ବରଗଡ଼: ଭାତହାଣ୍ଡିର ଚାଷୀ ଏବେ ସଂକଟାପନ୍ନ ଅବସ୍ଥାରେ ରହିଛନ୍ତି । ଦୁଃଖ ଉପରେ ଦୁଃଖ ଚାଷୀ ମୁଣ୍ଡରେ ଲଦି ହେଉଛି ଯାହା ଆଗାମୀ ଦିନରେ ଚାଷୀ ଆତ୍ମହତ୍ୟାର ଆଶଙ୍କାକୁ ବଢାଇ ଦେଇଛି । ବରଗଡ଼ ଜିଲ୍ଲାର ଚାଷୀ ସମସ୍ତ ପ୍ରକାର ପ୍ରାକୃତିକ ବିପର୍ଯ୍ୟୟକୁ ସାମ୍ନା କରି ଲକଡାଉନରେ ମଧ୍ୟ ରବି ଫସଲର ଧାନ ଉତ୍ପାଦନ କରିବାରେ ସଫଳ ହୋଇପାରିଥିଲା । ମାତ୍ର ଧାନ ବିକ୍ରିୟ ପାଇଁ ମଣ୍ଡିରେ ରଖିଥିବା ବେଳେ ମଣିଷକୃତ ବିପର୍ଯ୍ୟୟ ଯୋଗୁଁ ଆଜି ବରଗଡ଼ ଜିଲ୍ଲାର ଚାଷୀ ବିପଦରେ ପଡିଯାଇଛି ।
ବରଗଡ଼ ଜିଲ୍ଲାରେ ରବି ଫସଲରେ ବ୍ୟାପକ ମାତ୍ରାରେ ଧାନ ଅମଳ ହୋଇଥାଏ ଏବଂ ସମସ୍ତ ଧାନ ସଂଗ୍ରହ କରିବା ପାଇଁ ଯୁଦ୍ଧ କାଳୀନ ଭିତ୍ତିରେ ଉଠାଇବାକୁ ପଡିଥାଏ । ଚଳିତ ବର୍ଷ ମଧ୍ୟ ଜିଲ୍ଲା ପ୍ରଶାସନ ଜୁନ 15 ସୁଦ୍ଧା ମାର୍କେଟ ୟାର୍ଡରେ ପଡ଼ିଥିବା ସମସ୍ତ ଧାନ ଉଠିଯିବ ବୋଲି ପ୍ରତିଶୃତି ଦେଇଥିଲେ କିନ୍ତୁ ସମସ୍ତ ମଣ୍ଡିରେ ପ୍ରଚୁର ଧାନ ପଡିରହିଥିବା ବେଳେ ପ୍ରବଳ ବର୍ଷା କାରଣରୁ ଚାଷୀଙ୍କ ଧାନ ସବୁ ପାଣିରେ ଭାସୁଛି । ଚାଷୀ ତାର ଧାନ ବସ୍ତା ଗୁଡି଼କୁ ଏପରି ଅବସ୍ଥାରେ ଦେଖି ମୁଣ୍ଡରେ ହାତ ଦେଇ ବସିଲାଣି । ଲଘୁଚାପ ଓ ମୌସୁମୀ ବର୍ଷା ଆସୁଥିବା ଜାଣି ମଧ୍ୟ ଜିଲ୍ଲା ପ୍ରଶାସନ ଧାନ ଉଠାଇବାରେ ଅବହେଳା ହେବାର ପରିଣାମ ଆଜି ଚାଷୀ କୂଳକୁ ଭୋଗିବାକୁ ପଡିଛି ।