ଓଡିଶା

odisha

ETV Bharat / state

କୋରୋନା ଅନ୍ଧାରରେ ହଜିଲା ବେଣାଚେର କାରିଗରଙ୍କ ଜୀବିକା - ବେଣା ଚେର କାରିଗର

ଖରା ଯାଇ ଆଉ ଦିନ କେଇଟାରେ ଆସିବ ମୌସୁମୀ । ବେଣା ତିଆରି ଜିନିଷ ସବୁ ପଡି ପଡି ପୋକ ଲାଗି ଗଲେଣି । ଆଖିରେ ଆଖିଏ ଆଶା ଆଶଙ୍କା ନେଇ ଏବେ ସରକାରଙ୍କ ସାହାଯ୍ୟକୁ ଅନାଇ ରହିଛନ୍ତି ବରଗଡର ବେଣା ଚେର କାରିଗର । ଅଧିକ ପଢ଼ନ୍ତୁ...

Bena cher craftsman, craftsman of bargarh lost their livelihood,  in the darkness of corona virus, ବରଗଡ ବ୍ଲକ ନିଲେଶ୍ଵର ଗ୍ରାମ, ବେଣା ଚେର କାରିଗର, ବେଣାଚେର କାରିଗରଙ୍କ ଜୀବିକା
କୋରୋନା ଅନ୍ଧାରରେ ହଜିଲା ବେଣାଚେର କାରିଗରଙ୍କ ଜୀବିକା

By

Published : Jun 1, 2020, 8:01 PM IST

ବରଗଡ଼: ବର୍ଷକ ବାର ମାସ ଓ ଛଅଟି ଋତୁ । ଆଉ ମଳୟବସନ୍ତ ପରେ ମାଡ଼ିଆସେ ଟାଇଁ ଟାଇଁ ଖରା । ଗ୍ରୀଷ୍ମର ଝାଞ୍ଜି ପବନ ସାଙ୍ଗକୁ ଗୁଳୁଗୁଳି ମଣିଷକୁ ଅସ୍ତବ୍ୟସ୍ତ କରି ପକାଏ । ଜୀବନ ବିକଳରେ ଲୋକେ ଘର ଭିତରେ ରହି ବିଭିନ୍ନ ଉପାୟରେ ଟିକିଏ ଥଣ୍ଡା ପବନ ପାଇବାକୁ ଏସି, କୁଲର କିମ୍ବା ଫ୍ୟାନ ପବନରେ ବସନ୍ତି । କିନ୍ତୁ ଠିକ ଏହି ସମୟରେ ନଦୀ ମୁହାଣ ମାନଙ୍କରେ କୋଦାଳ ଧରି ବୁଲି ବୁଲି ମାଟି ହାଣି ବେଣା ଗଛର ଚେର ସଂଗ୍ରହ କରିଥାନ୍ତି ବରଗଡ ବ୍ଲକ ନିଲେଶ୍ଵର ଗ୍ରାମର ବହୁ ବେଣା ଚେର କାରିଗର । ପ୍ରବଳ ଗ୍ରୀଷ୍ମରେ ବେଣାଚେରରେ ତିଆରି ସାମଗ୍ରୀ ନିର୍ମାଣ କରି ପେଟ ପୋଷନ୍ତି କାରିଗର ପରିବାର । କିନ୍ତୁ ଚଳିତ ବର୍ଷ କୋରୋନା ମାଡରେ ଏହି ବେଣାଚେର କାରବାର ସମ୍ପୂର୍ଣ୍ଣ ଠପ ହୋଇ ପଡିଛି । ଲକଡାଉନ କାରଣରୁ ଚଳିତ ବର୍ଷ ନାଁ ବେଣାଚେର ସଂଗ୍ରହ କରିପାରିଛନ୍ତି ନାଁ ସାମଗ୍ରୀ ବିକ୍ରି କରିପାରୁଛନ୍ତି ଏହି କାରିଗର ।

