ଓଡିଶା

odisha

ETV Bharat / state

ସମୟ କାଳଚକ୍ରରେ ଅଜେୟ ଯୋଦ୍ଧା ‘ଆଲୋକ ଦେବତା’

ଏ ହେଉଛି 39 ବର୍ଷୀୟ ଆଲୋକଙ୍କ କଥା । ଯିଏ 7 ବର୍ଷ ତଳେ ଦଇବର ଗତିକୁ ବେଶ୍‌ ନିକଟରୁ ଅନୁଭବ କରିଥିଲେ । ଏହି ସଂଗ୍ରାମରେ ନିଜର ବାମ ଗୋଡକୁ ସେ ହରାଇଥିଲେ ସତ ହେଲେ ନିଜର ଦୃଢ ଆତ୍ମବଳ ଯୋଗୁଁ ବଞ୍ଚିଯାଇଥିଲା ଜୀବନ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ବରଗଡ

By

Published : May 28, 2019, 1:30 PM IST

Updated : May 28, 2019, 3:04 PM IST

ବରଗଡ: ବଡ ବିଚିତ୍ର ସମୟର କାଳଚକ୍ର । ଏହାର ମାୟା ବୁଝିପାରିବା ମଣିଷ ପକ୍ଷେ ଅସମ୍ଭବ ପ୍ରାୟ । ତେବେ ଏହି କାଳଚକ୍ର ଯେ କେବେ କାହାକୁ ନେଇ କେଉଁ ସ୍ଥାନରେ ପହଞ୍ଚାଇବ ତାହାର କିଛି ଠିକଣା ନଥାଏ । ତେଣେ ଏହି କାଳଚକ୍ର ଯେ କେତେ ଭୟଙ୍କର ହୋଇପାରେ ତାହା ଅଙ୍ଗେ ନିଭାଇଛନ୍ତି ଆଲୋକ ପ୍ରସାଦ ଦେବତା ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ବରଗଡ

ଏ ହେଉଛି 39 ବର୍ଷୀୟ ଆଲୋକଙ୍କ କଥା । ଯିଏ 7 ବର୍ଷ ତଳେ ଦଇବର ଗତିକୁ ବେଶ୍‌ ନିକଟରୁ ଅନୁଭବ କରିଥିଲେ । ଘଟଣାକ୍ରମେ ଯେବେ ଆଲୋକଙ୍କୁ 32 ବର୍ଷ ହୋଇଥିଲା ସେବେ ଆଖିରେ ଅନେକ ସ୍ବପ୍ନ ନେଇ ନିଜ ଭବିଷ୍ୟତକୁ ଗଢି ତୋଳିବା ପାଇଁ ବେଶ୍‌ ଉତ୍ସାହିତ ଥିଲେ ଆଲୋକ । ବିବାହ କରିବା ପାଇଁ ପ୍ରଥମେ ନିଜ ଗୋଡରେ ନିଜେ ଛିଡା ହୋଇ ଆତ୍ମନିର୍ଭରଶୀଳ ହେବା ଦରକାର ବୋଲି ହୃଦ୍‌ବୋଧ କରିଥିଲେ ଆଲୋକ ।

ହେଲେ କିଛି କରିବା ପୂର୍ବରୁ 2012ରେ ଇଲେକ୍ଟ୍ରି କାମ କରି ପରିବାର ଚଳାଉଥିବା ସମୟରେ ହଠାତ୍‌ ତାଙ୍କ ଉପରେ ମାଡିଥିଲା କାଳ । କାମ ସାରି ଘରକୁ ଫେରୁଥିବା ସମୟରେ ପଛରୁ ଚଢିଯାଇଥିଲା ଟ୍ରକ । ଦୀର୍ଘ ଦିନ ଧରି ଡାକ୍ତରଖାନାରେ ଭର୍ତ୍ତି ହୋଇ ମୃତ୍ୟୁ ସହ ଅତି ନିକଟରୁ ସଂଗ୍ରାମ କରିଥିଲେ ଆଲୋକ । ଏହି ସଂଗ୍ରାମରେ ନିଜର ବାମ ଗୋଡକୁ ସେ ହରାଇଥିଲେ ସତ ହେଲେ ନିଜର ଦୃଢ ଆତ୍ମବଳ ଯୋଗୁଁ ବଞ୍ଚିଯାଇଥିଲା ଜୀବନ ।

ଆଲୋକଙ୍କର ଏପରି ଅବସ୍ଥା ଦେଖି ପରିବାର ଲୋକେ ତାଙ୍କୁ ସାହାସ ଦେବେ କ’ଣ ନିଜେ ଆତ୍ମବିଶ୍ବାସ ହରାଇ ବସିଥିଲେ । ହେଲେ ବେଶ୍‌ ଦୃଢତାର ସହ ନିଜ ଜୀବନର ଗତିକୁ ଗ୍ରହଣ କରି ଆଗେଇବା ପାଇଁ ନିଷ୍ପତ୍ତି ନେଇଥିଲେ ଆଲୋକ । ଗୋଡ ହରାଇବା ପରେ ଏବେ ପରିବାର ଉପରେ ନିର୍ଭର ନକରି ନିଜ ପାଇଁ ନିଜେ ରୋଜଗାର କରିବା ପାଇଁ ଠାଣି ନେଇଛନ୍ତି ଆଲୋକ । ଫଳରେ ଅସହ୍ୟ ଗରମରେ ଗଛ ତଳେ ବସି ଲୋକଙ୍କ ମନଜାଣି କେବେ ତରଭୂଜ ତ କେବେ ପୁଣି ତାଳସଜ ବିକୁଛନ୍ତି ଆଲୋକ ।

ବର୍ତ୍ତମାନ ସମୟେ ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ବଢିବାରେ ଲାଗିଥିବା ବେଳେ ଦିନ ସମୟରେ ଘରୁ ବାହାରିବା ଏକପ୍ରକାର ଅସମ୍ଭବ ହୋଇ ପଡୁଛି । ଏମିତିରେ ନିଜେ ଘରୁ ବାହାରି ଲୋକଙ୍କୁ ସୁସ୍ବାଦୁ ଫଳର ମଜା ଦେଉଛନ୍ତି ଆଲୋକ । ଆଗ ଭଳି ଏବେ ତାଳସଜ ଏତେ ସହଜରେ ମିଳୁ ନଥିବାରୁ ଆଲୋକଙ୍କ ଫଳ ଦୋକାନ ଆଗରେ ଜମୁଛି ଗ୍ରାହକଙ୍କ ଭିଡ । ତେବେ ଆଲୋକଙ୍କୁ ଏଥିରେ ସହାୟତାର ହାତ ବଢାଇଛନ୍ତି ତାଙ୍କର କିଛି ସାଥୀ । ଫଳ ଯୋଗାଡି ତାଙ୍କୁ ଯୋଗାଇବାଠାରୁ ଆରମ୍ଭ କରି ଦୋକାନରେ ସାହାଯ୍ୟ କରିବା ପର୍ଯ୍ୟନ୍ତ ସବୁଥିରେ ଠିଆ ହୋଇଛନ୍ତି ଆଲୋକଙ୍କ ସାଥି ।

ହାତ ଗୋଡ କାମ କରୁଥିଲେ ମଧ୍ୟ ପରିଶ୍ରମ ନ କରି ଭିକ୍ଷା ଭଳି ବୃତ୍ତିକୁ ଅନେକ ଆପଣାଉଥିବା ଦୃଶ୍ୟ ଆଜିକାଲି ସାଧାରଣ ହେବାରେ ଲାଗିଛି । ଏମିତିରେ ଗୋଟିଏ ଗୋଡ ହରାଇ ମଧ୍ୟ ହାର ମାନି ନାହାନ୍ତି ଆଲୋକ ଦେବତା ଏବଂ ଅନ୍ୟଙ୍କ ପାଇଁ ପାଲଟି ଯାଇଛନ୍ତି ଏକ ଜୀବନ୍ତ ଉଦାହରଣ ।

ବରଗଡରୁ ରାଜେଶ ସରାପ, ଇଟିଭି ଭାରତ

Last Updated : May 28, 2019, 3:04 PM IST

ABOUT THE AUTHOR

...view details