ବରଗଡ଼:ଦୁର୍ଘଟଣା ଜନିତ ଶୂନ୍ୟ ମୃତ୍ୟୁ ସପ୍ତାହ ପାଳନ ଶେଷ ହୋଇଛି । ଗୁରୁବାର ଶେଷ ଦିନରେ ବରଗଡ଼ ସହରର ହଳଦିପାଲୀ ଛକ ଠାରେ ଆଞ୍ଚଳିକ ପରିବହନ ଅଧିକାରୀ ସାବୁଆ ମାଝୀ ଏବଂ ବରଗଡ଼ ଟାଉନ ପୋଲିସ, ସଦର ପୋଲିସ IIC ମାନସ ଭୋଇ ଓ କର୍ମଚାରୀଙ୍କ ସହାୟତାରେ ମାଗଣା ହେଲମେଟ ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l ଯେଉଁ ଗାଡ଼ି ଚାଳକମାନେ ଟ୍ରାଫିକ ନିୟମ ମାନି ଗାଡି ଚଲାଉଥିଲେ ବା କାରରେ ସିଟ ବେଲ୍ଟ ପିନ୍ଧି ଗାଡି ଚଲାଉଥିଲେ ସେମାନଙ୍କୁ ଗୋଲାପ ଫୁଲ ଦେଇ ସମ୍ମାନିତ କରିବା ସହିତ ଯେଉଁମାନଙ୍କ ଗାଡିର କାଗଜପତ୍ର ବୈଧ ନଥିଲା ସେମାନଙ୍କୁ ତାଗିଦ କରଯାଇଥିଲା | ଲାଇସେନ୍ସ ଥାଇ ବିନା ହେଲମେଟରେ ବାଇକ ଚଲାଉଥିବା ଚାଳକଙ୍କୁ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ପକ୍ଷରୁ ହେଲମେଟ ପ୍ରଦାନ କରାଯାଇ ମୂଲ୍ୟବାନ ଜୀବନ ବଞ୍ଚାଇବାକୁ ଉପଦେଶ ଦିଆଯାଇଥିଲା ।
ସ୍ଥାନୀୟ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ପରିସରରେ ବରଗଡର ସାମାଜିକ ଅନୁଷ୍ଠାନ ସଂକଳ୍ପ ପରିବାର ଏବଂ ଆଞ୍ଚଳିକ ପରିବହନ କର୍ତ୍ତୃପକ୍ଷଙ୍କ ମିଳିତ ସହଯୋଗରେ ଏକ ରକ୍ତଦାନ ଶିବିର ମଧ୍ୟ ଅନୁଷ୍ଠିତ ହୋଇଥିଲା | ଏହି ରକ୍ତଦାନ ଶିବିରକୁ ବରଗଡ ଏସପି ପ୍ରହଲ୍ଲାଦ ସାହାୟି ମୀନା ଉଦଘାଟନ କରିଥିବା ବେଳେ ଏଠାରେ ବରଗଡ ରକ୍ତଭଣ୍ଡାରର କର୍ମଚାରୀଙ୍କ ଦ୍ଵାରା ସମୁଦାୟ 51 ୟୁନିଟ ରକ୍ତ ସଂଗ୍ରହ କରଯାଇଥିଲା । ତେବେ ବରଗଡ ଜିଲ୍ଲା ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ପକ୍ଷରୁ ପ୍ରଥମ ଥର ପାଇଁ ଏପରି ଏକ ରକ୍ତଦାନ ଶିବିର ଆୟୋଜନ କରାଯାଇଥିବା ବେଳେ ଏଠାରେ 3 ଜଣ ମହିଳା ଓ 48 ଜଣ ପୁରୁଷ ଏପରି ସମୁଦାୟ 51 ଜଣ ରକ୍ତଦାନ କରିଥିଲେ ।
ଏହା ମଧ୍ୟ ପଢନ୍ତୁ: ଶୂନ୍ୟ ମୃତ୍ୟୁ ସପ୍ତାହ: କେନ୍ଦ୍ରାପଡାରେ ବର୍ଷାନୁବର୍ଷ ବଢୁଛି ଦୁର୍ଘଟଣା ଓ ମୃତ୍ୟୁସଂଖ୍ୟା