ବରଗଡ଼: ବର୍ତ୍ତମାନ ସମୟରେ ମହିଳା ଚାଷ କରିବା କିଛି ନୁଆ କଥା ନୁହେଁ । କିନ୍ତୁ ବୟସର ଅପରାହ୍ନରେ ଚାଷ ପ୍ରତି ଆକୃଷ୍ଟ ହେବା ଅନ୍ୟ ମହିଳା ଏବଂ ଚାଷୀଙ୍କ ପାଇଁ ରୋଲ ମଡେଲ କହିବା ଅତ୍ୟୁକ୍ତି ହେବ ନାହିଁ । ଏଭଳି ଜଣେ ମହିଳା ହେଉଛନ୍ତି ବରଗଡ଼ ଜିଲ୍ଲା ଅତାବିରା ବ୍ଲକ ଅନ୍ତର୍ଗତ ସରଣ୍ଡା ଗ୍ରାମର ରଜନୀରାଣୀ ତ୍ରିପାଠୀ (Bargarh woman farmer rajanirani tripathy) । ଯିଏକି ୬୦ ବର୍ଷରେ ନିଜ ବାଡ଼ିରେ ବେଦେଶୀ ଫଳ ଚାଷ କରିବାରେ ସଫଳ ହୋଇଛନ୍ତି (Baragarh old woman became successful farmer) ।
ରଜନୀଙ୍କ ବାଡ଼ିରେ ଫଳିଛି ଡ୍ରାଇଗନ ଫଳ ରଜନୀରାଣୀ ତ୍ରିପାଠୀ ସପ୍ତମ ଶ୍ରେଣୀ ପର୍ଯ୍ୟନ୍ତ ପାଠପଢିଛନ୍ତି । କିନ୍ତୁ ନିଜସ୍ବ ପ୍ରୟାସରେ ବିଦେଶୀ ଫଳକୁ ନିଜ ମାଟିରେ ଉତ୍ପାଦନ କରିବାର କୌଶଳ ଶିଖି ସାଜିଛନ୍ତି ସ୍ମାର୍ଟ ମହିଳା ଚାଷୀ । ବରଗଡ଼ ମାଟି ଓ ପାଣି ପବନରେ ରଜନୀ ରାଣୀ ଚାଡ୍ରାଇଗନ ଫଳ ଚାଷ କରି (Dragon fruit farming in bargarh) ଅନ୍ୟ ଚାଷୀମାନଙ୍କ ପାଇଁ ଉଦାହରଣ ପାଲଟିବା ସହ ଏକ ଚାଷ ପାଇଁ ବିକଳ୍ପ ଚାଷ ଭାବେ ସଫଳ ପରୀକ୍ଷଣ କରିଛନ୍ତି। 50 ଡିଗ୍ରୀ ତାପମାତ୍ରାକୁ ସହ୍ୟ କରିପାରୁଥିବା ସି ( ସିଆନ ) ଭେରାଇଟିର ଚାରା ଲଗାଇ 40 ଡିସମିଲ ଜାଗାରେ 13 ମାସ ତଳେ ଡ୍ରେଗନ ଚାଷ ଆରମ୍ଭ କରିଥିଲେ ରଜନୀ | ପ୍ରାୟତଃ 320 ଗୋଟି ସିମେଣ୍ଟ ପୋଲ ପ୍ରସ୍ତୁତ କରି ସେଥିରେ 1200 ଚାରା ରୋପଣ କରିଥିଲେ | ମାତ୍ର ଦୁଇ ଜଣ ଶ୍ରମିକଙ୍କ ସହାୟତାରେ ଏହି ଚାଷ ଆରମ୍ଭ କରିଥିଲେ । ଗୋଟେ ଗୋଟେ ପୋଲରେ 4 ଗୋଟି ଚାରା ଲଗାଯାଇଥିବା ବେଳେ 14 ମାସ ପରେ ପ୍ରଥମ ଥର ପାଇଁ ଗଛରେ ଫଳ ଆସିଛି |
