ବରଗଡ: ଡାକ୍ତରାଣୀଙ୍କ କର୍ତ୍ତବ୍ୟରେ ଅବହେଳା । ଅବହେଳା ତ ଅବହେଳା ସେଥିରେ ଦାଦାଗିରି ମଧ୍ୟ । ରୋଗୀସେବା ନକରି ଫୋନରେ କଥା ହେଉଥିବା ନେଇ ଜଣେ ସଫେଇ କର୍ମଚାରୀ ରୋଗୀଙ୍କୁ କହିଦେବାରୁ ତାଙ୍କୁ ଚାକିରିରୁ ବାହାର କରିଦେଇଛନ୍ତି ଡାକ୍ତରାଣୀ । ଏପରି ଏକ ଅଭିଯୋଗ ଆସିଛି ବରଗଡ ଜିଲ୍ଲା ଭୁକ୍ତା ସ୍ବାସ୍ଥ୍ୟ ଅଧିକାରୀଙ୍କ ନାଁରେ ।
ସୂଚନା ଅନୁଯାୟୀ ବରଗଡ ଜିଲ୍ଲା ଆମ୍ବାଭୋନା ବ୍ଲକ ଭୁକ୍ତା ସ୍ବାସ୍ଥ୍ଯ ଅଧିକାରୀ ତଥା ଡାକ୍ତରାଣୀ ହିତାକାଂକ୍ଷୀ ପ୍ରଧାନଙ୍କ ନାମରେ ସଙ୍ଗୀନ ଅଭିଯୋଗ ଆସିଛି । ଭୁକ୍ତା ସରକାରୀ ଡାକ୍ତରଖାନାରେ ଠିକା କର୍ମଚାରୀ ଭାବରେ ନିଯୋଜିତ ଜଣେ ଦଳିତ ସଫେଇ କର୍ମଚାରୀଙ୍କୁ ମାନସିକ ନିର୍ଯାତନା ଦେବା ସହିତ ଜାତିକୁ ନେଇ ଆକ୍ଷେପ କରିଥିବା ଏବଂ ବେଆଇନ ଭାବରେ ଘରୋଇ କାମରେ ନିଯୋଜିତ କରାଉଥିବା ନେଇ ଆମ୍ବାଭୋନା ଥାନାରେ ସଫେଇ କର୍ମଚାରୀ ଲଲିତ କଂସା ଏତଲା ଦେଇଛନ୍ତି । ଏଥିସହ ଡାକ୍ତରାଣୀ ଜଣକ ରୋଗୀସେବା ନ କରି ମୋବାଇଲେ କଥାହେଉଥିଲେ ବୋଲି ଲଲିତ ରୋଗୀଙ୍କୁ କହିଦେବାରୁ ଡାକ୍ତରାଣୀ ତାଙ୍କୁ କାର୍ଯ୍ୟରୁ ବାହାର କରିଦେଇଥିବା ସେ ଅଭିଯୋଗ କରିଛନ୍ତି ।