କୋରୋନା ଅନ୍ଧାରରେ ହଜିଲା ବେଣାଚେର କାରିଗରଙ୍କ ଜୀବିକା

ମହାମାରୀ କୋରୋନା ଯୋଗୁଁ ଅନ୍ୟ ବର୍ଷ ପରି ଚଳିତ ବର୍ଷ ବେଣା ଚେର କାରିଗର ମାନଙ୍କର ସାମଗ୍ରୀ ବିକ୍ରିରେ ବହୁ ପରିବର୍ତ୍ତନ ଦେଖାଦେଇଛି । ଆଗପରି ନା ସେତେ ସଂଖ୍ୟାରେ ବେଣାଚେର ସାମଗ୍ରୀ ବଜାରରେ ଦେଖିବାକୁ ମିଳୁଛି ନାଁ ବିକ୍ରି ହେଉଛି । ଅନ୍ୟ ବର୍ଷ ମାନଙ୍କରେ ବେଣା ଚେର କାରିଗରଙ୍କ ପରିବାର ଦିନ ତମାମ ଗୁନ୍ଥି ଚାଲେ ଗୋଟେ ପରେ ଗୋଟେ ସାମଗ୍ରୀ । କିଏ କୁଲର ପାଇଁ ଖସଖସ ତିଆରିରେ ଲାଗିପଡେ ତ ଆଉ କିଏ କବାଟ ଦ୍ଵାରବନ୍ଧରେ ଲଗାଯାଉଥିବା ବେଣା ଚେର ପଟି ନିର୍ମାଣରେ । ଏପରିକି ଛୋଟ ପିଲା ଓ ବୟସ୍କ ବ୍ୟକ୍ତି ମାନେ ମଧ୍ୟ ଲାଗିପଡ଼ନ୍ତି ବେଣା ଚେରର ବିଛଣା ତିଆରିରେ । ପୁରା ପରିବାର ପେଟପାଟଣା ପାଇଁ ନିଜର କୌଳିକ ବୃତ୍ତିରେ ବ୍ୟସ୍ତ ହୋଇପଡିଥାନ୍ତି ଗ୍ରୀଷ୍ମ ଋତୁରେ । ହେଲେ କିଏ ଜାଣିଥିଲା ଯେ କୋରୋନା ମହାମାରୀ, ବରଗଡ ଜିଲ୍ଲାର ବେଣା ଚେର କାରିଗରଙ୍କ ଜୀବନ ଜୀବିକାକୁ ଦୋହଲାଇ ଦେବ ।

ଗୋଟିଏ ପରିବାର 200ରୁ ଅଧିକ ବେଣା ଚେର ସାମଗ୍ରୀ ତିଆରି କରି ସାଇକେଲରେ ଗାଁ ଠାରୁ ସହର ବୁଲିବୁଲି ବିକ୍ରି କରିଥାନ୍ତି । ଏବେ କିନ୍ତୁ ଘରୁ ବାହାରିଲେ ପୋଲିସର ମାଡ ସାଙ୍ଗକୁ କୋରନା ଭୟ । ଘରେ ପଡିରହିଛି ତିଆରି କରିଥିବା ବେଣା ଚେର ପଟି । ସରକାର ଗରିବଙ୍କ ପାଇଁ ଏହି ଭୟଙ୍କର ମହାମାରୀ ବେଳେ ଟଙ୍କା ସାଙ୍ଗକୁ ଚାଉଳ ଯୋଗାଇ ଦେଉଛନ୍ତି ସତ ହେଲେ ତାହା ସମୁଦ୍ରକୁ ଶଙ୍ଖେ। ସେପଟେ ଋତୁକାଳୀନ ଜୀବିକାଟି ସଂପୂର୍ଣ୍ଣ ଠପ ହୋଇପଡିଲେ ଘରେ ପଡିରହିଥିବା ସାମଗ୍ରୀ ଆଉ ବିକ୍ରି ହେବ କେମିତି ? ପରିବାରର ଅଭାବ ମୋଚନ ହେବ କିପରି ଏହି ଚିନ୍ତାରେ ଦିନ ବିତାଉଛନ୍ତି ବେଣାଚେର କାରିଗର ।

ଜୀବନ ଜୀବିକା ସବୁକୁ ଛଡ଼ାଇ ନେଇ କୋରୋନା ଆଉ କେତେ ଯେ ଦୁଃଖ ଦୁର୍ଦ୍ଦଶାର କାହାଣୀ ଲେଖିବ ତାହା ସମୟ କହିବ ।

ବରଗଡ଼ରୁ ରାଜେଶ ସରାପ, ଇଟିଭି ଭାରତ

ABOUT THE AUTHOR

...view details