ବରଗଡ:କୋରୋନା ପାଇଁ 3 ବର୍ଷ ହେବ ବନ୍ଦ ଥିବା ବିଶ୍ବ ପ୍ରସିଦ୍ଧ ଧନୁଯାତ୍ରା ଗତକାଲିଠୁ (ମଙ୍ଗଳବାର) ଆରମ୍ଭ ହୋଇଛି । ୭୫ ତମ ବରଗଡ଼ର ବିଶ୍ବ ପ୍ରସିଦ୍ଧ ଧନୁଯାତ୍ରା ୧୧ ଦିନ ଧରି ଚାଲିବ । ବରଗଡ଼ରେ ମହାରାଜ କଂସଙ୍କ ରାଜୁତି ଆରମ୍ଭ ହୋଇଛି । ପ୍ରଥମ ଦିନରେ ଦେବକୀ ଓ ବାସୁଦେବଙ୍କ ବିବାହ ସମ୍ପର୍ଣ୍ଣ ହୋଇଥିବା ବେଳେ ଆଜି ଦ୍ବିତୀୟ ଦିନରେ ଯଶୋଦାଙ୍କ କୋଳରେ କୃଷ୍ଣଙ୍କୁ ରଖି ବିଜୁଳି କନ୍ୟାକୁ ନେଇ ମଥୁରା ଫେରିବାର ଦୃଶ୍ୟ ଅଭିନିତ ହେବ । ଏହା ସହିତ କଂସ ନଗର ଭ୍ରମଣ କରିବେ । ରଙ୍ଗ ମହଲ ଉଦଘାଟନ ସହିତ ଜମିଛି ନାଚ ଗୀତ । ଦୀର୍ଘ 3 ବର୍ଷ ପରେ ପୁଣି ଯାତ୍ରା ହୋଇଥିବାରୁ ଦର୍ଶକ ଖୁବ ଉତ୍ସାହିତ ଅଛନ୍ତି ।
ଧନୁଯାତ୍ରାର ଉଦଘାଟନୀ ଦିବସରେ ରାଜକୀୟ ଢଙ୍ଗରେ ଦେବକୀ ବାସୁଦେବଙ୍କ ବିବାହ ହୋଇଯାଇଥିବା ବେଳେ ମହାରାଜ ଉଗ୍ରସେନଙ୍କୁ ଗାଦିଚ୍ୟୁତ କରି ସିଂହାସନ ଆରୋହଣ କରିଛନ୍ତି ମହାପ୍ରତାପି କଂସାସୁର । ଦେବକୀଙ୍କ ଅଷ୍ଟମ ଗର୍ଭ ହେବ କଂସର ମୃତ୍ୟୁର କାରଣ ଦୈବବାଣୀ ହେବା ପରେ କଂସ ବ୍ୟସ୍ତ ବିବ୍ରତ ହୋଇପଡ଼ିଛି । ଦେବକୀ ବାସୁଦେବଙ୍କୁ ବନ୍ଦୀ କରି କାରାଗାର ରଖିଛି କଂସ । ବିଶ୍ବର ସର୍ବବୃହତ ମୁକ୍ତାକାଶ ରଙ୍ଗମଂଞ୍ଚ କୁହାଯାଉଥିବା ବରଗଡ଼ ଧନୁଯାତ୍ରର ପ୍ରଥମ ଦିବସରେ ମଥୁରାର ମହାରାଜ ଉଗ୍ରସେନ ଝିଅ ଦେବକୀର ବିବହା ପାଇଁ ଏକ ସୁଯୋଗ୍ୟ ବରପାତ୍ର ଭାବେ ବାସୁଦେବଙ୍କ ପ୍ରସ୍ତାବ ପାଇଥିଲେ । ଅବିଳମ୍ବେ ଏହି ପ୍ରସ୍ତାବରେ ରାଜି ହୋଇ ଉଗ୍ରସେନ୍ ଏହାପେରେ ରାଜକୀୟ ଆଡ଼ମ୍ବର ସହ ଦେବକୀ ଓ ବାସୁଦେବଙ୍କ ବିବାହ ଆୟୋଜିତ କରିଥିଲେ । ସ୍ଥାନୀୟ ତଲିପଡ଼ା ସ୍ଥିତ ରାମଜୀ ମନ୍ଦିରଠାରେ ବିବାହ ସମ୍ପନ୍ନ ହୋଇଛି । ଦେବକୀ ବସୁଦେବଙ୍କ ବିବାହକୁ ନେଇ ସାରା ମଥୁରା ନଗରୀ ଉତ୍ସବ ମୁଖର ହୋଇପଡ଼ିଥିବା ବେଳେ ମୃଗୟାରୁ ଫେରି ଆସିଛନ୍ତି ମହାରାଜ କଂସ । ତାଙ୍କ ଅନୁପସ୍ଥିତିରେ ଭଉଣୀ ଦେବକୀର ବିବାହ ହୋଇଯାଇ ଥିବାରୁ ଦୁଖଃତ ହୋଇପଡ଼ଥିଲେ କଂସ । ଭଉଣୀ ଦେବକୀଙ୍କୁ ଶାଶୁଘରେ ଛାଡ଼ିଦେବା ପାଇଁ ଆନନ୍ଦର ସହ ବାହାରି ଥିବା ବେଳେ ଠିକ୍ ଏତିକି ବେଳେ ଶୁଭିଛି ଦୈବବାଣୀ " ରେ ରେ କଂସ ଦେବକୀଙ୍କ ଅଷ୍ଟମ ଗର୍ଭ ସନ୍ତାନ ହେବ ତୋର ମୃତ୍ୟୁର କାରଣ" ଦୈବବାଣୀ ଶୁଣି କଂସ ଅତ୍ୟନ୍ତ କ୍ରୋଧିତ ହୋଇପଡିଛି ।