ବରଗଡ: 5-T ସ୍କୁଲ ନିର୍ମାଣରେ ଘୋଟାଲା ଅଭିଯୋଗ ନେଇ ଜିଲ୍ଲା ପ୍ରଶାସନଙ୍କ ଦ୍ଵାରସ୍ଥ ହେଲେ ବରପାଲି ବ୍ଲକ ଅନ୍ତର୍ଗତ ବରମକେଲା ଗ୍ରାମବାସୀ । ରାଜ୍ୟ ସରକାର 5-T ସ୍କୁଲକୁ ନେଇ ଶିକ୍ଷା କ୍ଷେତ୍ରରେ ବିକାଶର ବାର୍ତ୍ତା ବାଣ୍ଟୁ ଥିବାବେଳେ ବରଗଡରେ ଏଥିରେ ଦେଖା ଦେଇଛି ଅନିୟମିତତା ।
5-T ସ୍କୁଲ ନିର୍ମାଣରେ ଦୁର୍ନୀତି ଅଭିଯୋଗ ସୂଚନା ଅନୁଯାୟୀ, ସ୍ଥାନୀୟ BDO ଙ୍କ ବିରୋଧରେ ଏହି ଅନିୟମିତତା ଅଭିଯୋଗ ଆସିଛି । ବିଜେପୁର ନିର୍ବାଚନ ମଣ୍ଡଳୀର ବରପାଲି ବ୍ଲକ ଅନ୍ତର୍ଗତ ବରମକେଲା ଗ୍ରାମରେ ସ୍କୁଲ କାର୍ଯ୍ୟ ନିର୍ମାଣଧୀନ ଥିବାବେଳେ କାଗଜ ପତ୍ରରେ 60 ଲକ୍ଷ ଟଙ୍କା ବିନିମୟରେ ସମ୍ପୂର୍ଣ ହୋଇସାରିଥିବା ଅଭିଯୋଗ କରିଛନ୍ତି ଲୋକେ ।
ସେପଟେ 60 ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଛି, ହେଲେ ସ୍କୁଲ କମିଟି ପକ୍ଷରୁ ଅର୍ଥ ପ୍ରଦାନ କରାଯାଉ ନ ଥିବା ବରପାଲି BDO ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରିଛନ୍ତି । ଗ୍ରାମବାସୀଙ୍କ ଅଭିଯୋଗ ଅନୁଯାୟୀ, BDO ସ୍କୁଲ ନିର୍ମାଣ ଅସମ୍ପୂର୍ଣ କରି ରଖି ଥିବାବେଳେ ନିର୍ମାଣ କାର୍ଯ୍ୟ ମଧ୍ୟ ନିମ୍ନମାନର କରିଛନ୍ତି । ତେବେ ଏଠାରେ ପ୍ରଶ୍ନ ଉଠୁଛି ଯେ, ସମସ୍ତ 5-T ସ୍କୁଲଗୁଡିକର ନିର୍ମାଣ କାମର ତଦାରଖ ଦାୟିତ୍ଵ ନିଜେ ଜିଲ୍ଲାପାଳ ଏବଂ PD ଙ୍କ ଉପରେ ରହିଥିବାବେଳେ ଏପର୍ଯ୍ୟନ୍ତ କାହିଁକି କେହି ମଧ୍ୟ ଉକ୍ତ କାର୍ଯ୍ୟର ତଦାରଖ ପାଇଁ ଯାଇନାହାନ୍ତି । ଯାହାଫଳରେ ଆଜି ସରକାରଙ୍କ 5-T ର ସ୍ଵଚ୍ଛତା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।
ବରଗଡରୁ ରାଜେଶ ସରାପ, ଇଟିଭି ଭାରତ