ବରଗଡ଼:ଭକ୍ତ ଓ ଭଗବାନଙ୍କ ସମ୍ପର୍କ କେତେ ଯେ, ନିବିଡ଼ ତାହାର ଜୀବନ୍ତ ଉଦାହରଣ ଏବଂ ମୁକସାକ୍ଷୀ ହୋଇରହିଛି ବରଗଡ ଜିଲ୍ଲା ଖୁଣ୍ଟପାଳି ଗ୍ରାମର ପ୍ରସିଦ୍ଧ ବାଲିଯାତ୍ରା । କାହିଁ କେଉଁ ଆବାହନ କାଳରୁ ଖୁଣ୍ଟପାଳି ଗ୍ରାମର ବାଲିଯାତ୍ରା ଚାଲିଆସୁଛି ତାହାର ସଠିକ ସମୟ ଆଜିଯାଏ କେହି ମଧ୍ୟ ଜାଣିନାହାନ୍ତି । କିନ୍ତୁ କୁହାଯାଏ ଶହ ଶହ ବର୍ଷ ପୂର୍ବରୁ ଖୁଣ୍ଟପାଳି ଗ୍ରାମରେ ଭକ୍ତଙ୍କ ରକ୍ଷା ପାଇଁ ଭଗବାନ ନିଜେ ଗ୍ରାମର ଗଉନ୍ତିଆଙ୍କୁ ସ୍ଵପ୍ନାଦେଶ ଦେଇଥିଲେ ଏବଂ ଜୀରା ନଦୀର ବାଲି ପଠାରେ କାର୍ତ୍ତିକ ମାସରେ ଆବିର୍ଭାବ ହୋଇଥିଲେ । ସେହି ଦିନଠାରୁ ଭଗବାନ ବାଲୁଙ୍କେଶ୍ବର ପ୍ରତି ବର୍ଷ କାର୍ତ୍ତିକ ମାସ ସାରା ଏଠାରେ ପୂଜା ପାଇ ଆସିଥାନ୍ତି ।
କୁହାଯାଏ ଶହ ଶହ ବର୍ଷ ପୂର୍ବେ ରାଜା ରାଜୁତି ସମୟରେ ବରଗଡ଼ ଜିଲ୍ଲା ଗାଇସିମା ଠାରେ ରହିଥିବା ଅଷ୍ଟଶମ୍ଭୁ ପୀଠକୁ ଆଖ ପାଖ ଗ୍ରାମରୁ ପୂଜା ପାଇଁ ଭୋଗ ଆସୁଥିଲା । ସେତେବେଳେ ଖୁଣ୍ଟାପାଳି ଗଉନ୍ତିଆ ମଧ୍ୟ ଜେନ ଭକ୍ତଙ୍କ ହାତରେ ଅଷ୍ଟଶମ୍ଭୁ ମନ୍ଦିରକୁ ଭୋଗ ପଠାଇଥିଲେ । କିନ୍ତୁ ଗଉନ୍ତିଆଙ୍କ ଠାରୁ ଭୋଗ ନେଇ ଯାଉଥିବା ବାଟରେ ଭକ୍ତ ଜଣକ ପ୍ରବଳ କ୍ଷୁଧାକୁ ସହ୍ୟ କରିନପାରି ଖୁଣ୍ଟପାଳି ଜୀରା ନଦୀ କୂଳ ବାଲିରେ ଶିବ ଳିଙ୍ଗ ତିଆରି କରିଥିଲେ ଏବଂ ବାବା ଭୋଳାନାଥଙ୍କୁ ସ୍ମରଣ କରି ପୂଜା କରିଥିଲେ । ଭଗବାନଙ୍କୁ କ୍ଷମା ପ୍ରାର୍ଥନା କରି ସେ ଭୋଗସବୁ ଖାଇଦେଇ କ୍ଷୁଧା ମେଣ୍ଟାଇଥିଲେ । ତେବେ ଭକ୍ତଙ୍କ ଏପରି କାରନାମା କିଛି ଗ୍ରାମବାସୀ ଦେଖି ଗଉନ୍ତିଆଙ୍କୁ ଯାଇ ଖବର ଦେଇଥିଲେ । ତେବେ ଉକ୍ତ ଭକ୍ତଙ୍କୁ ଗଉନ୍ତିଆ ଦଣ୍ଡାଦେଶ ଦେବା ସହିତ ତାଙ୍କୁ ଗ୍ରାମବାସୀ ନାନା ଅତ୍ୟାଚାର କରିଥିଲେ । ତେବେ ଭକ୍ତଙ୍କ ଏପରି ଦୁଃଖକୁ ଭଗବାନ ସହ୍ୟ କରିପାରିନଥିଲେ । ଖୁଣ୍ଟପାଲି ଗ୍ରାମର ଗଉନ୍ତିଆଙ୍କୁ ଭଗବାନ ନିଜେ ସ୍ଵପ୍ନାଦେଶ ଦେଇଥିଲେ ଯେ ମୋ ଭକ୍ତ ପ୍ରତି ଅତ୍ୟାଚାର କର ନାହିଁ । ମୋ ଭକ୍ତ ଯେଉଁ ସ୍ଥାନରେ ମତେ ପୂଜା କରିଛି ମୁଁ ପ୍ରତି ବର୍ଷ କାର୍ତ୍ତିକ ମାସରେ ସେହି ଠାରେ ଆବିର୍ଭାବ ହେବି ଏବଂ ମୁଁ ପୂଜା ପାଇବି । ଏହି ସମୟରେ ଆସୁଥିବା ମୋର ଭକ୍ତ ମାନଙ୍କର ସମସ୍ତ ଦୁଃଖ ମୁଁ ଦୂର କରିବି ।
ତେବେ ଗଉନ୍ତିଆଙ୍କୁ ଏପରି ସ୍ଵପ୍ନ ଆସିବା ମାତ୍ରେ ସେ ଗ୍ରାମବାସୀଙ୍କୁ ଏକତ୍ରିତ କରି ଜୀରା ନଦୀ ଠାରେ ଭଗବାନଙ୍କ ପୂଜାର୍ଚ୍ଚନା ଆରମ୍ଭ କରିଥିଲେ । ବାଲିରେ ଶିବଲିଙ୍ଗ ତିଆରି କରାଯାଉଥିବାରୁ ଏଠାକାର ଭଗବାନ ବାବା ବାଲୁଙ୍କେଶ୍ବର ନାମରେ ପୂଜା ପାଇଥାନ୍ତି । ତିନି ଦିନ ଧରି ଚାଲିଥିବା ଏହି ବାଲିଯାତ୍ରା ସ୍ଥଳକୁ ଗ୍ରାମର ମନ୍ଦିରରେ ପୂଜା ପାଉଥିବା ଭଗବାନଙ୍କୁ ଜୀରା ନଦୀର ବାଲିପଠାକୁ ନିଆଯାଇଥାଏ । ଯାତ୍ରା ଶେଷ ହେବାପରେ ପୁଣି ଗ୍ରାମର ମନ୍ଦିରକୁ ଭଗବାନ ଫେରି ଆସିଥାନ୍ତି । ଏଠାରେ ପୂଜା ପାଇଆସୁଥିବା ବାଲୁକାଲିଙ୍ଗ ଠାରେ ମାନସିକ କରୁଥିବା ସମସ୍ତ ଭକ୍ତଙ୍କ ଇଛା ପୁରାଣ ହୋଇଥାଏ ବୋଲି ବିଶ୍ଵାଶ ରହିଛି । 3 ଦିନ ଧରି ଚାଲିଥିବା ଖୁଣ୍ଟପାଳି ଗ୍ରାମର ଏହି ବାଲିଯାତ୍ରାରେ ଲକ୍ଷାଧିକ ଲୋକଙ୍କ ସମାଗମ ରହିଥାଏ । ଦୂରଦୁରାନ୍ତରୁ ଭକ୍ତମାନେ ନିଜ ଇଛା ପୂରଣ ହେବାପରେ ଏଠାକୁ ଆସିଥାନ୍ତି କାର୍ତ୍ତିକ ମାସରେ ପୂଜା ପାଉଥିବା ବାବା ବାଲୁଙ୍କେଶ୍ୱରଙ୍କୁ ଦର୍ଶନ କରିବା ପାଇଁ ।