ବରଗଡ: ସପ୍ତମ ଦିନରେ ବିଶ୍ବପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା । ଏହି ଅବସରରେ ସମଗ୍ର ଗୋପପୁର ହୋଇପଡିଛି କୃଷ୍ଣମୟ । କୃଷ୍ଣପ୍ରେମରେ ରାଧାଙ୍କ ସହ ଷୋହଳ ସହସ୍ର ଗୋପୀ ହୋଇପଡ଼ିଛନ୍ତି ଆତ୍ମବିଭୋର । ସେହିପରି ଗୋଟିଏ ପରେ ଗୋଟିଏ ଲୀଳା ଦେଖାଇ ଚାଲିଛନ୍ତି କୃଷ୍ଣ । ପ୍ରତିଦିନ ଭଳି ରାଧା ଓ ଗୋପୀମାନେ ମଥୁରାକୁ ଦଧି ବିକି ଗୋପପୁରକୁ ଯମୁନା ପାରି ହୋଇ ଫେରୁଛନ୍ତି । ଏହି ସମୟରେ କୃଷ୍ଣ ନାଉଁରିଆ ବେଶରେ ଜଗି ରହିଥାନ୍ତି ଓ ତା'ପରେ ହୋଇଥାଏ ରାଧାକୃଷ୍ଣଙ୍କ ନାବକେଳି ।
ଗୋପରେ କୃଷ୍ଣଙ୍କ ନାବକେଳି ଓ ମଥୁରାରେ କଂସଙ୍କ ଛଳନା ଷଢଯନ୍ତ୍ରରେ ବିମୋହିତ ଦର୍ଶକ ସପ୍ତମ ଦିନର ଏହି ମନୋରମ ଦୃଶ୍ୟ ସ୍ଥାନୀୟ ମନାବନ୍ଧ ଠାରେ ଦେଖିବାକୁ ହଜାର ହଜାର ଦର୍ଶକଙ୍କ ଭିଡ଼ ଜମିଥିଲା । ରାଧାକୃଷ୍ଣଙ୍କ ଏହି ପ୍ରେମରେ ଆତ୍ମବିଭୋର ହୋଇପଡ଼ିଥିଲେ ଦର୍ଶକ । ଏପଟେ ମଥୁରାରେ କୃଷ୍ଣ ବଳରାମଙ୍କୁ ହତ୍ୟା କରିବା ପାଇଁ ମହାରାଜ କଂସ ଆୟୋଜନ କରିଛନ୍ତି ଷଡଯନ୍ତ୍ର ।
ଗୋଟିଏ ପଟେ କୃଷ୍ଣ ବଳରାମଙ୍କୁ ହତ୍ୟା କରିବାକୁ ଚିନ୍ତା କରୁଥିବାବେଳେ ସେପଟେ ଦେବର୍ଷି ନାରଦ ଧନୁଯାତ୍ରା କରିବାକୁ ଦେଇଛନ୍ତି ନିର୍ଦ୍ଦେଶ । ମଥୁରାରେ ଆୟୋଜିତ ଏହି ଧନୁଯାତ୍ରା ଦେଖିବାକୁ କୃଷ୍ଣ ବଳରାମଙ୍କୁ ନେଇ ଆସିବା ପାଇଁ ମନ୍ତ୍ରୀ ଅକ୍ରୁରଙ୍କ ହାତରେ ଏକ ଚିଟାଉ ଦେଇ ପଠାଇଛନ୍ତି ଗୋପପୁରକୁ । ଏହା ସହ ମଥୁରା ପହଞ୍ଚିବା ପରେ ଯେପରି କୃଷ୍ଣ ବଳରାମ ଗୋପପୁରକୁ ଫେରି ନପାରିବେ ସେ ନେଇ ମହାରାଜ କଂସ ସମସ୍ତ ପ୍ରହାରୀମାନଙ୍କୁ ସଜାଗ କରିଛନ୍ତି । ଆଉ କୃଷ୍ଣ ବଳରାମଙ୍କୁ ମାରିବା ପାଇଁ ଶଙ୍ଖଚୁଡ ସାପକୁ ଗୋପକୁ ପଠାଇଛନ୍ତି ।
ତେବେ ଧନୁଯାତ୍ରାର ଅଷ୍ଟମ ଦିବସରେ ମହାରାଜ କଂସଙ୍କ ନଗର ଭ୍ରମଣ, ଅକ୍ରୁରଙ୍କ ଗୋପପୁର ଗମନ ଓ ଯମୁନା ବାଲିରେ କୃଷ୍ଣପାଦ ଦର୍ଶନ ଦୃଶ୍ୟ ଅଭିନୀତ ହେବ ।
ବରଗଡରୁ ରାଜେଶ ସରାପ, ଇଟିଭି ଭାରତ