ବରଗଡ: ଭିଜିଲାନ୍ସ ଜାଲରେ ସରକାରୀ ଅଧିକାରୀ । 5 ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି ବରଗଡ଼ ସ୍ବାସ୍ଥ୍ୟ ବିଭାଗର ଜିଲ୍ଲା ଜନସ୍ବାସ୍ଥ୍ୟ ଅଧିକାରୀ ଚୁଲବତୀ ସାହୁ । ଜଣଙ୍କୁ ହୋଟେଲ ପାଇଁ ଫୁଡ଼ ଲାଇସେନ୍ସ କରେଇ ଦେବାକୁ 5 ହଜାର ଟଙ୍କା ଲାଞ୍ଚ ନେଉଥିବା ସମୟରେ ଭିଜିଲାନ୍ସ ଜାଲରେ ଫସିଯାଇଛନ୍ତି ଚୁଲବତୀ ସାହୁ । ପୂର୍ବରୁ ତାଙ୍କ ନାମରେ ବହୁ ଅଭିଯୋଗ ଆସୁଥିବା ସୂଚନା ଦେଇଛନ୍ତି ବରଗଡ଼ ଭିଜିଲାନ୍ସ ବିଭାଗ ।
ସୂଚନା ଅନୁଯାୟୀ ଭେଡେନ ଥାନା ଅନ୍ତର୍ଗତ ପପଙ୍ଗା ଠାରେ ହୋଟେଲ୍ କରିବା ପାଇଁ ହୃଷିକେଶ ପ୍ରଧାନ ନାମକ ଜଣେ ବ୍ୟକ୍ତି ଫୁଡ଼ ଲାଇସେନ୍ସ ନେଇ ଆବେଦନ କରିଥିଲେ । ମାତ୍ର ଲାଇସେନ୍ସ ଅନୁମତି ଦେବା ପାଇଁ ଜିଲ୍ଲା ଜନ ସ୍ବାସ୍ଥ୍ୟ ଅଧିକାରୀ 5000 ଟଙ୍କା ଲାଞ୍ଚ ମାଗିଥିଲେ। ହୃଷିକେଶ ପ୍ରଧାନ ଭିଜିଲାନ୍ସ ବିଭାଗର ଦ୍ବାରସ୍ଥ ହୋଇ ଏକ ଲିଖିତ ଅଭିଯୋଗ କରିଥିଲେ । ପୂର୍ବ ଯୋଜନା ମୁତାବକ 5000 ଟଙ୍କା ନେଉଥିବା ସମୟରେ ଭିଜିଲାନ୍ସ ହାତରେ ଧରାପଡ଼ିଥିଲେ ଚୁଲାବତୀ ।