ବରଗଡ:ଆରମ୍ଭ ହୋଇଯାଇଛି ୭୫ ତମ ବିଶ୍ବ ପ୍ରସିଦ୍ଧ ଧନୁଯାତ୍ରା । ପ୍ରଥମ ଦିନରେ ଦେବକୀ ଓ ବାସୁଦେବଙ୍କ ବିବାହ ସମ୍ପନ୍ନ ହୋଇଥିବା ବେଳେ ଗତକାଲି(ବୁଧବାର) ଯଶୋଦାଙ୍କ କୋଳରେ କୃଷ୍ଣଙ୍କୁ ରଖି ବିଜୁଳି କନ୍ୟାକୁ ନେଇ ମଥୁରା ଫେରିବାର ଦୃଶ୍ୟ ଅଭିନିତ ହୋଇଥିଲା । ଏଥି ସହିତ କଂସ ନଗର ଭ୍ରମଣ କରିଥିଲେ । ଆଜି ତୃତୀୟ ଦିନରେ କଂସଙ୍କ ଶ୍ୟାମେଶ୍ୱର ମହାଦେବଙ୍କ ଦର୍ଶନ ସହ ବିଜୁଳି କନ୍ୟାର ଶୂନ୍ୟବାଣୀ ଏବଂ ନନ୍ଦୋତ୍ସବ ଦୃଶ୍ୟ ଅଭିନୀତ ହେବ ।
ଉଗ୍ରସେନଙ୍କୁ ସିଂହାସନରୁ ହଟାଇ ଯୁବରାଜ କଂସ ନିଜେ ମଥୁରାର ରାଜା ହେବାପରେ ମଥୁରା ନଗର ଭ୍ରମଣ କରିଥିଲେ ମହାରାଜ କଂସ ଏବଂ ନଗର ଭ୍ରମଣ ସମୟରେ ନିୟମ ଖିଲାପକାରୀ ବ୍ୟକ୍ତିଙ୍କୁ ଦଣ୍ଡବିଧାନ କରିଥିଲେ । ଏଥିସହ ମଥୁରାବାସୀଙ୍କ ମନୋରଞ୍ଜନ ପାଇଁ ରଙ୍ଗମହଲର ଉଦଘାଟନ ହୋଇଥିଲା । ରଙ୍ଗମହଲରେ କଂସ ମହାରାଜଙ୍କ ମନୋରଞ୍ଜନ ପାଇଁ ବଲାଙ୍ଗୀର, ସମ୍ବଲପୁର, ଗଞ୍ଜାମ, ଫୁଲବାଣୀ, ପଦ୍ମପୁର ଏବଂ ସୁଦୂର କୋଲକାତାରୁ କଳାକାର ମାନେ ଆସି ନୃତ୍ୟ ପ୍ରଦର୍ଶନ କରିଥିଲେ । ଏହି ରଙ୍ଗମହଲର ଦାୟିତ୍ୱ ମହାମନ୍ତ୍ରୀ ସାତ୍ୟକୀଙ୍କୁ ଦେଇ ପ୍ରତିଦିନ ରାଜ୍ୟ ତଥା ରାଜ୍ୟ ବାହାର କଳାକାରଙ୍କ ନୃତ୍ୟ ପରିବେଷଣ ପାଇଁ ଆଦେଶ ଦେଇଥିଲେ । ଏହାପରେ ମହାରାଜ କଂସ ରାଜଦରବାରକୁ ଫେରି ଆସିଥିବା ବେଳେ ମାତା ଇନ୍ଦୁମତୀଙ୍କ ପ୍ରତି ହୋଇଥିବା ଅତ୍ୟାଚାରର ପ୍ରତିଶୋଧ ନେବା ପାଇଁ ଦୁର୍ମିଳା ରାକ୍ଷସକୁ ହତ୍ୟା କରିଥିଲେ । ତେବେ ନିଜ ସୁରକ୍ଷା ପାଇଁ ଚାଣ୍ଡୁର ମୁଷ୍ଟିକକୁ ଆବାହନ କରିଥିଲେ ମହାରାଜ କଂସ । ଏମାନଙ୍କ ମନୋରଞ୍ଜନ ପାଇଁ ଆୟୋଜନ କରିଥିଲେ ନୃତ୍ୟଗୀତର କାର୍ଯ୍ୟକ୍ରମ ।