଜୋରସୋର ପ୍ରଚାର । ହାତରେ ଆଉ ମାତ୍ର ଗୋଟିଏ ଦିନ ଥିବାବେଳେ ପ୍ରମୁଖ ଦଳର ହେଭିୱେଟ ନେତାମାନେ ମଧ୍ୟ ପଦ୍ମପୁର ମୁହାଁ ହେଉଛନ୍ତି । ଏହି କ୍ରମରେ ଆଜି (ଶୁକ୍ରବାର) ପଦ୍ମପୁର ପ୍ରଚାର ମୈଦାନକୁ ଓହ୍ଲାଇବେ ଶାସକ ଦଳ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବିଜେଡି ପ୍ରାର୍ଥିନୀ ବର୍ଷା ସିଂ ବରିହାଙ୍କ ପାଇଁ ଭୋଟ ମାଗିବେ ନବୀନ ।
ଆଜି ବର୍ଷାଙ୍କ ପାଇଁ ପ୍ରଚାର କରିବେ ନବୀନ ଆସନ୍ତା ଡିସେମ୍ବର 5 ତାରିଖରେ ପଦ୍ମପୁର ଉପନିର୍ବାଚନ ପାଇଁ ମତଦାନ ପ୍ରକ୍ରିୟା ରହିଥିବା ବେଳେ ଆସନ୍ତାକାଲି (ଶନିବାର) ସନ୍ଧ୍ୟାରେ ଶେଷ ହେବ ନିର୍ବାଚନୀ ପ୍ରଚାର । ବିଜେଡି ଦଳର ବହୁ ନେତା, ମନ୍ତ୍ରୀ ବର୍ଷାଙ୍କ ପାଇଁ ପଦ୍ମପୁରରେ ଡେରା ପକାଇଛନ୍ତି । ଶେଷରେ ଆଜି ଦଳର ସୁପ୍ରିମୋ ପ୍ରଚାର ମଙ୍ଗ ଧରିବେ । ଏହି କ୍ରମରେ ଝାରବନ୍ଦ, ପାଇକମାଳ ଓ ପଦ୍ମପୁର ଅଞ୍ଚଳରେ ବିଶାଳ ସାଧାରଣ ସଭାକୁ ସମ୍ବୋଧିତ କରିବେ ।
ଏହା ମଧ୍ୟ ପଢ଼ନ୍ତୁ:Assembly News: ୧୦ ବର୍ଷରେ ରାଜ୍ୟରେ ୩ ନଦୀବନ୍ଧ ଯୋଜନା
ଆଜି ସକାଳ 11ଟାରେ ମୁଖ୍ୟମନ୍ତ୍ରୀ ପଦ୍ମପୁରର ସତିଭଟାକୁ ପହଞ୍ଚି ଝାରବନ୍ଦ ଅଭିମୁଖେ ବାହାରିବେ । 11ଟା25ରେ ଝାରବନ୍ଦ ବ୍ଲକର ଶକ୍ତି ଛକଠାରେ ସାଧାରଣ ସଭାରେ ବର୍ଷାଙ୍କ ପ୍ରଚାର କାର୍ଯ୍ୟକ୍ରମରେ ଯୋଗଦେବେ ନବୀନ । ସେହିପରି ପାଇକମାଳ ସ୍ଥିତ ପାଇକମାଳ ହାଇସ୍କୁଲ ପଡିଆରେ ଜନସାଧାରଣଙ୍କୁ ଉଦବୋଧନ ଦେବେ । ଶେଷରେ ଅପରାହ୍ନ 3 ଟା 30 ମିନିଟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପଦ୍ମପୁରକୁ ପହଞ୍ଚି ସ୍ଥାନୀୟ ପଦ୍ମପୁର ହାଇସ୍କୁଲ ପଡିଆରେ ପଦ୍ମପୁରବାସୀଙ୍କୁ ସମ୍ବୋଧିତ କରି ବିଜେଡି ପ୍ରାର୍ଥିନୀ ବର୍ଷା ସିଂ ବରିହାଙ୍କ ପାଇଁ ଭୋଟ ମାଗିବେ । ତେବେ ପଦ୍ମପୁରବାସୀ ଜିଲ୍ଲା ମାନ୍ୟତା ଦାବିରେ ଆନ୍ଦୋଳନ ଜାରି ରଖିଥିବା ବେଳେ ଆଜି ମୁଖ୍ୟମନ୍ତ୍ରୀ ପଦ୍ମପୁରକୁ ଜିଲ୍ଲା ଘୋଷଣା କରିବେ ନା ନାହିଁ ତା' ଉପରେ ରହିଛି ସଭିଙ୍କ ନଜର ।
ଇଟିଭି ଭାରତ, ବରଗଡ଼