ଓଡିଶା

odisha

ଜୁଆ ଖେଳରେ ହାରିବା ପରେ ଅପହରଣ ନାଟକ ରଚିଲେ ବ୍ୟବସାୟୀ, ବାନ୍ଧିଲା ପୋଲିସ

By ETV Bharat Odisha Team

Published : Nov 3, 2023, 11:19 AM IST

Updated : Nov 3, 2023, 2:17 PM IST

ନିଜେ ନିଜର ଅପହରଣ ନାଟକ ରଚି 80 ଲକ୍ଷ ଟଙ୍କା ଚୁନା ଲଗାଇବା ଯୋଜନା ପଡିଲା ମହଙ୍ଗା । ବ୍ୟବସାୟୀଙ୍କୁ ଗିରଫ କଲା ପୋଲିସ । ଅଧିକ ପଢନ୍ତୁ

ଅପହରଣ ନାଟକ ରଚି ବ୍ୟବସାୟୀ ଗିରଫ
ଅପହରଣ ନାଟକ ରଚି ବ୍ୟବସାୟୀ ଗିରଫ

ଜୁଆ ଖେଳରେ ହାରିବା ପରେ ଅପହରଣ ନାଟକ ରଚିଲେ ବ୍ୟବସାୟୀ

ବରଗଡ଼:ବ୍ୟବସାୟୀ ସୁନୀଲ ଅଗ୍ରୱାଲ ଅପହରଣ ଘଟଣା ଭିନ୍ନ ମୋଡ ନେଇଛି । ଜୁଆ ଖେଳରେ 80 ଲକ୍ଷ ଟଙ୍କା ହାରିଯିବା ପରେ ନିଜେ ନିଜର ଅପହରଣ ନାଟକ ରଚିଥିଲେ ବ୍ୟବସାୟୀ । ତାଙ୍କୁ କେହି ଅପହରଣ କରିଥିବା ନାଟକ କରିଥିଲେ । ସ୍ତ୍ରୀ ବି ସ୍ବାମୀଙ୍କ ଅପହରଣ ନେଇ ଥାନାରେ ଏତଲା ଦେଲେ । ଶେଷରେ ଏକ ମାସର ଲୁଚକାଳି ପରେ ବ୍ୟବସାୟୀଙ୍କ ନାଟକର ପର୍ଦ୍ଦାଫାସ କରିଛି ବରଗଡ଼ ଟାଉନ ଥାନା ପୋଲିସ । ରାଇସ ମିଲର୍ସଙ୍କ ଠାରୁ 80 ଲକ୍ଷ ଠକେଇ କରିବା ମାମଲାରେ ପୋଲିସ ବ୍ୟବସାୟୀ ସୁନୀଲଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ସୂଚନା ଦେଇଛି ।

କ'ଣ ଥିଲା ପୁରା ଘଟଣା:

ସୂଚନା ଅନୁସାରେ, ବରଗଡ଼ର ସୁନୀଲ ଅଗ୍ରୱାଲ ନାମକ ବ୍ୟବସାୟୀ ବରଗଡ, ବଲାଙ୍ଗୀର ଓ ସମ୍ବଲପୁର ଜିଲ୍ଲାର ସମୁଦାୟ 9 ଗୋଟି ରାଇସ ମିଲରୁ ଖୁଦ ନେଇ କଣ୍ଟାବାଞ୍ଜିର ଜଣେ ବ୍ୟାପାରୀଙ୍କ ନିକଟକୁ ପହଞ୍ଚାଇଥାନ୍ତି | ମାସକ ତଳେ ସୁନୀଲ 9 ଗୋଟି ମିଲରୁ ଖୁଦ ଉଠାଇଥିଲେ, ଯାହାର ମୂଲ୍ୟ ପ୍ରାୟ 80ରୁ 90 ଲକ୍ଷ ଟଙ୍କା ହେବ । ସେ କୌଣସି ମିଲ ମାଲିକଙ୍କୁ ପଇସା ଦେଇନଥିଲେ ଓ ମାସେ ହେବ କୁଆଡେ ନିଖୋଜ ହୋଇଯାଇଥିଲେ । ପରେ ସୁନୀଲଙ୍କର ସ୍ତ୍ରୀ ବରଗଡ ଟାଉନ ଥାନାରେ ତାଙ୍କ ସ୍ଵାମୀଙ୍କୁ ଅପହରଣ କରାଯାଇଥିବା ନେଇ ଏତଲା ଦେଇଥିଲେ ।

