ଭୁବନେଶ୍ବର: ବରଗଡ ରୋଡ ଷ୍ଟେସନରୁ ଭାୟା ପଦ୍ମପୁର ଦେଇ ନୂଆପଡା ରେଳ ଷ୍ଟେସନ ଯାଏଁ ନୂତନ ରେଳଲାଇନ ପ୍ରକଳ୍ପ (Bargarh Road Nuapada New Rail Line Project) କୁ କେନ୍ଦ୍ର ସରକାର ମଞ୍ଜୁର କରିସାରିଛନ୍ତି । ଏହା କହି ଭାରତୀୟ ଜନତା ପାର୍ଟି ପଦ୍ମପୁରବାସୀଙ୍କୁ ବାରମ୍ବାର ଭୁଆଁ ବୁଲାଇ ଚାଲିଛି । ୨୦୧୮ ଡିସେମ୍ବର ୧୫ ତାରିଖରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହି ପ୍ରକଳ୍ପ କେନ୍ଦ୍ର ସରକାରଙ୍କ ଅନୁମୋଦନ ଲାଭ କରିସାରିଛି ବୋଲି ଘୋଷଣା ପ୍ରହେଳିକା ଥିଲା । ଆଜି ବରଗଡ ସାଂସଦ ସୁରେଶ ପୂଜାରୀ ପରୋକ୍ଷରେ ସ୍ୱୀକାର କରିଛନ୍ତି । ଏହି ପ୍ରକଳ୍ପ ୨୦୨୧ ଡିସେମ୍ବର ମାସରେ କେନ୍ଦ୍ର ସରକାରଙ୍କ ଅନୁମୋଦନ ପାଇଛି ବୋଲି ସାଂସଦ କହିବା ପରେ ଏହାକୁ ନେଇ ଦ୍ୱନ୍ଦ୍ୱ ଆହୁରି ବଢିଛି । ପ୍ରକୃତରେ ଏହି ପ୍ରକଳ୍ପ କାର୍ଯ୍ୟକାରୀ କରିବା ପାଇଁ କେନ୍ଦ୍ର ସରକାର କୌଣସି ପଦକ୍ଷେପ ନ ନେଇ କେବଳ ଭ୍ରମିତ କରି ଚାଲିଛନ୍ତି ବୋଲି ବିଜୁ ଜନତା ଦଳ ପକ୍ଷରୁ ଅଭିଯୋଗ କରାଯାଇଛି ।
ସାମ୍ବାଦିକ ସମ୍ମିଳନୀରେ ଏହି ପ୍ରସଙ୍ଗ ଉପରେ ସବିଶେଷ ସୂଚନା ଦେଇଛନ୍ତି ବିଜେଡି ସାଂସଦ ଡ. ସସ୍ମିତ ପାତ୍ର । ସେ କହିଛନ୍ତି ଯେ ପଦ୍ମପୁର ରେଳଲାଇନ ପ୍ରକଳ୍ପ ୨୦୧୮ ଡିସେମ୍ବରରେ ଅନୁମୋଦନ ଲାଭ କଲା ନା ୨୦୨୧ ଡିସେମ୍ବରରେ, ତାହା ପ୍ରଥମେ ସାଂସଦ ସ୍ପଷ୍ଟ କରିବା ଉଚିତ । କାରଣ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ନା ସାଂସଦ ମଧ୍ୟରୁ କିଏ ସତ କହୁଛନ୍ତି, ତାହା ଜାଣିବାର ଅଧିକାର ପଦ୍ମପୁରବାସୀଙ୍କର ଅଛି । ଯଦି ସାଂସଦ ସତ କହୁଥାନ୍ତି, ତେବେ କେନ୍ଦ୍ରମନ୍ତ୍ରୀ ୨୦୧୮ରେ ଏହି ରେଳଲାଇନ ପ୍ରକଳ୍ପ ଅନୁମୋଦନ ପାଇସାରିଛି ବୋଲି ଯେଉଁ ଭୁଲ ତଥ୍ୟ ଦେଇ ପଦ୍ମପୁରବାସୀଙ୍କୁ ଭୁଆଁ ବୁଲାଇଥିଲେ, ସେଥିପାଇଁ ସେ କ୍ଷମା ମାଗିବା ଉଚିତ ।
ଏହାଛଡ଼ା ପଦ୍ମପୁର ରେଳଲାଇନ ରେଳବାଇର ବ୍ଲୁ ବୁକରେ ସ୍ଥାନ ପାଇଛି ବୋଲି ସାଂସଦ ଦେଇଥିବା ସୂଚନା ଉପରେ ମଧ୍ୟ ଡ. ପାତ୍ର ସ୍ପଷ୍ଟୀକରଣ ରଖିଛନ୍ତି । ଡ.ପାତ୍ର କହିଛନ୍ତି ଯେ, ସୁରେଶ ପୂଜାରୀ ଜଣେ ଅଭିଜ୍ଞ ସାଂସଦ । ସେ ଏ କଥା ଜାଣିବା ଉଚିତ ଯେ ଦେଶର କୌଣସି ରେଳ ପ୍ରକଳ୍ପ ପାଇଁ ଅର୍ଥ ମଞ୍ଜୁର ହେଲେ ଏହା ବ୍ଲୁ ବୁକ୍ ନୁହେଁ, ପିଙ୍କ ବୁକରେ ସ୍ଥାନ ପାଏ । ଭାରତୀୟ ରେଳବାଇ ପକ୍ଷରୁ ପ୍ରକାଶିତ ୨୦୨୨-୨୩ ପିଙ୍କ ବୁକରେ କେଉଁଠି ମଧ୍ୟ ପଦ୍ମପୁର ରେଳଲାଇନ ପ୍ରକଳ୍ପ ସଂପର୍କରେ ଉଲ୍ଲେଖ ନାହିଁ । ଯେତେବେଳେ ଏହି ପ୍ରକଳ୍ପ ପିଙ୍କ ବୁକରେ ସ୍ଥାନ ପାଇ ନାହିଁ ଏବଂ ଏଥିପାଇଁ କୌଣସି ଅର୍ଥ ମଞ୍ଜୁର ହୋଇନାହିଁ ।