ବରଗଡ଼: ସରକାର ଲୋକଙ୍କ ହିତ ନିମନ୍ତେ ଶହ ଶହ ଯୋଜନା କରୁଥିଲେ ହେଁ ବରଗଡ଼ ଜିଲ୍ଲା ସଦର ବ୍ଲକ ବିରମାଳ ଗାଁରେ କାଦୁଅ ରାସ୍ତାକୁ ନେଇ ସାଧାରଣ ଲୋକେ ନାହିଁ ନ ଥିବାର ଅସୁବିଧାର ସମ୍ମୁଖୀନ ହେଉଥିବା ଅଭିଯୋଗ ହୋଇଛି । ଲଗାଣ ମୌସୁମୀ ବର୍ଷା ସହ ଲଘୁଚାପ ବର୍ଷା ଜନଜୀବନକୁ ଅସ୍ତବ୍ୟସ୍ତ କରିବାସହ ଲୋକଙ୍କ ଯିବା ଆସିବା ରାସ୍ତା ମରଣଯନ୍ତା ପାଲଟିଛି । ଗ୍ରାମ ପଞ୍ଚାୟତର ସରପଞ୍ଚଙ୍କୁ ଦୀର୍ଘ ସମୟ ଧରି କାଦୁଅ ରାସ୍ତା ବିଷୟରେ ଅଭିଯୋଗ କରିଆସୁଥିଲେ ହେଁ ସରପଞ୍ଚ ସାଧାରଣ ମରାମତି ଟିକିଏ ମଧ୍ୟ କରିବାକୁ କୌଣସି ପଦକ୍ଷେପ ନେଉ ନଥିବା ନେଇ ଶତାଧିକ ମହିଳା ଓ ପୁରୁଷ ଅଭିଯୋଗ କରି ରାସ୍ତାକୁ ବନ୍ଦ କରିଥିଲେ ।
ଅନେକ ସମୟରେ କାଦୁଅ ରାସ୍ତା ଯୋଗୁଁ ଲୋକେ ଦୁର୍ଘଟଣାର ଶିକାର ହେଉଥିବାବେଳେ ସ୍ଥାନୀୟ ସରପଞ୍ଚ ଆଖି ବୁଜି ଦେଇଛନ୍ତି ରାସ୍ତାକୁ ନେଇ । ବିରମାଳ ଗ୍ରାମର ରାସ୍ତା ଉପରେ ଦୈନିକ ବହୁ ଲୋକ ନିର୍ଭର କରୁଥିବାବେଳେ ଏଯାଏଁ ସରପଞ୍ଚ ତରଫରୁ କୌଣସି କାର୍ଯ୍ୟ ହେଉ ନ ଥିବାରୁ ରାସ୍ତା ଉଭୟ ପଟକୁ ଦଉଡି ଲଗାଇ ବାନ୍ଧିବା ସହ ରାସ୍ତାକୁ ଖୋଲି ଲୋକଙ୍କ ଯିବା ଆସିବା ପଥକୁ ଅବରୋଧ କରିଛନ୍ତି ସମ୍ପୃକ୍ତ ପଡ଼ାର ବାସିନ୍ଦା । ତେବେ ଏନେଇ ସରପଞ୍ଚ ନିଜ ପକ୍ଷରଖି ନିଜେ ପୂର୍ବରୁ କାମ କରିଥିବା ସହ ଆଗକୁ କରିବେ ବୋଲି କହିଛନ୍ତି ।