ଏହାମଧ୍ୟ ପଢନ୍ତୁ: ଲୋକଙ୍କ ଆଗରେ ଲୁଟପାଟର ଅଭିନୟ, ମିଛରେ ଟଙ୍କା ବ୍ୟାଗ୍ ଛଡ଼ାଇ ସତରେ ଗିରଫ

ଏତଲାକୁ ଆଧାର କରି ଟାଉନ ପୋଲିସ ତଦନ୍ତ ଆରମ୍ଭ କରିଦେଇଥିଲା । ଏହି ଘଟଣାର ମାସକ ପରେ ଗୁରୁବାର ବରଗଡ ଟାଉନ ପୋଲିସ ଏକ ସାମ୍ବାଦିକ ସମ୍ବିଳନୀରେ ଖୁଲସା କରିଛି ଯେ, ସୁନୀଲ ନିଜେ ନିଜର ଅପହରଣ ନାଟକ ରଚିଥିଲେ । ତାଙ୍କୁ ଅପହରଣ କରାଯାଇଥିବା ଜଣାଇ ପୋଲିସ ଓ ସମସ୍ତ ମିଲ ମାଲିକଙ୍କୁ ବୋକା ବନାଇଥିଲେ । ପ୍ରକୃତରେ ସୁନୀଲ ଅଗ୍ରୱାଲ 9ଟି ମିଲର ପ୍ରାୟ 80ରୁ 90 ଲକ୍ଷ ଟଙ୍କା ଜୁଆ ଖେଳରେ ଲଗାଇ ହାରିଯାଇଥିଲେ । ତେଣୁ କୌଣସି ଉପାୟ ନପାଇ ତାଙ୍କୁ ଅପହରଣ କରାଯାଇ ସମସ୍ତ ପଇସା ଲୁଟ କରିଦିଆଯାଇଛି ବୋଲି ନାଟକ କରିଥିଲେ । ଗୋଟେ ମାସ ଏଣେତେଣେ ଲୁଚିବା ପରେ ସେ ପୋଲିସ ହାତରେ ଧରାପଡିଛି ।

ସୁନୀଲଙ୍କ ସ୍ତ୍ରୀ ମଧ୍ୟ ଏହି ଯୋଜନାରେ ସାମିଲ ଥିବା ପୋଲିସ ସନ୍ଦେହ କରୁଥିବା ବେଳେ ପ୍ରଥମେ ସୁନୀଲଙ୍କୁ ଗିରଫ କରି 420 କେଶରେ କୋର୍ଟ ଚାଲାଣ କରାଯାଇଛି । ଅନ୍ୟପଟେ ବରଗଡ ସରସରା ଗ୍ରାମର ଗୋଟେ ରାଇସ ମିଲ ମାଲିକ ଟାଉନ ଥାନାରେ ଏନେଇ ଏତଲା ଦେଇଥିବା ବେଳେ ଅନ୍ୟ 8 ଜଣ ମିଲ ମାଲିକ କାହିଁକି ଏତେ ବଡ ଠକାମି ବିରୋଧରେ ଦୀର୍ଘ ଏକ ମାସ ଧରି ଏତଲା ଦେଇନଥିଲେ ସେନେଇ ଏବେ ପ୍ରଶ୍ନ ଉଠିଛି ।

ଅପରପକ୍ଷେ, ସୁନୀଲଙ୍କ ସ୍ତ୍ରୀ ନିଜେ ତାଙ୍କ ସ୍ଵାମୀ ରାଇପୁରରେ ଥିବା ସମ୍ପର୍କରେ ଅନ୍ୟ ଏକ ମୋବାଇଲରୁ ଫୋନ କରିଥିଲେ ବୋଲି ପୋଲିସକୁ ଜଣାଇଥିବା କହିଛନ୍ତି । ଯାହାକୁ ପୋଲିସ ଖଣ୍ଡନ କରିଛି | ସୁନୀଲଙ୍କ ସ୍ତ୍ରୀ ଗଣମାଧ୍ୟମ ଆଗରେ ଜଣାଇଛନ୍ତି ଯେ ତାଙ୍କ ସ୍ବାମୀଙ୍କୁ ରାଇସ ମିଲର୍ସ ଫସାଇବାକୁ ଚେଷ୍ଟା କରୁଛନ୍ତି l ଏହି ଘଟଣାରେ ଖୋଳତାଡ ଜାରି ରହିଥିବା ବେଳେ ସୁନୀଲଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଥିବା ପୋଲିସ ସୂଚନା ଦେଇଛି ।

ଇଟିଭି ଭାରତ, ବରଗଡ଼

Last Updated : Nov 3, 2023, 2:17 PM IST

ABOUT THE AUTHOR

...view details