ବରଗଡ଼: ସମୟ ଥିଲା ନିଜ ଜମିରୁ ଚାଷବାସ କାମ କରି ବାହାରେ ମଧ୍ୟ କାମଧାମ କରି ବେଶ ଦୁଇ ପଇସା ରୋଜଗାର କରି ନିଜ ପରିବାର ଗୁଜୁରାଣ ମେଣ୍ଟାଉଥିଲେ ବରଗଡ଼ ସଦର ରୁହୁଣିଆ ଗ୍ରାମର ଜିତେନ୍ଦ୍ର ପ୍ରଧାନ। ହେଲେ ବିଧିର ବିଧାନ ଥିଲା କିଛି ଅଲଗା। ଦୁର୍ଘଟଣାର ଶିକାର ହୋଇ ସର୍ବସ୍ବ ହରାଇ ଘରେ ପଡିରହିଲେ ଜିତେନ୍ଦ୍ର ଏବଂ ନିଜ ଚିକିତ୍ସା ତ ଦୂରର କଥା ଘର ଚଳାଇବା ପାଇଁ ମଧ୍ୟ ଅସମର୍ଥ ହୋଇ ପଡିଛନ୍ତି ସେ।
ବରଗଡ଼ ସଦରର ରୁହୁଣିଆ ଗ୍ରାମର ଜିତେନ୍ଦ୍ର ପ୍ରଧାନ ନିଜ ଅଢ଼େଇ ଏକର ଜମିରେ ଚାଷ କାମ କରିବା ସହିତ ବରଗଡ଼ର ଏକ ଘରୋଇ କମ୍ପାନୀରେ କାମ ମଧ୍ୟ କରୁଥିଲେ । ଏପରି ଅକ୍ଲାନ୍ତ ପରିଶ୍ରମ କରି ଜିତେନ୍ଦ୍ର ନିଜ ଦୁଇ ସନ୍ତାନ ଓ ମା ବାପାଙ୍କ ସହିତ ପୁରା ପରିବାରର ଭରଣ ପୋଷଣ କରୁଥିଲେ । ଗତ ମାର୍ଚ୍ଚ ମାସ 5 ତାରିଖରେ ଜିତେନ୍ଦ୍ର କାମରେ ଯାଇଥିବା ବେଳେ ବରଗଡ଼ କାଳୀ ମନ୍ଦିର ଛକ ଠାରେ ତାଙ୍କର ଦୁର୍ଘଟଣା ହୋଇଥିଲା। ସେ ବାଇକରେ ଯାଉଥିବା ବେଳେ ରାସ୍ତା କଡ଼ରେ ଛିଡ଼ା ହୋଇଥିବା ଏକ କାରର କବାଟ ଭିତରପଟୁ ହଠାତ କେହି ଖୋଲି ଦେଇଥିଲା । ଫଳରେ ଜିତେନ୍ଦ୍ର ଏକ ଟ୍ରାକ୍ଟର ଟ୍ରଲିରେ ପିଟିହୋଇ ତଳେ ପଡ଼ିଯାଇଥିଲେ। ଏହି ଦୁର୍ଘଟଣାରେ ଜିତେନ୍ଦ୍ରଙ୍କ ଗୋଡ଼ ଅଚଳ ହୋଇଯାଇଥିଲା, ମୁଣ୍ଡରେ ଗଭୀର କ୍ଷତ ହୋଇ ଉପର ଭାଗ ଖପୁରି ସମ୍ପୂର୍ଣ୍ଣ ଉଠିଯାଇଥିଲା । ସ୍ଥାନୀୟ ଲୋକେ ତାଙ୍କର ମୃତ୍ୟୁ ହୋଇଯାଇଥିବା ଭାବି ନେଇଥିଲେ କିନ୍ତୁ ଭଗବାନଙ୍କ କୃପାରୁ ସେ ବଞ୍ଚିଯାଇଥିଲେ।