ଓଡିଶା

odisha

ETV Bharat / state

ବରଗଡ଼ର ଗୁଡ୍ଡି ରାଓଙ୍କୁ ଫୋନ କଲେ ବିଗ ବି, ସମାଜସେବା ପାଇଁ କଲେ ପ୍ରଶଂସା

ଏ ସମୟ ସମସ୍ତଙ୍କ ପାଇଁ ପାଲଟିଛି ଅଭିଶାପ । କିଏ ଆହାର ଗଣ୍ଡେ ପାଇଁ ପାହାର ଖାଉଛି ତ, ପୁଣି କିଏ ପେଟ ଚାଖଣ୍ଡକେ ପାଇଁ ଦୁନିଆ ଛାଡ଼ି ଚାଲି ଯାଉଛି । ହବନି ବା କେମିତି ? ଶ୍ରମିକର ହାତରେ ତ ଆଜି ପଡ଼ିଛି ଅଦୃଶ୍ୟ ଶିକୁଳୀ । କିନ୍ତୁ ଦୁର୍ଦ୍ଦିନରେ ରହୁଥିବା ଏହି ଦୀନ ଦରିଦ୍ରଙ୍କ ପେଟ କଥା ବୁଝିପାରୁଥିବା ଜଣେ ମଣିଷ ଆଜି ସାରା ଦେଶରେ ହୋଇଛନ୍ତି ଚର୍ଚିତ । ଭୋକିଲା ପେଟରେ ଆହାର ମୁଠେ ଦେଇ ଆନନ୍ଦ ଲାଭ କରୁଥିବା ବରଗଡ଼ର ଗୁଡ଼ି ରାଓଙ୍କୁ ପ୍ରଶଂସା କରିଛନ୍ତି ବଲିଉଡ଼ ବାଦଶାହା ଅମିତାଭ ବଚ୍ଚନ ।

praised-him-for-his-social-work
praised-him-for-his-social-work

By

Published : May 25, 2020, 7:04 PM IST

ବରଗଡ଼: କୋରୋନା ମହାମାରୀ ଆଜି ବିଶ୍ଵରେ ତାଣ୍ଡବ ମଚାଇଥିବା ବେଳେ କିନ୍ତୁ ବହୁ କଠୋର ବ୍ୟକ୍ତିଙ୍କ ହୃଦୟକୁ ମଧ୍ୟ ତରଳାଇ ଦେଇଛି ଏହି କରୋନା । ମହାମାରୀ କରୋନା ଯୋଗୁଁ ଆଜି ବହୁ ଲୋକ ନିଜର ମଣିଷତ୍ଵ କୁ ବୁଝିପାରିଛନ୍ତି ଏବଂ ମଣିଷ ତ ମଣିଷ ପଶୁ ସେବାରେ ମଧ୍ୟ ଲାଗିପଡିଛନ୍ତି ଲୋକେ । ଲକଡାଉନ ସମୟରେ ବହୁ ଲୋକ ନିଜକୁ ସମାଜସେବା କାର୍ଯ୍ୟରେ ନିଯୋଜିତ କରିଥିବା ଦେଖିବାକୁ ମିଳିଛି ସତ କିନ୍ତୁ ଏପରି ମଧ୍ୟ ବ୍ୟକ୍ତିତ୍ବ ରହିଛନ୍ତି ଯେଉଁମାନେ କି ବହୁ ଗରିବ ଭୋକିଲାଙ୍କୁ ନିତିଦିନ ଖାଇବାକୁ ଦେଇ ବେଶ ଆତ୍ମତୃପ୍ତି ଲାଭକରିଥାନ୍ତି । ବରଗଡ ସହର ରେଲୱେ ଷ୍ଟେସନ ପଡାରେ ରହୁଥିବା ଗୁଡି ରାଓ ଯିଏ କି ସମାଜସେବା କାର୍ଯ୍ୟରେ ନିଜର ଏକ ଅନନ୍ୟ ପରିଚୟ ସୃଷ୍ଟି କରିପାରିଛନ୍ତି | ଗୁଡି ରାଓ କେବଳ ବରଗଡ ଜିଲ୍ଲା କିମ୍ବା ରାଜ୍ୟ ନୁହେଁ ବରଂ ତାଙ୍କର ସମାଜସେବାର ଗାଥା ସାରା ଦେଶ ତଥା ଦେଶ ବାହାରେ ମଧ୍ୟ ଚର୍ଚ୍ଚିତ ହୋଇରହିଛି । ଗୁଡି ରାଓଙ୍କ ସମାଜସେବାରେ ଖୁସି ହୋଇ ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟ୍ବିଟ କରି ପ୍ରଶଂସା କରିଥିବା ବେଳେ ବଲିଉଡ଼ ବାଦଶାହା ତାରକା ଅମିତାଭ ବଚ୍ଚନ ମଧ୍ୟ ଗୁଡ୍ଡି ରାୟଙ୍କୁ ଫୋନ କରି ତାଙ୍କୁ ସାଧୁବାଦ ଜଣାଇଛନ୍ତି ।

