ବରଗଡ଼:ଜିଲ୍ଲାପାଳ ଓ ବରଗଡ଼ CDMO ବିବାଦ ଘଟଣା । ରାଜ୍ୟ ସରକାରଙ୍କ ନିକଟରେ ଅଭିଯୋଗ ପରେ ନିଜର ବୟାନ ବଦଳାଇଲେ ବରଗଡ଼ CDMO । ଦୁର୍ବ୍ୟବହାର ପ୍ରଦର୍ଶନ ଅଭିଯୋଗରେ ବରଗଡ଼ ଜିଲ୍ଲାପାଳଙ୍କୁ ଅନ୍ୟତ୍ର ବଦଳି ପାଇଁ ଦାବି କରିଥିଲେ ଖୋଦ ବରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ l ଏନେଇ ସ୍ଵାସ୍ଥ୍ୟ ବିଭାଗକୁ ଚିଠି ମଧ୍ୟ ଲେଖିଥିଲେ । ରାଜ୍ୟ ସରକାରଙ୍କ ଠାରେ ଲିଖିତ ଅଭିଯୋଗ ଆଣି ଜିଲ୍ଲାପାଳଙ୍କ ବଦଳି ପାଇଁ ଦାବି କରିଥିଲେ । ହେଲେ ବର୍ତ୍ତମାନ ବୟାନ ବଦଳାଇ ନିଜର ବଦଳି ପାଇଁ ଲେଖୁଥିଲେ ହେଲେ ଭୁଲରେ ଜିଲ୍ଲାପାଳଙ୍କ ବଦଳି ପାଇଁ ଲେଖିଦେଇଥିବା ସେ କହିଛନ୍ତି l
ବରଗଡ଼ ଜିଲ୍ଲାପାଳ ମନୀଷା ବାନାର୍ଜୀ ସ୍ୱାସ୍ଥ୍ୟ ବିଭାଗର ଅଧିକାରୀଙ୍କୁ ଦୁର୍ବ୍ୟବହାର ପ୍ରଦର୍ଶନ କରୁଥିବା ନେଇ ସେ ଅଭିଯୋଗ ଆଣିଛନ୍ତି । ଅଳ୍ପ ଦିନ ହେଉଛି ନୂତନ ଭାବେ ଯୋଗଦେଇଥିବା ବରଗଡ଼ ସିଡିଏମଓ ଡ. ଚାରୁବାଳା ରଥଙ୍କୁ ବିନା ଦୋଷରେ ଜିଲ୍ଲାପାଳ ଗାଳି ଗୁଲଜ କରିବା ସହ ଦୁର୍ବ୍ୟବହାର ପ୍ରଦର୍ଶନ କରିଥିବା ସିଡିଏମଓ ଅଭିଯୋଗ ଆଣିଛନ୍ତି ।
CDMO ଚାରୁବାଳା ରଥଙ୍କ ଅଭିଯୋଗ ଅନୁଯାୟୀ, ଗତ ଜାନୁୟାରୀ ୨୧ ତାରିଖରେ ଏକ ସ୍ଵାସ୍ଥ୍ୟ ଶିବିର ପରିଦର୍ଶନ ପାଇଁ ଯାଉଥିବା ସମୟରେ ବରଗଡ଼ ଜିଲ୍ଲାପାଳ ତାଙ୍କୁ ଫୋନ ଯୋଗେ ଏକ ଟେଣ୍ଡର ବିଷୟରେ ପଚାରିଥିଲେ । ତେବେ CDMO ଚାରୁବାଳା ରଥ ଏହାର ପ୍ରୋସେସ ଚାଲିଛି ଓ DPMଙ୍କୁ ପଚାରି କହୁଛି ବୋଲି କହିଥିଲେ । ତେବେ ସଙ୍ଗେ ସଙ୍ଗେ ଜିଲ୍ଲାପାଳ ରାଗିଯାଇ ଉଚ୍ଚ ପାଟିରେ ତାଙ୍କୁ ଗାଳି ଦେଇ "ଆପଣ କିଛି ଜାଣି ନାହାଁନ୍ତି ତ ସେହି ଚେୟାରରେ କାହିଁକି ବସିଛ ବୋଲି ତାତ୍ସଲ୍ୟ କରିଥିଲେ ।"