ବରଗଡ: ବରଗଡ ଜିଲ୍ଲା ସୋହେଲା ଠାରେ ସାମ୍ବାଦିକଙ୍କ ଉପରେ ଆକ୍ରମଣ ଘଟଣାକୁ ନିନ୍ଦା କଲା ବରଗଡ ପ୍ରେସ କ୍ଲବ ଏବଂ ଓକିଲ ସଂଘ । ଚାରି ଦିନ ତଳେ ସୋହେଲାରେ ଚାଷୀଙ୍କ ବିକ୍ଷୋଭ ପ୍ରଦର୍ଶନ ଏବଂ ରାସ୍ତାରୋକର ଖବର ସଂଗ୍ରହ କରିବାକୁ ଯାଇଥିବା ଦୁଇଟି ଗଣମାଧ୍ୟମର ଦୁଇଜଣ ସାମ୍ବାଦିକଙ୍କ ଉପରେ ମରଣାନ୍ତକ ଆକ୍ରମଣ ହୋଇଥିଲା । କିଛି ଦୁର୍ବୃତ୍ତ ଦିନ ଦ୍ବିପ୍ରହରରେ କାଠ ଫାଳିଆ ଓ ଠେଙ୍ଗାରେ ସେମାନଙ୍କୁ ମାଡ ମାରି ଲହୁଲୁହାଣ କରିବା ସହ ଦଳ ବିରୋଧରେ କାହିଁକି ଖବର ପ୍ରସାରଣ କରୁଛ ବୋଲି କହିଥିଲେ । ଏପରି ଭାବେ ଗଣମାଧ୍ୟମର କଣ୍ଠରୋଧ କରିବା ଘଟଣାକୁ ବୁଦ୍ଧିଜୀବୀ ମହଲରେ ନିନ୍ଦା କରାଯାଇଥିବାବେଳେ ଆକ୍ରମଣକାରୀଙ୍କୁ ଚିହ୍ନଟ କରି ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ବରଗଡ ଏସପିଙ୍କ ନିକଟରେ ଦାବି ହୋଇଛି ।
ଅଭିଯୋଗ ଅନୁଯାୟୀ, ସୋହେଲାରେ ଚାଷୀଙ୍କ ବିକ୍ଷୋଭ ଖବର ସଂଗ୍ରହ ବେଳେ ପାଖାପାଖି ୮ରୁ ୧୦ ଜଣ ଦୁର୍ବୃତ୍ତ ଦୁଇ ସାମ୍ବାଦିକଙ୍କୁ ଆକ୍ରମଣ କରି ଲହୁଲୁହାଣ କରିଦେଇଥିଲେ । ଏପରିକି ସେମାନଙ୍କୁ ମୋବାଇଲ ମଧ୍ୟ ଲୁଟି ନେଇଯାଇଥିଲେ । ଏହାପରେ ସ୍ଥାନୀୟ ଲୋକେ ଦୁହିଁଙ୍କ ଉଦ୍ଧାର କରି ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରିଥିଲେ । ତେବେ ମୁଖ୍ୟମନ୍ତ୍ରୀଙ୍କ ସୋହେଲା ଗସ୍ତ ପୂର୍ବରୁ ରାଜନୈତିକ ଆକ୍ରୋଶ ରଖି ଏହି ଆକ୍ରମଣ କରାଯାଇଥିବା ଅଭିଯୋଗ ହୋଇଛି । ବିଜେଡି ବିଧାୟକ ସୁଶାନ୍ତ ସିଂଙ୍କ ଭଟଲି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ସୋହେଲା ବ୍ଲକର ହଳଦୀପାଳି ଗ୍ରାମକୁ ମୁଖ୍ୟମନ୍ତ୍ରୀ ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି । ମୁଖ୍ୟମନ୍ତ୍ରୀ କାର୍ଯ୍ୟକ୍ରମରେ ଯେପରି କୌଣସି ପ୍ରକାରର ଦଳ ବିରୋଧୀ ଖବର ପ୍ରସରଣ ନହୁଏ ସେନେଇ ପୂର୍ବ ଯୋଜନା ମୁତାବକ ଦୁଇ ସମ୍ବାଦିକଙ୍କୁ ଆକ୍ରମଣ କରାଯାଇଥିବା ଅଭିଯୋଗ ଆଣିଛନ୍ତି ଆକ୍ରମଣର ଶିକାର ସାମ୍ବାଦିକ ।