bargarh municipality eviction ବରଗଡ:ପୌରପରିଷଦର ଉଚ୍ଛେଦ ପ୍ରକ୍ରିୟାରେ ଉତ୍ତେଜନା । ବ୍ୟବସାୟୀ ବିରୋଧ କରିବାରୁ ଅଧାରେ ଅଟକିଲା ଉଚ୍ଛେଦ କାର୍ଯ୍ୟ । ବ୍ୟାପକ ଉତ୍ତେଜନା ପ୍ରକାଶ ପାଇବାରୁ ଉଚ୍ଛେଦ କରିନପାରି ଫେରିଗଲା ପ୍ରଶାସନ । ପୌରପରିଷଦର ଉଚ୍ଛେଦ ସମୟରେ ଚାଷୀଙ୍କ ପନିପରିବା ଫିଙ୍ଗିଦେବା କାରଣକୁ ନେଇ ତାତିଥିଲେ ବ୍ୟବସାୟୀ ।
ସୂଚନା ଅନୁଯାୟୀ, ବରଗଡ ସହରର ସମସ୍ତ ରାସ୍ତା ବର୍ତ୍ତମାନ ଜବରଦଖଲକାରୀଙ୍କ କବଜାରେ ରହିଥିବା ବେଳେ ରାସ୍ତା କଡରେ ମଧ୍ୟ ଗଢିଉଠିଥିବା ବେଆଇନ ଉଠା ଦୋକାନ ଗୁଡିକ ପାଇଁ ବ୍ୟାପକ ଟ୍ରାଫିକ ସମସ୍ୟା ଦେଖାଦେଉଛି । ଯାହାଫଳରେ ପ୍ରତିଦିନ ସ୍କୁଲ ପିଲାଙ୍କ ସ୍କୁଲ ଯିବା ଏବଂ ଆସିବା ସମୟରେ ସ୍କୁଲ ବସ ଯିବା ଆସିବା କଷ୍ଟକର ହୋଇପଡିଛି ଏବଂ ଟ୍ରାଫିକ ସମସ୍ୟା କାରଣରୁ ହସ୍ପିଟାଲକୁ ଏମ୍ବୁଲେନ୍ସ ଯିବାରେ ମଧ୍ୟ ବହୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି । ଏପରି ବ୍ୟାପକ ଟ୍ରାଫିକ ସମସ୍ୟା ଦୀର୍ଘ ଦିନରୁ ଲାଗିରହିଥିବା ବେଳେ ଜିଲ୍ଲା ପ୍ରଶାସନ ବରଗଡ ସହରକୁ ଟ୍ରାଫିକ ମୁକ୍ତ କରିବାକୁ ଅଣ୍ଟା ଭିଡିଥିଲା । ରାସ୍ତାକଡକୁ ଜବରଦଖଲ ହଟାଇବା ପାଇଁ ଗୋଟେ ସପ୍ତାହ ପୂର୍ବରୁ ସହରରେ ଡାକବାଜି ଯନ୍ତ୍ର ସାହାଯ୍ୟରେ ନିର୍ଦ୍ଦେଶ ଦିଆଯାଇଥିଲା । ତେବେ ଡେଡଲାଇନ ଅନୁସାରେ ଗତକାଲି(ବୁଧବାର) ଜିଲ୍ଲା ପ୍ରଶାସନ ପକ୍ଷରୁ ବିଶିପଡା ଠାରୁ ଜେଲ ରୋଡ ପର୍ଯ୍ୟନ୍ତ ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ କରଯାଇଥିଲା ।
ତେବେ ମାଜିଷ୍ଟେଟଙ୍କ ଉପସ୍ଥିତିରେ ପୌରପରିଷଦର କର୍ମଚାରୀ ଓ ଅଧିକାରୀଙ୍କ ସହିତ ପୋଲିସ ପ୍ରଶାସନ ରାସ୍ତା କଡରେ ଥିବା ଜବରଦଖଲକାରୀଙ୍କୁ ହଟାଇବାକୁ ଉଦ୍ୟମ କରିଥିଲେ ଏବଂ ସେଠାରେ ରାସ୍ତା କଡରେ ବସିଥିବା କିଛି ଗରିବ ଚାଷୀଙ୍କ ପନିପରିବା ରାସ୍ତାରେ ଫୋପାଡି ଦେଇଥିବା ଅଭିଯୋଗ ହୋଇଥିଲା । କିଛି ଦୋକାନ ଗୁଡିକରେ ବୁଲଡୋଜର ଚଢାଇ ଦୋକାନ ଘର ଭଙ୍ଗାଯାଇଥିବା ବେଳେ ଯେତେବେଳେ ଗରିବ ଚାଷୀଙ୍କ ଉପରେ ଅତ୍ୟାଚାରକରି ଚାଷୀଙ୍କ ପନିପରିବା ରାସ୍ତା ଉପରେ ଫିଙ୍ଗି ଦେଇଥିଲେ ଲୋକଙ୍କ ମଧ୍ୟରେ ଆକ୍ରୋଶ ବଢିଯାଇଥିଲା ।
ଉତ୍ୟକ୍ତ ଲୋକେ ଉଚ୍ଛେଦକାରୀଙ୍କୁ ଘେରି ପକାଇଥିଲେ ଏବଂ ଦୋକାନ ଭାଙ୍ଗୁଥିବା ବୁଲଡୋଜରକୁ ଅଟକ ରଖିଥିଲେ । ଶେଷରେ ବଢୁଥିବା ଉତ୍ତେଜନାକୁ ଦେଖି ପୌରପରିଷଦ ଉଚ୍ଛେଦ ପ୍ରକ୍ରିୟାକୁ ସ୍ଥଗିତ ରଖିଥିଲା । କିନ୍ତୁ ଚାଷୀଙ୍କ ପନିପରିବା ନଷ୍ଟ ହୋଇଥିଲା । ପନିପରିବା ବିକ୍ରି କରି ଦୁଇ ପଇସା ରୋଜଗାର କରିବାକୁ ଆସିଥିବା ବହୁ ଚାଷୀଙ୍କ ପାରିବା ରାସ୍ତା କଡରେ ପଡି ନଷ୍ଟ ହୋଇଥିବା ଦେଖିବାକୁ ମିଳିଥିଲା ଏବଂ ପ୍ରଶାସନର ଏପରି ଅତ୍ୟାଚାର କାରଣରୁ ଗରିବ ଚାଷୀ ଓ ବେପାରୀମାନଙ୍କ ଆଖିରୁ ଲୁହ ଝରିଯାଉଥିଲା । ବରଗଡର ବୁଦ୍ଧିଜୀବୀ ମହଲରେ ପୌର ପରିଷଦର ଏପରି ଅମାନୁଷିକ କାର୍ଯ୍ୟକଳାପକୁ ଖୁବ ନିନ୍ଦା କରାଯାଇଛି ଏବଂ ଗରିବ ଚାଷୀଙ୍କ ନଷ୍ଟ କରାଯାଇଥିବା ପନିପରିବାର କ୍ଷତିପୂରଣ ପ୍ରଦାନ କରାଯିବାକୁ ଦାବି ହୋଇଛି ।
ଇଟିଭି ଭାରତ, ବରଗଡ