ବରଗଡ: ରାଜ୍ୟ ପୋଲିସ ଡିଜି ବି.କେ ଶର୍ମା ବୁଧବାର ବରଗଡ ଗସ୍ତରେ ଯାଇ ଜିଲ୍ଲା ପୋଲିସ ବିଭାଗକୁ ସରକାରଙ୍କ ନୂତନ ଯୋଜନା "ମୋ ସରକାର " ବାବଦରେ ଅବଗତ କରାଇଥିଲେ | ପୋଲିସ କିପରି ଲୋକଙ୍କୁ ବ୍ୟବହାର ଦେବ, ପୋଲିସ ଅଭିଯୋଗକାରୀଙ୍କୁ କିପରି ସହଯୋଗ କରିବ ସେନେଇ ଜିଲ୍ଲା ପୋଲିସ ବିଭାଗର ଏଏସଆଇ, ଏସଆଇ, ଆଇଆଇସି ଓ କନେଷ୍ଟବଳ ମାନଙ୍କୁ ଜଣାଇଥିଲେ |
ନ୍ୟାୟ ଆଶାରେ ପୋଲିସ ନିକଟକୁ ଆସୁଥିବା ଲୋକଙ୍କ ମଧ୍ୟରେ ପୋଲିସ ଉପରେ ଧୀରେ ଧୀରେ ଭରସା ତୁଟିବାକୁ ଲାଗୁଥିବା ବେଳେ ରାଜ୍ୟ ସରକାର "ମୋ ସରକାର " ନାମରେ ନୂତନ ଯୋଜନା ଆରମ୍ଭ କରିଛନ୍ତି | ଏବଂ ପ୍ରତିଦିନ ବିଭିନ୍ନ ଅଭିଯୋଗକାରୀଙ୍କ ନିକଟକୁ ଫୋନ କରି ପୋଲିସର ବ୍ୟବହାର ଉପରେ ନଜର ରଖାଯାଉଛି |
ଥାନାକୁ ଅଭିଯୋଗ କରିବାକୁ ଆସୁଥିବା ବ୍ୟକ୍ତି ଉପରେ ପୋଲିସ କିପରି ଭାବରେ ବ୍ୟବହାର ପ୍ରଦର୍ଶନ କରୁଛି ? ଏତଲାକାରୀଙ୍କ ପୋଲିସର କାର୍ଯ୍ୟ ଉପରେ ସନ୍ତୁଷ୍ଟି ଅଛି ନା ନାହିଁ ? ପୋଲିସ ଅଭିଯୋଗକାରୀଙ୍କ ଠାରୁ ଅର୍ଥ ଦାବି କରିଥିଲେ କି ? ଏପରି ବିଭିନ୍ନ ପ୍ରଶ୍ନ କରାଯାଉଛି ଏତଲାକାରୀଙ୍କୁ | ପୋଲିସ ବିରୋଧରେ ଅଭିଯୋଗ ଆସିଲେ "ମୋ ସରକାର " ଯୋଜନାରେ ପୋଲିସ ବିରୋଧରେ ନିଆଯାଉଛି କାର୍ଯ୍ୟାନୁଷ୍ଠାନ |