ବରଗଡ:ଗ୍ରେଡ ପେ’ 4200 ଟଙ୍କା ପ୍ରଦାନ ଦାବିରେ ରାଜ୍ୟବ୍ୟାପୀ ମିଳିତ ଅମଲା ମଞ୍ଚର ଆନ୍ଦୋଳନ 16 ଦିନରେ ପହଞ୍ଚିଛି । ଅନିର୍ଦିଷ୍ଟ କାଳ ପର୍ଯ୍ୟନ୍ତ ଘୋଷଣା କରାଯାଇଥିବା ଏହି ଆନ୍ଦୋଳନ କାରଣରୁ ଜିଲ୍ଲାର ସମସ୍ତ ସରକାରୀ କାର୍ଯ୍ୟାଳୟ ମାନଙ୍କରେ କାମ ଠପ ହୋଇପଡିଛି । ଯାହା ଫଳରେ ଲୋକେ ହଇରାଣର ସମ୍ମୁଖୀନ ହେଉଛନ୍ତି । ଅନ୍ୟପଟେ ଅମଲା ମିଳିତ ମଞ୍ଚର ଦାବିକୁ ମାନିବାକୁ ସରକାର ନାରାଜ ଥିବାବେଳେ ଅମଲା ମିଳିତ ମଞ୍ଚ ମଧ୍ୟ ନିଜର ଜିଦରେ ଅଡି ବସିବା ସହ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ସାମୁହିକ ଛୁଟିରେ ରହିଛନ୍ତି ।
ଅମଲା ମିଳିତ ମଞ୍ଚର ଦାବି ଅନୁଯାୟୀ, ଶିକ୍ଷାଗତ ଯୋଗ୍ୟତା ଭିତ୍ତିକ ମୂଳ ଦରମା ୪୨୦୦ ଗ୍ରେଡ୍ ପେ’ ଲାଗୁ କରାଯାଉ । ଏହି ଦାବି ପୂରଣ ନେଇ ଅମଲାମାନେ ପୂର୍ବରୁ ଅନେକ ଥର ସ୍ମାରକପତ୍ର ପ୍ରଦାନ, ଧାରଣା, ବିକ୍ଷୋଭ ପ୍ରଦର୍ଶନ, କଳାବ୍ୟାଚ ପରିଧାନ କରି ରାଜ୍ୟ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ମାତ୍ର ରାଜ୍ୟ ସରକାର ଏପର୍ଯ୍ୟନ୍ତ ଅମଲାମାନଙ୍କ ଏହି ଦାବି ପୂରଣ କରି ନଥିଲେ । ଫଳରେ ପୂର୍ବ ନିଷ୍ପତ୍ତି କ୍ରମେ ଗତ 1 ଜୁନ ଠାରୁ ଅମଲାମାନେ ରାଜ୍ୟବ୍ୟାପୀ ସମୂହ ଛୁଟିରେ ଅଛନ୍ତି । ଯାହାକୁ ନେଇ ବରଗଡ଼ ଜିଲ୍ଲାରେ ମଧ୍ୟ ଏହାର ପ୍ରଭାବ ପଡ଼ିଛି। ଜିଲ୍ଲାର ମିଳିତ ଅମଲା ମଞ୍ଚ ନେତୃତ୍ୱରେ ଅମଲାମାନେ ସମୂହ ଛୁଟିରେ ଥିବା ବେଳେ ନିଜ କାର୍ଯ୍ୟାଳୟ ଯିବା ବଦଳରେ ଦାବି ପୂରଣ ପାଇଁ ଜିଲ୍ଲାପାଳ ଅଫିସ ଆଗରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ।