ବରଗଡ: ସହରରେ ଆଜି ପୁଣି ଚାଲିଲା ପୌର ପରିଷଦର ଉଚ୍ଛେଦ । ବରଗଡ ଲେଙ୍ଗୁ ମିଶ୍ର ଛକ ଠାରୁ ଲମ୍ବାବିଲଡିଙ୍ଗ ପର୍ଯ୍ୟନ୍ତ ବେଆଇନ ଦଖଲ ହଟାଇବା ପାଇଁ ବରଗଡ ପୌରପରିଷଦ ପକ୍ଷରୁ 59 ଗୋଟି ଘର ଓ ଦୋକାନକୁ ଉଚ୍ଛେଦ କରିବାକୁ ଅଣ୍ଟା ଭିଡିଥିଲା । ମାତ୍ର ଦୁଇ ଦିନ ପର୍ଯ୍ୟନ୍ତ ଲଗାତାର ଉଚ୍ଛେଦ କାମ କରି 41 ଗୋଟି ଘର ଭାଙ୍ଗିବା ପରେ ଜବରଦଖଲକାରୀମାନେ ହାଇକୋର୍ଟର ଦ୍ଵାରସ୍ଥ ହୋଇଥିଲେ । ହାଇକୋର୍ଟ ଆଗାମୀ 23 ତାରିଖ ପର୍ଯ୍ୟନ୍ତ ଷ୍ଟେ ଅର୍ଡର ଦେବା ପରେ ଜିଲ୍ଲା ପ୍ରଶାସନ ଉଚ୍ଛେଦ କାର୍ଯ୍ୟରୁ ବନ୍ଦ କରିଥିଲା । ତେବେ ପୌରପରିଷଦ ଅଞ୍ଚଳର ଗୋବିନ୍ଦପାଳି ଠାରେ ରହିଥିବା ବେଆଇନ ଜବରଦଖଲ ଉଚ୍ଛେଦ କାର୍ଯ୍ୟ ଆରମ୍ଭ କରିଦେଇଛି ପ୍ରଶାସନ । ଯାହାକୁ ନେଇ ଉତ୍ତେଜନା ଦେଖିବାକୁ ମିଳିଛି ।
ବରଗଡ଼ ସହରରେ ବେଆଇନ ଜବର ଦଖଲ ପାଇଁ ଟ୍ରାଫିକ ସମସ୍ୟା ଦିନକୁ ଦିନ ବୃଦ୍ଧି ସ୍ଥାନୀୟବାସିନ୍ଦା ଅଭିଯୋଗ କରିଛନ୍ତି । ବ୍ୟାପକ ଟ୍ରାଫିକ ସମସ୍ୟା କାରଣରୁ 5 ମିନିଟର ରାସ୍ତାକୁ ଅତିକ୍ରମ କରିବାକୁ ଅତିକମରେ 20 ମିନିଟ ସମୟ ଲାଗୁଛି ଅଭିଯୋଗ ହୋଇଛି । ବରଗଡ ସହରରେ ରହିଥିବା ପୁରୁଣା ଜାତୀୟ ରାଜପଥକୁ ବେଆଇନ ଭାବେ କବ୍ଜା କରି ରାସ୍ତା କଡରେ ବ୍ୟାପାର ଚଳାଇଥିବାରୁ ସହର ଭିତରେ ପ୍ରତିଦିନ ଟ୍ରାଫିକ ସାମସ୍ୟାର ଶିକାର ହେଉଛନ୍ତି ଲୋକେ । ଏପରିକି ବରଗଡ ସହରବାସୀ ଗୁରୁତର ରୋଗୀକୁ ଡାକ୍ତରଖାନାକୁ ହଠାତ ନେବାକୁ ହେଲେ ମଧ୍ୟ ଟ୍ରାଫିକ ଭିତରେ ଫସି ବହୁ ହଇରାଣ ହେଉଛନ୍ତି । ବରଗଡବାସୀଙ୍କ ଏହି ସମସ୍ୟା ଶେଷରେ ବ୍ୟାପକ ଜନଆନ୍ଦୋଳନର ରୂପ ନେବାପରେ ଜିଲ୍ଲା ପ୍ରଶାସନ ବାଧ୍ୟ ହୋଇ ଜବରଦଖଲ ଉଚ୍ଛେଦ କରିବାକୁ ଆଗେଇଆସିଥିଲା ।