ଯାହା ଦେଖିବାକୁ ଖୁବ ସୁନ୍ଦର ଦେଖାଯାଉଛି | ଗାଢା ଗୋଲାପୀ ରଙ୍ଗର ଏହି ଫଳ ଗୁଡିକରେ ଭରପୁର ମାତ୍ରାରେ ଔଷଧୀୟ ଗୁଣ ରହିଥାଏ । ଏହାକୁ ଖାଇବା ଦ୍ବାରା ବିଭିନ୍ନ ରୋଗର ନିରାକରଣ ହୁଏ ବୋଲି ଡାକ୍ତରମାନେ ମଧ୍ୟ କହିଥାନ୍ତି | ମଧୁମେହ ରୋଗ ଓ କୋଲେଷ୍ଟ୍ରୋଲକୁ କଣ୍ଟ୍ରୋଲ କରିବା ସହିତ ଫଳରେ କ୍ୟାନସର ରୋଗକୁ ରୋକିବାର କ୍ଷମତା ରହିଥିବା କୁହାଯାଏ | ଗୋଟିଏ ଫଳ 300 ଗ୍ରାମରୁ 700 ଗ୍ରାମ ପର୍ଯ୍ୟନ୍ତ ଓଜନ ରହିଥିବାବେଳେ ବଜାର ଦାମ କିଲୋ ପ୍ରତି 200 ଟଙ୍କା ଦର ରହିଥାଏ | ଥରେ ଚାଷ କଲେ 15 ବର୍ଷ ପର୍ଯ୍ୟନ୍ତ ଫଳ ଆଦାୟ ହେଉଥିବା ଯୋଗୁଁ ଅଳ୍ପ ପରିଶ୍ରମରେ ଏକ ଲାଭ ଦାୟକ ଫସଲ ବୋଲି ରଜନୀ କହିଛନ୍ତି | ମାଟିର PH value 5.5 ରୁ 6.5 ଭିତରେ ରହିଲେ ଭଲ ଫଳ ଆଦାୟ ହୋଇଥାଏ | ଏହି ଫଳ ଆମେରିକାର "ପିତୟା" ନାମକ ସ୍ଥାନରେ ପ୍ରଥମେ ଦେଖାଯାଇଥିଲା ସେଥିପାଇଁ ଏହାକୁ ପିତୟା ବୋଲି ମଧ୍ୟ କୁହାଯାଏ | ଗୁଜୁରାଟରେ ଡ୍ରାଗନ ଫଳର ଚାହିଦା ବେଶ ଅଧିକ । ତେବେ ସରଣ୍ଡାଠାରେ ନୂତନ ପ୍ରକାରର ମିଠା ବିଦେଶୀ ଡ୍ରାଇଗନ ଫଳ ହୋଇଥିବାରୁ ଚାଷ ବଗିଚାକୁ ଦେଖିବା ପାଇଁ ପ୍ରତିଦିନ ଲୋକଙ୍କ ସୁଅ ଛୁଟୁଛି ।
ବରଗଡ଼ ଜିଲ୍ଲାରେ ମୁଖ୍ୟତଃ ଧାନ ଚାଷ ଉପରେ ସମସ୍ତେ ନିର୍ଭର କରନ୍ତି । କିନ୍ତୁ ବର୍ତ୍ତମାନ ସମୟରେ ଧାନ ବିକ୍ରିକୁ ନେଇ ବ୍ୟାପକ ସମସ୍ୟା ଦେଖାଦେଇଛି । ବନ୍ୟା, ମରୁଡି ଓ ରୋଗପୋକ ହେଉ କିମ୍ବା ଅଭାବି ବିକ୍ରି ସମସ୍ୟା ଯୋଗୁଁ ଧାନ ପ୍ରତି ମୁହଁ ଫେରାଉଛି ଚାଷୀ । ମହିଳା ଚାଷୀ ରଜନୀ କହିଛନ୍ତି, ବର୍ଷକୁ 2 ଲକ୍ଷରୁ ଅଧିକ ରୋଜଗାର ହେବାର ଆଶା ରଖିଛି । ଯାହା ଧାନ ଚାଷରେ ଆଦୌ ସମ୍ଭବ ନୁହେଁ | ବଜାରରେ ଡ୍ରାଇଗନ ଫଳର ଭଲ ଚାହିଦା ରହିଥିବାରୁ ଧାନ ଚାଷର ବିକଳ୍ପରେ ଚାଷୀ ଏହାକୁ ଆପଣାଇ ପାରିବେ ।" ଅନ୍ୟପଟେ ଚାଷ ପାଇଁ କୌଣସି ପ୍ରକାରର ସରକାରୀ ସହାୟତା ଯୋଗାଇଦେଲେ ବରଗଡ଼ର ଅନ୍ୟଚାଷୀମାନେ ଏଥିପ୍ରତି ଆକୃଷ୍ଟ ହେବେ ବୋଲି ସ୍ଥାନୀୟ ବାସିନ୍ଦା କହିଛନ୍ତି ।
ଇଟିଭି ଭାରତ, ବରଗଡ଼