ବରଗଡ଼ର ଗୁଡ୍ଡି ରାଓଙ୍କୁ ଫୋନ କଲେ ବିଗ ବି, ସମାଜସେବା ପାଇଁ କଲେ ପ୍ରଶଂସା
ଗୁଡି ରାଓ ପେଷାରେ ଜଣେ ରେଲୱେ କଣ୍ଟ୍ରାକ୍ଟର ହୋଇଥିବା ବେଳେ ରେଲୱେ ଷ୍ଟେସନ ଛକରେ ତାଙ୍କର ଏକ ହୋଟେଲ ରହିଛି । ରେଲୱେ ଷ୍ଟେସନ ନିକଟରେ ବହୁ ଗରିବ ଲୋକ ଖାଇବାକୁ ପାଉନଥିବା ଦେଖି ଗୁଡ୍ଡି ରାଓ ୬ ମାସ ତଳେ ମାତ୍ର ୧୦ ଟଙ୍କାରେ ଖାଇବାକୁ ଯୋଗେଇଦେଉଥିଲେ ବହୁ ଗରିବଙ୍କୁ । ସାଇ ଆହାର ନାମକ ଗୁଡ୍ଡି ରାଓ ଙ୍କ ଏହି ଆହାର କେନ୍ଦ୍ରରେ ଦେଖୁ ଦେଖୁ ଭିଡ ଲାଗିଯାଇଥିଲା । ମାତ୍ର ୧୦ ଟଙ୍କାରେ ଭାତ, ଡାଲମା ଓ ଖଟା ଇତ୍ୟାଦି ପେଟପୂରା ଖାଇବାକୁ ବରଗଡ ସହରର ପ୍ରାୟ ୪୦୦ ଗରିବ ପ୍ରତିଦିନ ଏଠାକୁ ଚାଲିଆସୁଥିଲେ ଖାଇବାପାଇଁ । ଗୁଡ୍ଡି ରାଓ ଙ୍କର ଏପରି ପଦକ୍ଷେପ କୁ ବୁଦ୍ଧିଜୀବୀ ମହଲରେ ବେସ ପ୍ରଶଂସା କରାଯାଇଥିଲା ।

କରୋନା ମହାମାରୀ ପାଇଁ ଲକଡାଉନ କାରଣରୁ ଲୋକଙ୍କ ଦୁଃଖ ଦୁର୍ଦଶାକୁ ସହ୍ୟ କରିନପାରି ଗୁଡ୍ଡି ରାଓ ତାଙ୍କର ସାଇ ଆହାର କୁ ସମ୍ପୂର୍ଣ ମାଗଣା କରିଦେଇଥିଲେ । ନିଜ ଖର୍ଚ୍ଚରେ ଲକଡାଉନ ଆରମ୍ଭ ଠାରୁ ପ୍ରତିଦିନ ୭୦୦ ରୁ ୮୦୦ ଭୋକିଲା ଙ୍କୁ ଖାଇବାକୁ ଦେଇଥିଲେ ଗୁଡ୍ଡି । ସମସ୍ତଙ୍କୁ ସାମାଜିକ ଦୁରତ୍ଵ ରେ ରଖି ଖାଇବାକୁ ଦିଆଯାଇଥିଲା ସାଇ ଆହାର କେନ୍ଦ୍ରରେ ଯାହାକି ରାଜ୍ୟରେ ଚର୍ଚ୍ଚାର ବିଷୟ ହୋଇଥିଲା । ସାଇ ଆହାର କେନ୍ଦ୍ର ନିକଟରେ ସଠିକ ବ୍ୟବଧାନରେ ଧଳା ରଙ୍ଗର ଚିହ୍ନ ଦିଆଯାଇ ଲୋକଙ୍କୁ ସେଠାରେ ଖାଇବାକୁ ଦିଆଯାଇଥିଲା । ଗୁଡ୍ଡି ରାଓଙ୍କ ଏପରି ପଦକ୍ଷେପ କୁ ପ୍ରଶଂସା କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟ୍ବିଟର ମାଧ୍ୟମରେ ତାଙ୍କୁ ଶୁଭେଚ୍ଚା ଜଣାଇଥିଲେ । ଅନ୍ୟପଟେ ଦେଶ ବାହାରେ ଥିବା ଲୋକେ ମଧ୍ୟ ଖବର ପାଇ ବିଦେଶରୁ ଆର୍ଥିକ ସାହାଯ୍ୟର ହାତ ବଢାଇଥିଲେ ଗୁଡ୍ଡି ଙ୍କୁ ।


ଗୁଡି ରାଓଙ୍କର ଏପରି ସମାଜ ସେବାକୁ ଦେଖି ବିଗ ବି ଅମିତାଭ ବଚ୍ଚନ ମଧ୍ୟ ଗୁଡ୍ଡି ରାଓଙ୍କୁ ଫୋନ କରିପକାଇଥିଲେ । ଅମିତାଭ ବଚ୍ଚନ ଗୁଡ୍ଡି ରାଓ ଙ୍କ ସଙ୍ଗେ ଦୀର୍ଘ ଗୋଟେ ଘଣ୍ଟା କଥାବାର୍ତ୍ତା ହୋଇଥିଲେ ଏବଂ ପରିବାରର ସମସ୍ତ ସଦସ୍ୟଙ୍କ ବିଷୟରେ ପଚାରି ବୁଝିଥିଲେ । ଶେଷରେ ଗୁଡ୍ଡି ଙ୍କ ଏପରି ମହତ କାର୍ଯ୍ୟ ପାଇଁ ତାଙ୍କୁ ଧନ୍ୟବାଦ ଦେବା ସହିତ ଶୁଭକାମନା ଜଣାଇଥିବା କହନ୍ତି ଗୁଡ୍ଡି ରାଓ । ଆଜି ଗୁଡ୍ଡି ରାଓଙ୍କ ସମାଜସେବା ଅନ୍ୟ ମାନଙ୍କ ପାଇଁ ଏକ ପ୍ରେରଣା ସାଜିଥିବା ବେଳେ ସାରା ଦେଶରେ ବରଗଡ ଜିଲ୍ଲାର ନାମ ରଖୁଛନ୍ତି ଗୁଡ୍ଡି ।


ବରଗଡ଼ରୁ ରାଜେଶ ସରାପ, ଇଟିଭି ଭାରତ

ABOUT THE AUTHOR

...view details