ବରଗଡ଼: ସବୁଆଡେ ଚାଲିଛି ଜଗତର ନାଥ ଜଗନ୍ନାଥଙ୍କ ରଥଯାତ୍ରା । ହେଲେ କାଳିଆର ଟିକିଏ ଦର୍ଶନ ପାଇଁ କାହିଁ କେତେ ଦୂରରୁ ପୁରୀ ଶ୍ରୀକ୍ଷେତ୍ରକୁ ଭକ୍ତମାନେ ଧାଇଁ ଆସିଥାନ୍ତି । ମାତ୍ର ପ୍ରବଳ ଜନସମାଗମ ପାଇଁ କାଳିଆର ଦର୍ଶନ ଲାଗି ବାଦ ପଡିଯାଇଥାନ୍ତି ବୃଦ୍ଧବୃଦ୍ଧା ଓ କୁନି ପିଲାମାନେ । ତେଣୁ ବରଗଡ଼ରେ ଦେଖିବାକୁ ମିଳିଛି କୁନି ପିଲାଙ୍କ ନିଆରା ରଥଯାତ୍ରା । କୁନି କୁନି ହାତରେ ପିଲାମାନେ ଟାଣି ନେଉଛନ୍ତି କୁନି ରଥକୁ । ପିଲାଙ୍କ ରଥଯାତ୍ରାରେ ବଡ଼ମାନେ ମଧ୍ୟ ସାମିଲ ହୋଇଛନ୍ତି । ବେଶ ଆଡ଼ମ୍ବର ସହକାରେ ରଥଯାତ୍ରା ପାଳନ କରାଯାଇଛି ।
ବରଗଡ଼ ସହର ସ୍ଥିତ 1 ନମ୍ବର ୱାର୍ଡର ସୁପ୍ରିୟା ମାର୍ଗଠାରେ କୁନି ପିଲାଙ୍କ ରଥଯାତ୍ରା ଦେଖିବାକୁ ମିଳିଛି । 2001 ମସିହାରୁ କିଛି ଛୋଟ ପିଲା ମାନେ ଏକ କୁନି ରଥ ନିର୍ମାଣ କରି ସେମାନଙ୍କ ଭକ୍ତି ଭାବନାକୁ ପ୍ରକାଶ କରି ପକାଇଥିଲେ । ସ୍ଥାନୀୟ ଲୋକେ ପିଲାଙ୍କ ଏପରି ଶ୍ରଦ୍ଧା ଦେଖି ସେମାନଙ୍କ ସହ ରଥଯାତ୍ରାରେ ସାମିଲ ହୋଇଥିଲେ ଏବଂ ସେବେଠାରୁ ବିଧି ଅନୁଯାୟୀ ଏଠାରେ ରଥଯାତ୍ରା ପାଳନ ହେଉଛି । ତେବେ ଏହି ରଥଯାତ୍ରା ଟିକିଏ ନିଆରା । ଯେଉଁଠି ମହାପ୍ରଭୁଙ୍କ ସେବାରେ ଲାଗିଛନ୍ତି କୁନି ପୂଜକ । ଛେରା ପହଁରା ମଧ୍ୟ କୁନି ଗଜପତିଙ୍କ ଦ୍ବାରା ହୋଇଥାଏ । ଏପରିକି ଛୋଟ ଛୋଟ ପିଲାମାନେ ମହାପ୍ରଭୁଙ୍କ ରଥ ଟାଣିଥାନ୍ତି । ଏନେଇ ଅଞ୍ଚଳବସୀ କହିଛନ୍ତି, "ପୁରୀ ରଥଯାତ୍ରା ବିଶ୍ବ ପ୍ରସିଦ୍ଧ ହୋଇଥିବା ବେଳେ ସେଠାକୁ ଲକ୍ଷଲକ୍ଷ ଭକ୍ତ ଯାଇଥାନ୍ତି । ପ୍ରବଳ ଗହଳି ଯୋଗୁଁ ବୟସ୍କ ବ୍ୟକ୍ତି ଏବଂ ଛୋଟ ପିଲାମାନେ ପ୍ରଭୁଙ୍କୁ ପାଖରୁ ଦର୍ଶନ କରିବା ସମ୍ଭବ ହୋଇନଥାଏ । ତେଣୁ ପିଲାମାନେ ଏକାଠି ହୋଇ ନିଜ ଅଞ୍ଚଳରେ ରଥଯାତ୍ରା କରିିବାକୁ ମନସ୍ଥ କଲେ । ଅଭିଭାବକମାନେ ମଧ୍ୟ ଏଥିରେ ସାମିଲ ହୋଇଥିଲେ । ସେବେଠାରୁ ପ୍ରତିବର୍ଷ ପିଲାଙ୍କ ଦ୍ବାରା ଏଠାରେ ବେଶ ଆଡ଼ମ୍ବର ସହକାରେ ରଥଯାତ୍ରା ଅନୁଷ୍ଠିତ ହେଉଛି ।"