ବରଗଡ: ରାଜ୍ୟରେ ଦିନକୁ ଦିନ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି । ରାଜ୍ୟ ବାହାରୁ ଆସୁ ଥିବା ଲୋକଙ୍କୁ କ୍ବାରେଣ୍ଟାଇନରେ ରହିବା ବାଧ୍ୟତା ମୂଳକ କରିଛନ୍ତି ସରକାର । ଯାହା ବରଗଡ ଚାଷୀଙ୍କ ପାଇଁ ଆଉ ଏକ ସମସ୍ୟା ସୃଷ୍ଟି କରିଛି । ବରଗଡରେ ଏବେ ରବି ଫସଲ ପାଇଁ ଧାନ ଅମଳର ସମୟ ହୋଇଯାଇଥିବା ବେଳେ ଗୋଟେ ପଟେ ଶ୍ରମିକ ମିଳୁ ନଥିବାବେଳେ ହାରଭେଷ୍ଟର ଡ୍ରାଇଭରର ମଧ୍ୟ ଅଭାବ ରହିଛି | ପ୍ରତିବର୍ଷ ହାର୍ଭେଷ୍ଟର ଡ୍ରାଇଭର ମାନେ ଅନ୍ୟ ରାଜ୍ୟରୁ ଓଡ଼ିଶାକୁ ଆସି ଧାନ କାଟିଲା ପରେ ଚାଲିଯାଇଥାନ୍ତି ।
ମାତ୍ର ଚଳିତ ରବି ଫସଲରେ ଅନ୍ୟ ରାଜ୍ୟର ଡ୍ରାଇଭର ଓଡ଼ିଶାକୁ ଆସିପାରିବେ ନାହିଁ ଏବଂ ଯଦି ବି କେହି ଗଳା ବାଟ ଦେଇ ଆସୁଛନ୍ତି ସ୍ଥାନୀୟ ଲୋକମାନେ ତାଙ୍କୁ କ୍ବାରେଣ୍ଟାଇନରେ ରଖିବାକୁ ବାଧ୍ୟ କରୁଛନ୍ତି । ଅତାବିରା ବ୍ଲକ ଅନ୍ତର୍ଗତ ସରଣ୍ଡା ଅଞ୍ଚଳରେ ବହୁ ଆନ୍ଧ୍ରା ଚାଷୀ ଥିବା ବେଳେ ଏବେ ଧାନକଟା ମେସିନ ଚଳାଇବାକୁ ଆନ୍ଧ୍ରରୁ ଡ୍ରାଇଭର ଲୁଚାଇ ଆଣିଥିବା ଖବର ପ୍ରଚାର ହେବାପରେ ଗ୍ରାମବାସୀ ଆତଙ୍କିତ ହୋଇପଡିଥିଲେ ।