ବରଗଡ଼:ପଦ୍ମପୁର ଉପନିର୍ବାଚନ ପୂର୍ବରୁ ପଦ୍ମପୁରରେ ଦେଖାଦେଲାଣି ରାଜନୈତିକ ଆକ୍ରୋଶ ଓ ହିଂସା କାଣ୍ଡ । ସୋମବାର ଦିନ ତମାମ ଆଇଟି ଓ ଜିଏସ୍ଟି ରେଡ୍କୁ ନେଇ ଉଭୟ ବିଜେଡ଼ି ଓ ବିଜେପି ଦଳ ମଧ୍ୟରେ ଝଡ଼ ଲାଗିରହିଥିବାବେଳେ, ରାତିରେ ଜଣେ ବିଜେପି ନେତାଙ୍କୁ ଅପହରଣ କରାଯାଇଥିବା ଅଭିଯୋଗ ଆସିଛି । ଲାଞ୍ଜିଗଡ଼ ବିଜେଡି ବିଧାୟକ ପ୍ରଦୀପ ଦିଶାରୀଙ୍କ ନାଁରେ ଆସିଛି ଅପହରଣ ପରି ସାଙ୍ଘାତିକ ଅଭିଯୋଗ ।
ସୋମବାର ସନ୍ଧ୍ୟାରେ ପଦ୍ମପୁର ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ଝାରବନ୍ଧ ବ୍ଲକ୍ ଗୋଠୁଗୁଡା ପଞ୍ଚାୟତ ସନଦାଦର ଛକରୁ ବିଜେପି ନେତା ଦିଲ୍ଲୀପ କୁମାର ସେନାପତିଙ୍କୁ ଅପହରଣ କରାଯାଇଥିବା ନେଇ ଅଭିଯୋଗ ହୋଇଛି । ଲାଞ୍ଜିଗଡ ବିଜେଡି ବିଧାୟକ ପ୍ରଦୀପ ଦିଶାରୀ ଓ ତାଙ୍କର ସହଯୋଗୀ ଦୁଇଟି ଇନୋଭା ଗାଡ଼ିରେ ବସାଇ ତାଙ୍କୁ ଅପହରଣ କରିଥିବା ଅଭିଯୋଗ ଆସିଛି । ଝାରବନ୍ଧ ବିଜେପିର ମଣ୍ଡଳ ସଭାପତି ମିଳନ ପାଣ୍ଡେ ଏନେଇ ଝାରବନ୍ଧ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ।