ବରଗଡ: ଲୋକସଭାରେ ମହାନଦୀ ଜଳ ପ୍ରଦୂଷଣ ବିଷୟ ଉଠାଇଛନ୍ତି ବିଜେପି ସାଂସଦ ସୁରେଶ ପୂଜାରୀ । ଛତିଶଗଡ ଲାରା ତାପଜ ବିଦ୍ୟୁତ କେନ୍ଦ୍ର(NTPC) ଆସପଣ୍ଡ ପାଣି ଓଡିଶାରେ ପକାଇବା ଘଟଣାର ସମାଧାନ ପାଇଁ ସଂସଦରେ ସରକାରଙ୍କୁ ପ୍ରଶ୍ନ କରିଛନ୍ତି ସୁରେଶ । ସେ କହିଛନ୍ତି, ଛତିଶଗଡ଼ର ଲାରାଠାରେ ଜାତାୟ ତାପଜ କେନ୍ଦ୍ର ପ୍ରତିଷ୍ଠା ହେଲା ପରେ, ଛତିଶଗଡ଼ ବିଜୁଳି ପାଇଲା ଏବଂ ୧୯ଖଣ୍ଡ ମୌଜା ଅଞ୍ଚଳର କଣ୍ଢେଇକେଲା,ବାଦୀମାଲ,ଚାରପାଲି,ରେମତା,ପିଥିଣ୍ଡା, କନକତୋରାର ପାଣି ଓ ବାୟୁ ପ୍ରଦୂଷିତ ହୋଇଛି । ଅନେକ ସମୟରେ ଏନଟିପିସି ଲରା ପାଉଁଶ ତିଲ୍ ନଦୀରେ ଛାଡିବା ଫଳରେ ମହାନଦୀ ପ୍ରଦୂଷିତ ହେଉଛି । ଏହାସହ ଫସଲ ମଧ୍ୟ କ୍ଷତି ହେଉଛି ।
ଛତିଶଗଡ ଲାରା ଏନଟିପିସି ଆସପଣ୍ଡ ପାଇଁ ହନ୍ତସନ୍ତ ହେଉଛନ୍ତି ପଶ୍ଚିମ ଓଡିଶାର ସୀମାନ୍ତ ଜିଲ୍ଲା । କାରଖାନାରୁ ନିର୍ଗତ ହେଉଥିବା ପାଉଁଶ ନଷ୍ଟ କରୁଛି ଲୋକଙ୍କ ଧନ ଜୀବନ । ଲଖନପୁର ବ୍ଲକ ସୀମାନ୍ତରେ ଥିବା ଛତିଶଗଡ଼ ଲରାସ୍ଥିତ ଏନଟିପିସି ପ୍ରକଳ୍ପ ପାଉଁଶ ପୋଖରୀର ସମସ୍ତ ପାଣିକୁ ଓଡ଼ିଶାର ନାଳରେ ଛାଡ଼ି ଦେଉଥିବା ସଂଗୀନ ଅଭିଯୋଗ ହୋଇଥିଲା । ଲରା ଏନଟିପିସିର ଏଭଳି ଜୁଲମକୁ କେବେବି ସହ୍ୟ କରାଯିବ ନାହିଁ ଓ ସମାଧାନ ନହେଲେ ଆଗାମୀ ଦିନରେ ଜନ ଆନ୍ଦୋଳନ ତୀବ୍ରତର ହେବ ବୋଲି ଚେତାବନୀ ଦେଇଥିଲେ ଅଞ୍ଚଳବାସୀ ।