ବରଗଡ: ଚାରିଆଡେ ଚାଲିଛି ଭଗବାନ ବିଶ୍ଵକର୍ମାଙ୍କ ପୂଜା ଏବଂ ବିଭିନ୍ନ କଳ କାରଖାନାରେ ଧୁମଧାମରେ ପାଳିତ ହେଉଛି ଏହି ବିଶ୍ଵକର୍ମା ପୂଜା | ହେଲେ ବରଗଡ ଚିନି କାରଖାନାରେ ଫିକା ପଡିଯାଇଛି ଚଳିତ ବିଶ୍ଵକର୍ମା ପୂଜା |
ବିଶ୍ଵକର୍ମା ପୂଜାକୁ ଫିକା କଲା 24 ମାସର ବକେୟା ଦରମା ଏହି ଚିନି କାରଖାନାରେ ପ୍ରତିବର୍ଷ ଧୂମଧାମରେ ବିଶ୍ଵକର୍ମା ପୂଜା ପାଳିତ ହେଉଥିବା ବେଳେ ଚଳିତ ବର୍ଷ କିନ୍ତୁ ମଉଳି ଯାଇଛି କର୍ମଚାରୀଙ୍କ ଉତ୍ସାହ ଓ ଉଦ୍ଦୀପନା | କାରଣ 24 ମାସ ହେଲା ମିଳିନି ଦରମା । ଆଉ ଏପରି ଅବସ୍ଥାରେ କର୍ମଚାରୀ ଓ ଶ୍ରମିକଙ୍କ ପରିବାର ଭୋକରେ ରହୁଥିବା ବେଳେ କିପରି ଅବା ଉତ୍ସାହ ରହିବ ଏହି ପୂଜାପାଇଁ |
ସମୟ ଥିଲା ବିଶ୍ଵକର୍ମା ପୂଜାରେ ବରଗଡ ତୋରାଠାରେ ଥିବା ସମବାୟ ଚିନି କାରଖାନା ଉତ୍ସବ ମୁଖର ହୋଇଉଠୁଥିଲା | ଆଖପାଖ ଅଞ୍ଚଳର ହଜାର ହଜାର ଲୋକେ ତଥା ଆଖୁ ଚାଷୀ ଓ କର୍ମଚାରୀଙ୍କ ପରିବାର ଲୋକେ ବିଶ୍ଵକର୍ମା ପୂଜା ଦିନ କାରଖାନା ଭିତରକୁ ଏହା ଦେଖିବା ପାଇଁ ଆସୁଥିଲେ | ଏହି ପୂଜା ସମୟରେ କାରଖାନାରେ ଲୋକଙ୍କ ଭିଡ ଅସମ୍ଭାଳ ହୋଇପଡୁଥିଲା ।
ମାତ୍ର ଆଜି ଶୂନଶାନ ହୋଇପଡିଛି କାରଖାନା | ଆଗପରି ଆଉ ଦେଖିବାକୁ ମିଳୁନି ଚିନି କାରଖାନାରେ ଭଗବାନ ବିଶ୍ଵକର୍ମାଙ୍କ ପୂଜାରେ କର୍ମଚାରୀଙ୍କ ଉତ୍ସାହ | କାରଖାନାରେ କାମ କରୁଥିବା କର୍ମଚାରୀଙ୍କୁ ଦୀର୍ଘ 24 ମାସର ଦରମା ମିଳିନଥିବା ବେଳେ ଆଖୁ ଉତ୍ପାଦନ ସମୟରେ କାରଖାନା ବନ୍ଦ ହୋଇପଡିଛି | ଫଳରେ ବରଗଡ ଜିଲ୍ଲାର ଆଖୁଚାଷୀ ଆଖୁ ଚାଷକୁ ବନ୍ଦ କରି ଅନ୍ୟ ଚାଷ କରିବାକୁ ବାଧ୍ୟ ହୋଇଛନ୍ତି | କିନ୍ତୁ କାରଖାନାର କର୍ମଚାରୀ ମାନେ 24 ମାସର ବକେୟା ଦରମା ନପାଇ ଏବେ ତଳିତଳାନ୍ତ ହୋଇପଡିଛନ୍ତି | କିଏ ଦିନ ମଜୁରିଆ କାମ କରୁଛି ତ ଆଉ କିଏ ଭୋକ ଉପାସରେ ଦିନ କାଟୁଛି | ଏପରି ପରିସ୍ଥିତିରେ ଚିନି କାରଖାନା ଆଗକୁ ଚାଲିବ ନା ନାଇ ତାହା ଆଶଙ୍କାରେ |
ତେବେ କର୍ମଚାରୀ ଆଶା ବାନ୍ଧି ବସିଛନ୍ତି ଯେ ଦିନେ ପୁଣି କାରଖାନା ଚାଲିବ ଏବଂ ପୂର୍ବପରି ତାଙ୍କ ପରିବାର ପୋଷଣ କରିପାରିବେ | କର୍ମଚାରୀମାନେ ତାଙ୍କ ଆଶାକୁ ଭଗବାନଙ୍କ ଭରସାରେ ଛାଡିଦେଇଛନ୍ତି । ବହୁ ଆଡମ୍ବରରେ ନହେଲେ ମଧ୍ୟ ଛୋଟ ଆକାରରେ କାରଖାନାରେ ଭଗବାନ ବିଶ୍ଵକର୍ମାଙ୍କ ପୂଜାର୍ଚ୍ଚନା କରିଛନ୍ତି |
ବରଗଡରୁ ରାଜେଶ ସରାପ, ଇଟିଭି ଭାରତ